ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଆଉ ୯ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କୁ କଟାକ୍ଷ କରିଥିଲେ। କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁ ଘୋଷଣା କଲା ବେଳେ ନବୀନ କହିଥିଲେ ଯେ ତାଙ୍କ (ଅନୁଭବ ମହାନ୍ତି) ପାଖରେ ସତ୍ୟପାଠରେ ଲୁଚାଇବା ଭଳି କିଛି ନାହିଁ, ଯେମିତିକି ଦୁଇ ଦୁଇଟି ଦରମା ଓ ମାଇନିଂ କମ୍ପାନୀ ପାଇଁ କାମ କରିବା। ବୈଜୟନ୍ତ ପଣ୍ଡାଙ୍କୁ ଇଙ୍ଗିତ କରି ମୁଖ୍ୟମନ୍ତ୍ରୀ ଏ କଥାଟି କହିଥିଲେ। ପୂର୍ବରୁ ବିଜେଡି ବୈଜୟନ୍ତଙ୍କ ନାଁରେ ଗତ ନିର୍ବାଚନ ବେଳେ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣିଥିଲା।
ମୁଖ୍ୟମନ୍ତ୍ରୀଙ୍କ ଏହି କଟାକ୍ଷର କଡ଼ା ଜବାବ ଦେଇଛନ୍ତି ବୈଜୟନ୍ତ। ସେ ଟ୍ୱିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଏତେ ତଳକୁ ଖସି ଯିବେ ବୋଲି ମୁଁ କେବେ ଭାବି ନଥିଲି। ସେ ଓ ସମସ୍ତେ ମୋ ପରିବାରର ୬୦ବର୍ଷର ଶିଳ୍ପ ସଂସ୍ଥା ସମ୍ପର୍କରେ ଅବଗତ ଥିବେ। ସ୍ୱର୍ଗତ ବିଜୁ ଅଙ୍କଲ୍ ମଧ୍ୟ ଅନେକ ଦଶନ୍ଧି ଧରି ମୋ ପରିବାର ସହ ଘନିଷ୍ଠ ଓ ନିର୍ଭରଶୀଳ ଥିଲେ।
ଏହା ସହିତ ବୈଜୟନ୍ତ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“କୌଣସି କମ୍ପାନୀ ଗଠନ ହେବାର ବର୍ଷେ ପୂର୍ବରୁ ତାକୁ ଖଣି ଲିଜ୍ ଦେବାରେ ମୋର ସମ୍ପୃକ୍ତି ନାହିଁ।”
Didn't think Naveen wd stoop so low. He of all ppl should be aware of my family's 60yr old industry, with which late Biju uncle was very familiar, & dependent, for decades.
Also, i have never been involved in granting mining leases to companies one year before they were formed? https://t.co/4EGSMQDQyd
— Chowkidar Baijayant Jay Panda (@PandaJay) March 27, 2019
ସୂଚନାଯୋଗ୍ୟ, ନବୀନ କେନ୍ଦ୍ରରେ ଖଣି ମନ୍ତ୍ରୀ ଥିବା ବେଳେ ଏକ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ୧୯୯୯ ମସିହାରେ ପଞ୍ଜୀକୃତ କଂପାନୀକୁ ୧୯୯୮ରେ କୋଲ ବ୍ଲକ୍ ଆବଣ୍ଟନ କରାଯାଇଥିବା ଅଭିଯୋଗ ଆସିଥିଲା। କୋଲ୍ ବ୍ଲକ୍ ଆବଣ୍ଟନର ଏହି ମାମଲା ଏବେ ସିବିଆଇ ତଦନ୍ତ ପରିସରଭୁକ୍ତ ଅଛି। ଏହି ମାମଲାରେ ନବୀନଙ୍କୁ ସିବିଆଇ ଜେରା କରିଥିବା ତଥ୍ୟ କିଛି ଦିନ ତଳେ ପଦାକୁ ଆସିଥିଲା। ଏହି ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି।
ସୂଚନାଯୋଗ୍ୟ, ବିଜେପି ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଗତକାଲି ଏଠାରୁ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।