ନିର୍ବାଚନ ଆଚରଣ ବିଧି ଲାଗୁ, ସମୟ ପାଇଲାନି ଶାସକ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ସେପ୍ଟେମ୍ବର ୧୯ରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ମୃତ୍ୟୁ ଓ ୨୨ ତାରିଖରେ ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବାର ୧୮ଦିନ ପରେ ଆଜି ଧାମନଗର ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ଶାସକ ବିଜେଡିର ସବୁ ଅଙ୍କ ଗୋଳିଆ କରିଦେଇଛି । ମାତ୍ର ଧାମନଗର ବିଧାନସଭା ଆସନର […]

dhamnagar

Ordigital Desk
  • Published: Monday, 03 October 2022
  • , Updated: 03 October 2022, 09:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ସେପ୍ଟେମ୍ବର ୧୯ରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ମୃତ୍ୟୁ ଓ ୨୨ ତାରିଖରେ ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବାର ୧୮ଦିନ ପରେ ଆଜି ଧାମନଗର ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ଶାସକ ବିଜେଡିର ସବୁ ଅଙ୍କ ଗୋଳିଆ କରିଦେଇଛି । ମାତ୍ର ଧାମନଗର ବିଧାନସଭା ଆସନର ବିଧାୟକ ଶ୍ରୀ ସେଠୀଙ୍କ ମୃତ୍ୟୁକୁ ଏକମାସ ନପୁରୁଣୁ ନିର୍ବାଚନ ତାରିଖ ଘୋଷଣା ହୋଇଯିବା ରାଜନୀତିକ ଦଳଗୁଡ଼ିକ ପାଇଁ ଅଡ଼ୁଆ ବଢ଼ାଇ ଦେଇଛି ।

୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ୫ଟି ଉପନିର୍ବାଚନ ହୋଇସାରିଲାଣି ତଥା ଆଗୁଆ ପ୍ରସ୍ତୁତି, ସ୍ୱତନ୍ତ୍ର ପ୍ୟାକେଜ୍ ଆଦି ଘୋଷଣା ସହ କଳବଳକୌଶଳ କରି ବିଜେଡି ଏସବୁ ଆସନକୁ ହାତେଇବାରେ ସକ୍ଷମ ହୋଇଛି । ବିଜେପୁର ଉପନିର୍ବାଚନରେ ଭୋଟରଙ୍କୁ ନିର୍ବାଚନମଣ୍ଡଳୀର ଦାୟିତ୍ୱ ନିଜେ ନେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଲେ । ସେହିପରି ତିର୍ତ୍ତୋଲ,ବାଲେଶ୍ୱର, ପିପିଲି ଓ ବ୍ରଜରାଜନଗର ଆସନରେ ଉପନିର୍ବାଚନବେଳେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବାର କୌଣସି ସୁଯୋଗକୁ ଶାସକ ବିଜେଡି ହାତଛଡ଼ା କରିନଥିଲା । ଅବଶ୍ୟ ଏହି ସବୁ ଉପନିର୍ବାଚନବେଳେ ଶାସକ ବିଜେଡି ପାଖରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟାପ୍ତ ସମୟ ରହିଥିଲା । ମାତ୍ର ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ଶାସକ ଦଳ ପାଖରେ ଏସବୁର ବାଟ ବନ୍ଦ ହୋଇସାରିଛି ।

ଧାମନଗର ନିର୍ବାଚନମଣ୍ଡଳୀରେ ଶାସକ ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ରହିଥିବାବେଳେ ବିଜେପିର ସଂଗଠନ ବେଶ୍ ସୁଦୃଢ଼ ରହିଛି । ତା’ଛଡ଼ା ଶ୍ରୀ ସେଠୀଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହେବାର ସକରାତ୍ମକ ସନ୍ଦେଶ ମଧ୍ୟ ଧାମନଗରବାସୀଙ୍କୁ ମିଳିଛି । ଶ୍ରୀ ନଡ୍ଡାଙ୍କ ଗସ୍ତ ଓ ବିଷ୍ଣୁଙ୍କ ଲୋକପ୍ରିୟତାକୁ ଦେଖି ଶାସକ ବିଜେଡି ନିଜର ଗୋଟିଚାଳନା କରିଥିଲେ ମଧ୍ୟ ତା’ପୂର୍ବରୁ ନିର୍ବାଚନ ତାରିଖ ଘୋଷଣା ହୋଇଯିବା ଶାସକ ଦଳକୁ ଅଡ଼ୁଆରେ ପକାଇଥିବା ଚର୍ଚ୍ଚା । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୧୭ ଥିବାବେଳେ ରାଜନୀତିକ ଦଳଗୁଡ଼ିକୁ ମାତ୍ର ୧୫ଦିନ ପ୍ରଚାର ପାଇଁ ସମୟ ମିଳିବ ।

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଧାମନଗର ଆସନ ପାଇଁ ଅକ୍ଟୋବର ୭ ତାରିଖ (ଶୁକ୍ରବାର) ଗେଜେଟ୍ ବିଜ୍ଞପ୍ତି, ଅକ୍ଟୋବର ୧୪ରେ (ଶୁକ୍ରବାର) ନାମାଙ୍କନ ପତ୍ର ଦାଖଲ ଶେଷ,୧୫ ରେ (ଶନିବାର) ନାମାଙ୍କନ ପତ୍ର ଯାଂଚ, ୧୭ ତାରିଖରେ (ସୋମବାର) ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଓ ନଭେମ୍ବର ୩ ତାରିଖ (ଗୁରୁବାର) ଭୋଟ ଗ୍ରହଣ ହେବ । ନଭେମ୍ବର ୬ରେ ଗଣତି ଓ ଫଳାଫଳ ଘୋଷଣା ସହ ନଭେମ୍ବର ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ପ୍ରାର୍ଥୀ, ସମସ୍ତ ରାଜନୈତିକ ଦଳମାନଙ୍କ କ୍ଷେତ୍ରରେ ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ସଂପୂର୍ଣ୍ଣ ଭାବେ ଲାଗୁ କରାଯାଇଛି । ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟମାନଙ୍କ କ୍ଷେତ୍ରରେ ମଧ୍ୟ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ସୂଚନାରେ ଦର୍ଶାଯାଇଛି ।

https://twitter.com/IPR_Odisha/status/1576953267334295554?s=20&t=hS2WPvR25QykeOIxecUkag

Related story