ସୋନପୁର (ରବୀନ୍ଦ୍ର ହୋତା): ଦୁଇ ଦିନ ଧରି ଜଳ ବନ୍ଦୀ ଜୀବନ କାଟୁଥିଲେ ୧୦୦୦ରୁ ଅଧିକ ଗାଁ ଲୋକ। ସ୍ଥାନୀୟ ପ୍ରଶାସନ ସେଠାରେ ପାରିଲାନି। ହେଲେ ଆଜି ସକାଳେ ଦେଶୀ ଡଙ୍ଗା ବାହି ପ୍ରଭାବିତ ଗାଁରେ ପହଞ୍ଚିଲେ ବ୍ଲକ୍ ଉପାଧ୍ୟକ୍ଷ। ଆଉ ସାଙ୍ଗରେ ନେଇଥିବା ବିସ୍କୁଟ ଗାଁ ପିଲାଙ୍କୁ ବଣ୍ଟିଲେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ।
ମହାନଦୀ କୂଳରେ ରହିଛି ବୀରମହାରାଜପୁର ବ୍ଲକ ଖମ୍ବଶିରିପାଲି ଗାଁ। ଲଗାଣ ବର୍ଷା ଓ ହୀରକୁଦରୁ ନିଷ୍କାସିତ ହୋଇଥିବା ପାଣି ଗାଁରେ ପ୍ରବେଶ କରିଥିଲା। ବନ୍ୟା ପାଣି କାହାରି ଘରେ ପଶି ନଥିଲେ ମଧ୍ୟ ଖମ୍ବଶିରିପାଲି ଗାଁ ଚାରି ପାର୍ଶ୍ୱରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଦୁଇ ଦିନ ଧରି ଗାଁର ୧୦୦୦ରୁ ଅଧିକ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି।
ଆଜି ଏ ସମ୍ପର୍କରେ ଖବର ପାଇ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟାଣ ଲୁହା ମାଛ ଧରା ଦେଶୀ ଡଙ୍ଗା ବାହି ଖମ୍ବଶିରିପାଲି ଗାଁରେ ପହଞ୍ଚିଥିଲେ। ସେ ଗାଁ ଲୋକଙ୍କ କଥା ବୁଝିବା ସହିତ ସାଥୀରେ ନେଇଥିବା ବିସ୍କୁଟ୍ ପିଲାମାନଙ୍କୁ ବାଣ୍ଟି ଥିଲେ। ନିଜସ୍ୱ ଉଦ୍ୟମରେ ସେ ଏହି ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାରୁ ପ୍ରକାଶ, ବନ୍ୟାରେ ବୀରମହାରାଜପୁର ବ୍ଲକର ୧୪ଟି ଗାଁ ପ୍ରଭାବିତ ହୋଇଛି। ୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସେଥିରୁ ୪ଟି ଗାଁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି। ଏବେ ମଧ୍ୟ ଖମ୍ବଶିରିପାଲି ଗାଁ ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏପରି ସ୍ଥିତିରେ ଆଜି ରାତି ସୁଦ୍ଧା ୪୦ ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ପାଣି ନିଷ୍କାସନ ହେଲେ, ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି।