‘ହେ କଲେକ୍ଟର ବାବୁ ପାଦ ତଳେ କଲି ଜୁହାର, ଅନ୍ଧର ଦୁଃଖକୁ କରିବ ଦୂର’

ଯାଜପୁର(ଯନ୍ମେଜୟ ଦାଶ): ସରକାରଙ୍କ ବ୍ୟବସ୍ଥାରେ କିଛି ନାହିଁ! ସେଥିପାଇଁ ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ଆଜି ଗୁହାରୀ କରୁଛନ୍ତି। ଆଉ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ହାରମୋନିୟମ୍‌ ବଜାଇ ଗାଉଛନ୍ତି- ହେ’ କଲେକ୍ଟର ବାବୁ ତୁମ ପାଦ ତଳେ କଲି ଜୁହାର, ଅନ୍ଧର ଦୁଃଖକୁ ଟିକେ କରିବ ଦୂର। ଘର ଖଣ୍ଡିଏ ପାଇଁ ପଞ୍ଚାୟତ, ବ୍ଲକ ଓ ତହସିଲଦାରଙ୍କଠାରୁ ନିରାଶ ହେବା ପରେ ସେ ଅଭିନବ ଉପରେ ଜିଲ୍ଲାପାଳଙ୍କ ଆଗରେ ପ୍ରତିବାଦ କରିଛନ୍ତି। ଏପରି ଚିତ୍ର ଆସିଛି ରାଜ୍ୟ […]

Jajpur

  • Published: Thursday, 22 September 2022
  • , Updated: 22 September 2022, 10:27 PM IST

ଯାଜପୁର(ଯନ୍ମେଜୟ ଦାଶ): ସରକାରଙ୍କ ବ୍ୟବସ୍ଥାରେ କିଛି ନାହିଁ! ସେଥିପାଇଁ ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ଆଜି ଗୁହାରୀ କରୁଛନ୍ତି। ଆଉ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ହାରମୋନିୟମ୍‌ ବଜାଇ ଗାଉଛନ୍ତି- ହେ’ କଲେକ୍ଟର ବାବୁ ତୁମ ପାଦ ତଳେ କଲି ଜୁହାର, ଅନ୍ଧର ଦୁଃଖକୁ ଟିକେ କରିବ ଦୂର। ଘର ଖଣ୍ଡିଏ ପାଇଁ ପଞ୍ଚାୟତ, ବ୍ଲକ ଓ ତହସିଲଦାରଙ୍କଠାରୁ ନିରାଶ ହେବା ପରେ ସେ ଅଭିନବ ଉପରେ ଜିଲ୍ଲାପାଳଙ୍କ ଆଗରେ ପ୍ରତିବାଦ କରିଛନ୍ତି। ଏପରି ଚିତ୍ର ଆସିଛି ରାଜ୍ୟ ରାଜନୀତିର ତଥାକଥିତ ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ଯାଜପୁର ଜିଲ୍ଲାରୁ।

ରଗଡ଼ି ଗାଁର ପ୍ରଫୁଲ୍ଲ ଦାସ। ଜନ୍ମରୁ ଦୃଷ୍ଟି ବାଧିତ। ପରିବାର କହିଲେ କେହି ନାହାନ୍ତି। ଖଣ୍ଡେ ହେଲେ ଜମି ନାହିଁ। ଭୂମିହୀନ ପ୍ରଫୁଲ୍ଲ ସମ୍ପତ୍ତି କହିଲେ ବ୍ଲାଇଣ୍ଡ ଷ୍ଟିକ୍‌ ଓ ହାର୍‌ମୋନିୟମ୍‌। ସେହି ହାର୍‌ମୋନିୟମ୍‌ ତାଙ୍କର ବଞ୍ଚିବାର ଏକମାତ୍ର ଉତ୍ସ। ରାତି ପାହିଲେ କାନ୍ଧରେ ହାର୍‌ମୋନିୟମ୍‌ ପକାଇ ବାହାରି ଯାଆନ୍ତି। ଆଉ ଏ ଗାଁରୁ ସେ ଗାଁରେ ଘୂରି ବୁଲନ୍ତି। ହାର୍‌ମୋନିୟମ୍‌ ବଜାଇ ଗୀତ ଗାଇ ଥାଆନ୍ତି। ସରକାରଙ୍କ ଭୁଲ୍‌ଭଟକାକୁ ଶବ୍ଦରେ ଖଞ୍ଜି ସେ ଗୀତରେ ବର୍ଣ୍ଣନା କରିଥାଆନ୍ତି।

ପ୍ରଫୁଲ୍ଲଙ୍କ ଗୀତ ଶୁଣିବା ପାଇଁ ଗାଁ ଗହଳୀରେ ଲାଗିଥାଏ ଭିଡ଼। ଗୀତ ସରିବା ପରେ ଯିଏ ଯାହା ଦିଏ ତାକୁ ଧରି ବ୍ଲାଇଣ୍ଡ ଷ୍ଟିକ୍‌ର ସହାୟତା ନେଇ ଫେରି ଥାଆନ୍ତି। ଯେଉଁଠି ସଞ୍ଜ ନଇଁ ଆସେ, ସେଇଠି ରହି ଯାଉଥିଲେ। ଦିନେ ଏମିତି ଗୀତ ଗାଇ ବୁଲୁ ବୁଲୁ ପ୍ରଫୁଲ୍ଲ ପହଞ୍ଚିଲେ ଅନ୍ଧାରି ପଞ୍ଚାୟତ ମସୁରପୁର ଗାଁର କମଳିନୀ ମଲ୍ଲିକଙ୍କ ଘରେ। ତାଙ୍କ ଘର ଆଗରେ ପ୍ରଫୁଲ୍ଲ ଗୀତ ଗାଉଥିଲେ।

ପ୍ରଫୁଲ୍ଲଙ୍କ କଣ୍ଠରୁ ଝରୁଥିବା ଶବ୍ଦରେ ବାନ୍ଧି ହୋଇଯାଇଥିଲେ ବୃଦ୍ଧା କମଳିନୀ ମାଉସୀ। ଆଉ ଦରଦ କଣ୍ଠରେ ପଚାରିଲେ, ବାପା ତୋ’ ଘର କେଉଁଠି? କେଉଁଠି ରହୁଛୁ? କମଳିନୀ ମାଉସୀଙ୍କ କଥା ଶୁଣି କୋହଭରା କଣ୍ଠରେ ପ୍ରଫୁଲ୍ଲ କହିଥିଲେ, ମୋର ଘରଦ୍ୱାର କିଛି ନାହିଁ। ଟିକେ ମୁଣ୍ଡ ଗୁଞ୍ଜିବାକୁ ଦେବ। ଏତିକିରେ ଭାବପ୍ରବଣ ହୋଇପଡ଼ିଲେ କମଳିନୀ ମାଉସୀ। ଆଉ କହିଲେ, ହଉ ତୁ ରହିବୁ। ତା’ ପରଠାରୁ କମଳିନୀଙ୍କ ଭଙ୍ଗା ଦଦରା ଘରେ ରହୁଛନ୍ତି ପ୍ରଫୁଲ୍ଲ।

ପ୍ରତ୍ୟକ ଦିନ ପ୍ରଫୁଲ୍ଲ ବ୍ଲାଇଣ୍ଡ ଷ୍ଟିକ୍‌ ଓ ହାମୋନିୟମ୍‌ ଧରି ବାହାରି ଯାଆନ୍ତି। ଗୀତ ଗାଇ ଯାହା ଆଣନ୍ତି, ତାକୁ କମଳିନୀ ମାଉସୀଙ୍କୁ ଦିଅନ୍ତି। ସେଥିରେ ଚଳନ୍ତି କମଳିନୀ, ତାଙ୍କ ଭିନ୍ନକ୍ଷମ(ଚାଲି ପାରୁନାହାନ୍ତି) ଝିଅ ଓ ଦୃଷ୍ଟିଶକ୍ତି ବାଧିତ ପ୍ରଫୁଲ୍ଲ। ରହିବା ପାଇଁ ଘର ଖଣ୍ଡିଏ ନଥିବାରୁ ପ୍ରଫୁଲ୍ଲ ବହୁବାର ବ୍ଲକ ଅଫିସ୍‌ ଯାଇଥିଲେ। ହେଲେ ବିଡିଓ ବାବୁଙ୍କୁ ଦେଖା କରିବାକୁ ଦେଲେନି ଅଫିସ୍‌ର କର୍ମଚାରୀ।

୭ରୁ୮ ଥର ବ୍ଲକ ଅଫିସ୍‌ରୁ ଫେରିବା ପରେ ପ୍ରଫୁଲ୍ଲ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲାପାଳଙ୍କ ଅଫିସ୍‌କୁ ଯାଇଥିଲେ। ଅଫିସ୍‌ ବାହାରେ ହାରମୋନିୟମ୍‌ ବଜାର ଗୀତ ଗାଇଥିଲେ। କଲେକ୍ଟର ବାବୁଙ୍କ ଚରଣେ ଜୁହାର କରୁଅଛି ଅନ୍ଧ ମୁହିଁ, ହେ କଲେକ୍ଟର ବାବୁ ମୋର ଗୁହାରୀ ଶୁଣିବା ହେଉ। ବୁଲି ବୁଲି ଭିକ ମାଗୁଛି ମୁହିଁ। ସରକାରଙ୍କ ବ୍ୟବସ୍ଥା କିଛି ତ ନାହିଁ। ତହସିଲଦାରଙ୍କ ପାଖକୁ ଗଲି, ଜାଗା ପାଇଁ ଖଣ୍ଡେ ଆବେଦନ କଲି। ସେହି ଜାଗା ମିଳିଲା ନାହିଁ। ସେଥିପାଇଁ ତୁମ ଦୁଆରକୁ ଆସିଛି ଧାଇଁ। କିଛି ବୁଝିଲେନି ଆମ ସରପଞ୍ଚ ବାବୁ। ନିରାଶ ହୋଇ ଆସିଛି ଆପଣଙ୍କ ପାଖକୁ। ହେ କଲେକ୍ଟର ବାବୁ ତୁମ ପାଦ ତଳେ କଲି ଜୁହାର, ଅନ୍ଧ ଦୁଃଖକୁ ଟିକେ କରିବ ଦୂର।  ଏମିତି କେତେ କ’ଣ ଶବ୍ଦକୁ ଖଞ୍ଜି ଗୀତ ଗାଇଥିଲେ ପ୍ରଫୁଲ୍ଲ।

https://www.youtube.com/watch?v=vRS6A0S_yDI

ପ୍ରଫୁଲ୍ଲଙ୍କ ଏହି ଗୀତର ସ୍ୱର ଯାଇ ପହଞ୍ଚିଲା ଜିଲ୍ଲାପାଳଙ୍କ ପାଖରେ। ଜିଲ୍ଲାପାଳ ତାଙ୍କୁ ଡାକି କଥା ହେଲେ। କଳାକାର ଭତ୍ତା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଲେ। ଘର ପାଇଁ ବିଡିଓଙ୍କୁ ଭେଟିବାକୁ କହିଥିଲେ। ଏହା ପରେ ପ୍ରଫୁଲ୍ଲ ଆଜି କୋରାଇ ବ୍ଲକ ଅଫିସ୍‌ ଯାଇଥିଲେ। ଅଫିସ୍‌ ଆଗରେ ବସି ପୁଣି ଥରେ ଗୀତ ଗାଇଥିଲେ। କିନ୍ତୁ ବିଡିଓଙ୍କ ଦେଖା ନପାଇ ସେ ନିରାଶ ହୋଇ ଫେରିଥିବା କ୍ଷୋଭର ସହ କହିଛନ୍ତି।

Related story