ପାରାଦୀପ ସମୁଦ୍ରରେ ଡରାଉଛି ‘କଳା ଗୋଲାପ’ର କଣ୍ଟା !

ପାରାଦୀପ (ଓଡ଼ିଶା ରିପୋର୍ଟର): ବୁଡ଼ିବାର ୧୦ ବର୍ଷ ପରେ ପୁଣି ଚର୍ଚ୍ଚାରେ ବ୍ଲାକ୍ ରୋଜ୍ । ପାରାଦୀପ ବନ୍ଦର ଠାରୁ ଅନତି ଦୂରରେ ସଲିଳ ସମାଧି ନେଇଥିବା ଏହି ମଙ୍ଗୋଲୀୟ ଜାହାଜ, ଏବେ ପାଣି ତଳେ ଲୁଚି ରହି ମାଛଧରା ଟ୍ରଲର୍ ଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି।  ତେଣୁ ସେଠାରୁ ତୁରନ୍ତ ଜାହାଜ ଅପସାରଣ ପାଇଁ ମତ୍ସ୍ୟଜୀବୀ ଓ ବୋଟ୍ ମାଲିକମାନେ ଦାବି କରିଛନ୍ତି।  ଅନ୍ୟପକ୍ଷରେ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଜାହାଜ ବୁଡ଼ିଥିବା ଅଞ୍ଚଳ ବନ୍ଦର […]

vcb

Tapas Behera
  • Published: Wednesday, 06 November 2019
  • , Updated: 06 November 2019, 10:45 PM IST

ପାରାଦୀପ (ଓଡ଼ିଶା ରିପୋର୍ଟର): ବୁଡ଼ିବାର ୧୦ ବର୍ଷ ପରେ ପୁଣି ଚର୍ଚ୍ଚାରେ ବ୍ଲାକ୍ ରୋଜ୍ । ପାରାଦୀପ ବନ୍ଦର ଠାରୁ ଅନତି ଦୂରରେ ସଲିଳ ସମାଧି ନେଇଥିବା ଏହି ମଙ୍ଗୋଲୀୟ ଜାହାଜ, ଏବେ ପାଣି ତଳେ ଲୁଚି ରହି ମାଛଧରା ଟ୍ରଲର୍ ଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି।  ତେଣୁ ସେଠାରୁ ତୁରନ୍ତ ଜାହାଜ ଅପସାରଣ ପାଇଁ ମତ୍ସ୍ୟଜୀବୀ ଓ ବୋଟ୍ ମାଲିକମାନେ ଦାବି କରିଛନ୍ତି।  ଅନ୍ୟପକ୍ଷରେ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଜାହାଜ ବୁଡ଼ିଥିବା ଅଞ୍ଚଳ ବନ୍ଦର ଅଧୀନରେ ଥିବାରୁ ମତ୍ସ୍ୟଜୀବୀଙ୍କ ଡଙ୍ଗା କିମ୍ବା ଟ୍ରଲର୍ ସେପଟେ ଯିବା ସଂପୂର୍ଣ୍ଣ ନିଷେଧ।

ମତ୍ସ୍ୟଜୀବୀଙ୍କୁ ଡରାଉଛି କଳା ଗୋଲାପର କଣ୍ଟା। ପାଣି ତଳେ ଲୁଚି ରହି ବିପଦକୁ ହାତ ଠାରୁଛି, ବହୁ ଚର୍ଚ୍ଚିତ ଜାହାଜ ବ୍ଲାକ୍ ରୋଜ। ୧୦ ବର୍ଷ ତଳେ ପାରାଦୀପ ବନ୍ଦର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବ୍ଲାକ୍‌ରୋଜ ଏବେ ସମୁଦ୍ର ପତ୍ତନଠୁ ପ୍ରାୟ ୪ ଫୁଟ୍ ତଳେ ରହିଛି। ଜାହାଜର କୌଣସି ଅଂଶ ପାଣି ଉପରକୁ ଦେଖାଯାଉନଥିବାରୁ ଏହା ବହୁ ଦିନରୁ ବୋଟ୍ ଟ୍ରଲର୍ ଚାଳକଙ୍କୁ ଡରାଇ ଆସୁଥିଲା। ତେବେ ଗତକାଲି ସତକୁ ସତ ଏକ ମାଛଧରା ବୋଟ୍ ଜାହାଜରେ ପିଟି ହୋଇ ବୁଡ଼ିଯିବା ପରେ ମତ୍ସ୍ୟଜୀବୀ, ବୋଟ୍ ମାଲିକ ଓ ଟ୍ରଲର୍ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମୁଦ୍ରକୁ ଯାତାୟାତ ପାଇଁ ମହାନଦୀ ମୁହାଣ ବିପଦପୂର୍ଣ୍ଣ ଥିବାରୁ ଓ କଇଁଛ କଟକଣା ପାଇଁ ବରୁଣେଇ ଜଳପଥ ବ୍ୟବହାର କରିହେଉନଥିବାରୁ, ପ୍ରତିଦିନ ଶହଶହ ମତ୍ସ୍ୟଜୀବୀ ଏଇ ବାଟକୁ ବ୍ୟବହାର କରନ୍ତି । ତେଣୁ ଜାହାଜ ବୁଡ଼ିଥିବା ସ୍ଥାନରେ ବୟାଁ ଲଗାଇବାକୁ କିମ୍ବା ଜାହାଜକୁ ପାଣିରୁ ଅପସାରଣ କରିବାକୁ ସେମାନେ ଦାବି କରିଛନ୍ତି।

ସେପ୍ଟେମ୍ବର ୯, ୨୦୦୯। ପାରାଦୀପରୁ ଲୁହାପଥର ବୋଝେଇ କରି ଚୀନ ଯାଇଥାନ୍ତା ମଙ୍ଗୋଲୀୟ ଜାହାଜ ବ୍ଲାକ୍ ରୋଜ୍ । କିନ୍ତୁ ଭାରସାମ୍ୟ ହରାଇ ପାଣିରେ ବୁଡ଼ିଯିବାରୁ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା ଓ ୨୬ ନାବିକ ଉଦ୍ଧାର ହୋଇଥିଲେ । ପାରାଦୀପ ବନ୍ଦର ଆଙ୍କରେଜ୍ ଏରିଆ ଠାରୁ ପ୍ରାୟ ୫ କିଲୋମିଟର ଓ ସମୁଦ୍ର ତଟରୁ ୨ କିଲୋମିଟର ଦୂରରେ ସେବେଠୁ ପଡ଼ିପଡ଼ି ଏହି ଜାହାଜ ଖତ ଖାଉଛି।  ତଥାପି ଏହାକୁ କାହିଁକି ସମୁଦ୍ରରୁ ବାହାର କରାଯାଉନାହିଁ ବୋଲି ମତ୍ସ୍ୟଜୀବୀମାନେ ପଚାରିଥିବା ବେଳେ, ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ବ୍ଲାକ୍ ରୋଜ୍ ବୁଡ଼ିଥିବା ଅଞ୍ଚଳ ବନ୍ଦର ଅଧୀନରେ ଥିବାରୁ ସେପଟେ ମାଛଧରା ବୋଟ୍ ଓ ଟ୍ରଲର୍ ଆଦି ଯିବା ନିଷେଧ।  ପାରାଦୀପ ବିଧାୟକ କହିଛନ୍ତି, ଗତକାଲି ବ୍ଲାକ୍‌ରୋଜ ଯୋଗୁଁ କି ଅନ୍ୟ କୌଣସି କାରଣରୁ ଦୁର୍ଘଟଣା ଘଟିଛି, ସେନେଇ ତଦନ୍ତ ହେଉଛି ।

Related story