ଘର ଭିତରେ ବିସ୍ଫୋରଣ, ପରିବାରର ୬ ଗୁରୁତର

ଖଲ୍ଲିକୋଟ୍‌(ଶିଲୁ ବିଶ୍ୱାଳ): ଘର ଭିତରେ ଘଟିଥିଲା ବିସ୍ପୋରଣ। ଫଳରେ ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

କୋଦଳା ଥାନା ବେରୁହାବାଡ଼ି ଗାଁର ଦଣ୍ଡପାଣି ବେଳେହାଙ୍କ ଘରେ ଆଜି ବିସ୍ଫୋରଣ ଘଟିଥିଲା। ବିସ୍ପୋରଣରେ ଦଣ୍ଡପାଣିଙ୍କ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ କୋଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ଶରୀରର ୬୦ରୁ ୭୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି।

ଦଣ୍ଡପାଣୀଙ୍କ ଘରେ ହୋଇଥିବା ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଁର ଏ ମୁଣ୍ଡରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ଏହି ଭୟଙ୍କର ଶବ୍ଦ ଶୁଣି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ବିସ୍ଫୋରଣରେ ଘରର କାନ୍ଥ ଭାଙ୍ଗି ଯାଇଥିବା ବେଳେ ଜିନିଷପତ୍ର ଛିନ୍‌ଛତ୍ର ହୋଇପଡ଼ିଥିଲା। ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ବାଣ କିମ୍ବା ବମ୍‌ ଘରେ ଗଚ୍ଛିତ ଥିବା ଆଲୋଚନା ହେଉଛି।

ଖବର ପାଇ ପୁରୁଷୋତ୍ତମପୁର ଏସଡିପିଓ ଏବଂ କୋଦଳା ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।