ସରକାରୀ କଳର ଦୁରୂପଯୋଗ କରୁଛି ବିଜେଡି, ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସରକାରୀ କଳର ବ୍ୟାପକ ଦୁରୂପଯୋଗ କରି ଶାସକ ବିଜେଡି ବାଲେଶ୍ୱର ସଦର ଆସନର ଭୋଟରଙ୍କୁ ପ୍ରଭାବିତ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେଡିର ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଘଂନ ବୋଲି ବିଜେପି କହିଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ଏକ ପ୍ରତିନିଧି ଦଳ ସ୍ମାରକପତ୍ର ପ୍ରଦାନ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ବିଜେପି ଅଭିଯୋଗ କରିଛି ଯେ, ବାଲେଶ୍ୱର […]

ub90-1

Tapas Behera
  • Published: Tuesday, 20 October 2020
  • , Updated: 20 October 2020, 08:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସରକାରୀ କଳର ବ୍ୟାପକ ଦୁରୂପଯୋଗ କରି ଶାସକ ବିଜେଡି ବାଲେଶ୍ୱର ସଦର ଆସନର ଭୋଟରଙ୍କୁ ପ୍ରଭାବିତ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେଡିର ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଘଂନ ବୋଲି ବିଜେପି କହିଛି।

ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ଏକ ପ୍ରତିନିଧି ଦଳ ସ୍ମାରକପତ୍ର ପ୍ରଦାନ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ବିଜେପି ଅଭିଯୋଗ କରିଛି ଯେ, ବାଲେଶ୍ୱର ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତ୍ୱେ ସରକାରୀ କଳକୁ ବ୍ୟବହାର କରି ବିଜେଡି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛି, ଯାହାକି ସଂପୂର୍ଣ୍ଣଭାବେ ବେନିୟମ ଓ ବେଆଇନ। ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ହାତେଇବାକୁ ବିଜେଡି ଏବେ ସରକାରୀ କଳକୁ ଲଗାଇ ରାସ୍ତା କାମ ଏବଂ ନଳକୂପ ଖନନ ଆଦି କାର୍ଯ୍ୟ ଚାଲୁ ରଖିଛି। ଶ୍ରୀରାମପୁର ପଂଚାୟତର ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଏକ ନୂଆ ବିଦ୍ୟୁତ ଟ୍ରାନ୍ସଫରମର ଲଗାଯାଇଛି।

ମାଛଡିହ, ନିମା, ଖିରାମ, ସତାର, ପୁରନ, ଗୁଣ୍ଡୁରିପଡ଼ା, ଖଦି କପଡ଼ା, ଗରାଡ଼ିହ ଓ ଶ୍ରୀରାମପୁର ଗାଁରେ ରାସ୍ତାକାମ କରିବା ପାଇଁ ମୋରମ୍ ପକାଯାଇଛି। ଗତ ଦୁଇଦିନ ତଳେ ନେସ୍କୋ ଦ୍ୱାରା ନୂଆ ଟ୍ରାନ୍ସଫରମର ଲଗାଇ ଶ୍ରୀରାମପୁର ପଂଚାୟତକୁ ବିଦ୍ୟୁତ ସଂଯୋଗ କରାଯାଇଛି। ବାଲେଶ୍ୱର ନେସ୍କୋ ଜୋନରେ ବିଦ୍ୟୁତ କର୍ମଚାରୀ ମହାସଙ୍ଘ ଯାହା ବିଜୁ ଶ୍ରମିକ ସାମୁଖ୍ୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ତାହାର ଏକ ଅଫିସ ଶାଖା ଗତ ୧୭ ତାରିଖ ଦିନ ଉଦଘାଟନ କରାଯାଇଛି। ଏହି ସମସ୍ତ କାର୍ଯ୍ୟ କରି ଶାସକ ବିଜେଡି ନିର୍ବାଚନ ଆଚରଣ ବିଧିକୁ ଖୁଲମଖୁଲା ଉଲ୍ଲଘଂନ କରିଛି।  ଏହି ସମସ୍ତ ବେଆଇନ କାର୍ଯ୍ୟର ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି। ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧି ଦଳ ଦାବି କରିଛି।
ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ମୁଖପାତ୍ର ଯତୀନ ମହାନ୍ତି ଏବଂ ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Related story