ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଧରା ପଡ଼ିଲା ଧଳ ଜହର କାରବାରର ଏକ ବଡ଼ ରାକେଟ୍। ଏଥର ଶହେ କି ଦୁଇ ଶହ ଗ୍ରାମ ନୁହେଁ, ଏକାଥରେ ଜବତ ହେଲା ୧ କିଲୋ ୩୨୫ ଗ୍ରାମ ବ୍ରାଉନସୁଗର । ବାଲେଶ୍ୱରରୁ ଗିରଫ ଜଣେ ବ୍ୟବସାୟୀଙ୍କଠୁ ଜବତ ଏହି ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ ।
ଗିରଫ ବ୍ୟବସାୟୀଙ୍କୁ ଭୁବନେଶ୍ୱର ଆଣି କ୍ରାଇମବ୍ରାଞ୍ଚ STF ଟିମ୍ ପଚରାଉଚରା କରୁଛି । ଏତେ ପରିମାଣର ବ୍ରାଉନସୁଗର ସେ କେଉଁଠୁ ଆଣିଲେ, କାହାକୁ ବିକ୍ରି କରିଥାନ୍ତେ, ପଛରେ ଆଉ କିଏ କିଏ ସାମିଲ ଅଛନ୍ତି, ସବୁ ଘଟଣାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ STF ।
ଗତକାଲି ବାଲେଶ୍ୱର ସହରରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରିଥିଲା ଭୁବନେଶ୍ୱର ଏସଟିଏଫ୍ ଟିମ୍ । ଗିରଫ ବ୍ୟକ୍ତି ଜଣଙ୍କ ସହରର ବସଷ୍ଟାଣ୍ଡ ଅଞ୍ଚଳର ବ୍ୟବସାୟୀ । ସେ କେଉଁ ଭଳି ଭାବେ ଏତେ ପରିମାଣର ବ୍ରାଉନସୁଗର ରଖିଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
ଗତ କିଛି ବର୍ଷରେ ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ଧଳା ଜହର କାରବାର ସକ୍ରିୟ ହୋଇଛି । ପଶ୍ଚିମବଙ୍ଗରୁ ବାଲେଶ୍ୱର ଦେଇ ବ୍ରାଉନସୁଗର ଖୋର୍ଦ୍ଧା ଜିଲ୍ଲାକୁ ଆସୁଛି । ତେବେ ଏହି ବ୍ୟବସାୟୀ ପଛରେ କିଛି ପୁଲିସ୍ ଅଧିକାରୀଙ୍କ ସଂପୃକ୍ତି ଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ଅଭିଯୋଗ ହେବା ପରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କୁ ସଂପୃକ୍ତି ନେଇ ତାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି।