ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାତିଅଧିଆ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ବିଚାରବିମର୍ଶ ସହ ସଂକଳ୍ପ ପ୍ରସ୍ତାବ ଓ ଚୀନ ସେନା ଆକ୍ରମଣରେ ଶହୀଦ ଯବାନଙ୍କ ସମ୍ମାନରେ ୨ମିନିଟର ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା।
କ୍ୟାବିନେଟ୍ ବୈଠକ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, କ୍ୟାବିନେଟ ବୈଠକ ଆରମ୍ଭରେ ଚୀନ ସେନା ଆକ୍ରମଣରେ ଶହୀଦ ହୋଇଥିବା ୨ ଓଡ଼ିଆ ଯବାନ ନନ୍ଦୁରାମ ସୋରେନ୍ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ ୨୦ଜଣ ବୀର ସୈନିକଙ୍କ ସମ୍ମାନରେ ୨ମିନିଟର ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ତା’ପରେ ରାଜ୍ୟର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଆଜି ଦେଇଥିବା ରାୟ ସମ୍ପର୍କରେ କ୍ୟାବିନେଟକୁ ଅବଗତ କରାଇଥିଲେ। ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ କ୍ୟାବିନେଟ୍ ବିସ୍ତୃତ ଭାବେ ଆଲୋଚନା କରିବା ପରେ ଏକ ସଂକଳ୍ପ ପ୍ରସ୍ତାବ ଆଗତ ହୋଇଥିଲା। ସଂକଳ୍ପରେ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିର ପରିସରରେ ସମସ୍ତ ପ୍ରକାରର ନିର୍ଦ୍ଦେଶାବଳୀର ଅନୁପାଳନ ସହିତ ସମସ୍ତ ରୀତିନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସୂଚିତ କରାଗଲା। ଏହାସହିତ ବିଭିନ୍ନ ଜିଲ୍ଲାରେ ଥିବା ପରିଚାଳନା କମିଟି ଓ ଅନୁଷ୍ଠାନଗୁଡ଼ିକ ଯେପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ତାହା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ନିର୍ଦ୍ଧାରିତ ସମୟର ପ୍ରାୟ ୧୫ମିନିଟ ବିଳମ୍ବରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ ବୈଠକରେ ସାମିଲ ହୋଇଥିବାବେଳେ ଲୋକସେବା ଭବନରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ବିକ୍ରମ କେଶରୀ ଆରୁଖ୍ ପ୍ରମୁଖଙ୍କ ସମେତ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷ୍ଣନ୍ , ଉନ୍ନୟନ କମିଶନର ତଥା ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ଅର୍ଥ ସଚିବ ଅଶୋକ କୁମାର ମୀନା, ଶ୍ରୀମନ୍ଦିର ପ୍ରଶାସକ କ୍ରିଷ୍ଣନ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।