ବ୍ରଜରାଜନଗର: ଭୋଟ ହାର ୭୧.୫୩%, ମତଦାନ କମିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ମଙ୍ଗଳବାର ହୋଇଥିବା ଭୋଟଗ୍ରହଣରେ ମୋଟ ୭୧.୫୩% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନରେ ଭୋଟ ହାର ବେଶ୍ ହ୍ରାସ ପାଇଥିବା ଜଣାପଡ଼ିଛି। ଚଳିତ ଉପନିର୍ବାଚନରେ ମୋଟ ୧.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ବୁଧବାର ଜାରି ସୂଚନା ଅନୁସାରେ, ବ୍ରଜରାଜନଗର ବିଧାନସଭା ମଣ୍ଡଳୀରେ ମୋଟ ୧ଲକ୍ଷ ୧୦ହଜାର ୫୦ଜଣ ପୁରୁଷ ଓ […]

Odisha

Ordigital Desk
  • Published: Wednesday, 01 June 2022
  • , Updated: 01 June 2022, 06:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ମଙ୍ଗଳବାର ହୋଇଥିବା ଭୋଟଗ୍ରହଣରେ ମୋଟ ୭୧.୫୩% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନରେ ଭୋଟ ହାର ବେଶ୍ ହ୍ରାସ ପାଇଥିବା ଜଣାପଡ଼ିଛି। ଚଳିତ ଉପନିର୍ବାଚନରେ ମୋଟ ୧.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ବୁଧବାର ଜାରି ସୂଚନା ଅନୁସାରେ, ବ୍ରଜରାଜନଗର ବିଧାନସଭା ମଣ୍ଡଳୀରେ ମୋଟ ୧ଲକ୍ଷ ୧୦ହଜାର ୫୦ଜଣ ପୁରୁଷ ଓ ୧ଲକ୍ଷ ୪ହଜାର ୮୧୧ଜଣ ମହିଳା ଏବଂ ୧୭ଜଣ କିନ୍ନର ଭୋଟରଙ୍କୁ ମିଶାଇ ମୋଟ ୨ଲକ୍ଷ ୧୪ହଜାର ୮୭୮ଜଣ ଭୋଟର ଅଛନ୍ତି । ତେବେ ଗତକାଲି ଶେଷ ହୋଇଥିବା ଉପନିର୍ବାଚନରେ ସେମାନଙ୍କ ମଧ୍ୟରୁ ମାତ୍ର ୮୦,୮୪୮ଜଣ ପୁରୁଷ ଓ ୭୨,୮୬୫ଜଣ ମହିଳା ଏବଂ ୩ଜଣ କିନ୍ନର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ତେବେ ଏହି ନିର୍ବାଚନମଣ୍ଡଳୀରେ ୨୦୧୯ ବିଧାନସଭା ନିର୍ବାଚନରେ ମୋଟ ୭୭.୯ ପ୍ରତିଶତ ଓ ୨୦୧୪ ବିଧାନସଭା ନିର୍ବାଚନରେ ପ୍ରାୟ ୭୭.୨୦ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଉପନିର୍ବାଚନରେ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିବାକୁ ଆଗ୍ରହ ଦେଖାଇ ନାହାନ୍ତି । ଶାସକ ଦଳର ପୁଳାପୁଳା ମନ୍ତ୍ରୀ, ବିଧାୟକ ଓ ନେତାମାନେ ସେଠାରେ ୧୫ରୁ ୨୦ଦିନ ଧରି ଡେରା ପକାଇଥିଲେ ମଧ୍ୟ ଅଧିକ ସଂଖ୍ୟକ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଆଣିବାରେ ସେମାନେ ବିଫଳ ହୋଇଛନ୍ତି।

ଆସନ୍ତା ଶୁକ୍ରବାର(ଜୁନ୍ ୩)ରେ ଏହି ଉପନିର୍ବାଚନ ପାଇଁ ଭୋଟଗଣତି ହେବା ସହ ଫଳାଫଳ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନମଣ୍ଡଳୀର ମୋଟ ୧ଲକ୍ଷ ୫୩ହଜାର ୭୧୬ଜଣ ଭୋଟର ଏହି ଉପନିର୍ବାଚନରେ ୨୭୯ଟି ମତଦାନ କେନ୍ଦ୍ରରେ ମୋଟ ୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରଛନ୍ତି । ଆସନ୍ତା ଜୁନ୍ ୩ ତାରିଖରେ ଭୋଟ ଗଣତି ହେବ । ନିର୍ବାଚନ ମଇଦାନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜାଳାନାଙ୍କ ସମେତ ଅବ୍ୟୟଭାରତୀ ଶେଖାୱତ ରାଜପୁତ ଜୈନ, ମନୋଜ ମେହେର, ଆଦିତ୍ୟ ପ୍ରଧାନ, ଦିନବନ୍ଧୁ ବିଶ୍ୱାଳ,ସୀତାରାମ ବେହେରା ଓ ସୁପ୍ରିତ କୁମାର ବେହେରା ଥିବାବେଳେ ଲଢ଼େଇ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି।

Related story