ଭାରି ପଡ଼ିଲା ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମ୍‌ସି ମନ୍ତ୍ରୀଙ୍କୁ ପଦରୁ ତଡ଼ିବାକୁ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗ ମତ୍ସ୍ୟ ବିଭାଗ ମନ୍ତ୍ରୀ ଅଖିଳ ଗିରି କରିଥିବା ତାଚ୍ଛଲ୍ୟ ମନ୍ତବ୍ୟକୁ ନେଇ ଚାରିଆଡ଼େ ପ୍ରତିବାଦର ତୀବ୍ର ସ୍ୱର। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଏହା ସାରାଦେଶକୁ ଅପମାନ। ଓଡ଼ିଶାରେ ବି ସବୁ ଦଳ କରିଛନ୍ତି କଡ଼ା ସମାଲୋଚନା। ଅଖିଳଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ବିଭିନ୍ନ ଥାନାରେ ଦିଆଯାଇଛି ଏତଲା। ତେବେ ନିଜ ଦଳ ଟିଏମ୍‌ସିବି ଏଭଳି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ପରେ ବାଟକୁ ଆସିଛନ୍ତି ଅଖିଳ। […]

bjp

  • Published: Saturday, 12 November 2022
  • , Updated: 12 November 2022, 09:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗ ମତ୍ସ୍ୟ ବିଭାଗ ମନ୍ତ୍ରୀ ଅଖିଳ ଗିରି କରିଥିବା ତାଚ୍ଛଲ୍ୟ ମନ୍ତବ୍ୟକୁ ନେଇ ଚାରିଆଡ଼େ ପ୍ରତିବାଦର ତୀବ୍ର ସ୍ୱର। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଏହା ସାରାଦେଶକୁ ଅପମାନ। ଓଡ଼ିଶାରେ ବି ସବୁ ଦଳ କରିଛନ୍ତି କଡ଼ା ସମାଲୋଚନା। ଅଖିଳଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ବିଭିନ୍ନ ଥାନାରେ ଦିଆଯାଇଛି ଏତଲା। ତେବେ ନିଜ ଦଳ ଟିଏମ୍‌ସିବି ଏଭଳି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ପରେ ବାଟକୁ ଆସିଛନ୍ତି ଅଖିଳ। ଦେଇଥିବା ମନ୍ତବ୍ୟ ପାଇଁ ଅନୁତପ୍ତ ବୋଲି କହିବା ସହ କାହିଁକି ଏମିତି କହିଥିଲେ, ତାର ସଫେଇ ଦେଇଛନ୍ତି।

ତେବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏଭଳି ଅପମାନ ସୂଚକ ମନ୍ତବ୍ୟ ଦେଇଥିବା ଅଖିଳଙ୍କୁ ଚାରିଆଡ଼ୁ ସମାଲୋଚିତ ହେବାକୁ ପଡ଼ିଛି।

ସେ ନନ୍ଦିଗ୍ରାମରେ ଗତକାଲି ଅପରାହ୍ନରେ ଏକ ଜନସଭାରେ ଯୋଗଦେଇ କହିଥିଲେ, ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ ଦେଉଛୁ, ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ?

ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ତାଙ୍କର ଏ ପ୍ରଶ୍ନକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ଖୋଦ୍ ଅଖିଳଙ୍କ ରାଜ୍ୟର ରାଜଧାନୀ କୋଲକାତା ସମେତ ନନ୍ଦିଗ୍ରାମ ଓ ଦୀଘା ଆଦି ସ୍ଥାନରେ ବିଜେପି ରାସ୍ତାକୁ ଓହ୍ଲାଇଛି ଓ ଅଖିଳଙ୍କୁ ଗିରଫ ଦାବିରେ ଜୋରଦାର ବିକ୍ଷୋଭ କରିଛି। ଅଖିଳଙ୍କୁ ଜଣେ ରାଷ୍ଟ୍ରଦ୍ରୋହୀ ଦର୍ଶାଇ ତାଙ୍କ କୁଶପୁତ୍ତଳିକା ବି ଦାହ କରିଛି ଭାରତୀୟ ଜନତା ପାର୍ଟି। ଏପଟେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଅଖିଳଙ୍କ ମନ୍ତବ୍ୟ ଉପରେ କଡ଼ା ଆପତ୍ତି ଉଠାଇ, ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପାଇଁ ଦାବି କରିଛନ୍ତି।

ଅର୍ଜୁନ ମୁଣ୍ଡା ଅଭିଯୋଗ କହିଛନ୍ତି, ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ TMC ସହଜରେ ଏହାକୁ ହଜମ କରିପାରୁନି। ଅଖିଳଙ୍କ ଅଭଦ୍ରାମୀ ପାଇଁ ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବସାଧାରଣରେ କ୍ଷମା ମାଗନ୍ତୁ। ଏଣେ ଘଟଣାକୁ ନେଇ ଜାତୀୟ ମହିଳା କମିଶନଙ୍କୁ ବି ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପଶ୍ଚିମବଙ୍ଗ ବିଜେପି। ଅଖିଳଙ୍କ ବିଧାୟକ ପଦ ରଦ୍ଦ ପାଇଁ ବି ଦାବି କରିଛି ପଦ୍ମ ଦଳ।

ଏଣେ ଓଡ଼ିଆଙ୍କ ଗୌରବ ତଥା ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟକୁ ନେଇ ଓଡ଼ିଶାରେ ବି ତୀବ୍ର ପ୍ରତିକ୍ରିୟା। ନୟାଗଡ଼ର ଓଡ଼ଗାଁରେ ବିଜେପି ସାଂଗଠନିକ ସମାବେଶରେ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସହ କୁଶପୁତ୍ତଳିକା ଦାହ କରାଯାଇଛି। କର୍ମୀମାନଙ୍କ ଗହଣରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ବିଜେପି ନେତ୍ରୀ ଇରାନୀ ରାୟ ଏହି କୁଶପୁତ୍ତଳିକା ଦାହ କରିଥିଲେ।

ସେହିପରି ରାଜ୍ୟ ବିଜେପି ମୁଖ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଅଖିଳଙ୍କୁ ଗିରଫ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା। କ୍ୟାପିଟାଲ ଥାନାରେ ଭୁବନେଶ୍ୱର ଜିଲ୍ଲା ବିଜେପି ଏସ୍‌ଟି ମୋର୍ଚ୍ଚା, ସୁନ୍ଦରଗଡ଼ ଥାନାରେ ବିଧାୟିକା କୁସୁମ ଟେଟେ ଓ ତଳସରା ଥାନାରେ ବିଧାୟକ ଭବାନୀ ଶଙ୍କର ଭୋଇ ଏତଲା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ବିଜେଡି ଓ କଂଗ୍ରେସ ବି ନିନ୍ଦା କରିଛନ୍ତି।

ଅନ୍ୟପଟେ ନିଜ ମନ୍ତବ୍ୟକୁ ନେଇ ଚାରିଆଡୁ ବଢୁଥିବା ଷଣ୍ଢୁଆସି ଆକ୍ରମଣ ଦେଖି, ୟୁ ଟର୍ଣ୍ଣ ମାରିଛନ୍ତି ମନ୍ତ୍ରୀ ଅଖିଳ ଗିରି। କହିଛନ୍ତି ସେ ଅନୁତପ୍ତ, ରାଷ୍ଟ୍ରପତି ଓ ସମ୍ବିଧାନକୁ ସମ୍ମାନ ଦିଅନ୍ତି। ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଏକ ବୟାନରେ କ୍ରୋଧାନ୍ୱିତ ହୋଇ ଏପରି ମନ୍ତବ୍ୟ ଦେଇଥିଲେ। ତେଣେ ଅଖିଳଙ୍କ ନିଜ ଦଳ ଟିଏମ୍‌ସି ବି ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରୁଥିବା ଟ୍ୱିଟ୍ କରି ଜଣାଇଛି। ଦଳ କହିଛି, ରାଷ୍ଟ୍ରପତିଙ୍କ ପ୍ରତି ତୃଣମୂଳ କଂଗ୍ରେସର ଯଥେଷ୍ଟ ସମ୍ମାନ ରହିଛି। ନାରୀ ସଶକ୍ତୀକରଣ ଯୁଗରେ ଏଭଳି ନାରୀବିଦ୍ୱେଷ ମନ୍ତବ୍ୟ ଆଦୌ ଗ୍ରହଣନୀୟ ନୁହେଁ।

ସୂଚନା ଥାଉକି, ପୂର୍ବରୁ ଗତ ଜୁଲାଇ ମାସରେ ସେହି ପଶ୍ଚିମବଙ୍ଗର ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ବି ରାଷ୍ଟ୍ରପତିଙ୍କ ପ୍ରତି ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ। ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି ସମ୍ବୋଧନ କରି ସେ ହରଡ଼ ଘଣାରେ ପଡ଼ିଥିଲେ। ଚାରିଆଡୁ ପ୍ରତିବାଦ ପରେ ସେ ନିଜେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଥିଲେ।

Related story