ଓଡ଼ିଶା ବନ୍ଦର ନୀତି ଓ ରାଜ୍ୟ ଶିଶୁ ନୀତି-୨୦୨୨କୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ବନ୍ଦର ଓ ନୌବାଣିଜ୍ୟ ପରିବହନ ଆଦିର ସାମଗ୍ରିକ ବିକାଶ ତଥା ରାଜ୍ୟର ଆଭ୍ୟନ୍ତରୀଣ ଜଳପଥଗୁଡ଼ିକର ସମନ୍ୱିତ ବିକାଶ ପାଇଁ ‘ଓଡ଼ିଶା ବନ୍ଦର ନୀତି-୨୦୨୨’ ପ୍ରଣୟନ କରାଯାଇଛି । ରାଜ୍ୟ କ୍ୟାବିନେଟ୍ ଆଜି ଏହି ନୂତନ ବନ୍ଦର ନୀତିକୁ ଅନୁମୋଦନ କରିଛନ୍ତି । ସେହିପରି ଶିଶୁଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସବୁ ବିଭାଗ ଓ ସଂଗଠନଗୁଡ଼ିକର ସହଯୋଗରେ ରାଜ୍ୟର ପିଲାମାନଙ୍କ ପାଇଁ ରାଜ୍ୟ ଶିଶୁ ନୀତି-୨୦୨୨(ପ୍ରାରମ୍ଭ) ପ୍ରସ୍ତୁତ ହୋଇଛି । ଆଜି […]

secretariat

secretariat

Ordigital Desk
  • Published: Friday, 18 November 2022
  • Updated: 18 November 2022, 10:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ବନ୍ଦର ଓ ନୌବାଣିଜ୍ୟ ପରିବହନ ଆଦିର ସାମଗ୍ରିକ ବିକାଶ ତଥା ରାଜ୍ୟର ଆଭ୍ୟନ୍ତରୀଣ ଜଳପଥଗୁଡ଼ିକର ସମନ୍ୱିତ ବିକାଶ ପାଇଁ ‘ଓଡ଼ିଶା ବନ୍ଦର ନୀତି-୨୦୨୨’ ପ୍ରଣୟନ କରାଯାଇଛି । ରାଜ୍ୟ କ୍ୟାବିନେଟ୍ ଆଜି ଏହି ନୂତନ ବନ୍ଦର ନୀତିକୁ ଅନୁମୋଦନ କରିଛନ୍ତି । ସେହିପରି ଶିଶୁଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସବୁ ବିଭାଗ ଓ ସଂଗଠନଗୁଡ଼ିକର ସହଯୋଗରେ ରାଜ୍ୟର ପିଲାମାନଙ୍କ ପାଇଁ ରାଜ୍ୟ ଶିଶୁ ନୀତି-୨୦୨୨(ପ୍ରାରମ୍ଭ) ପ୍ରସ୍ତୁତ ହୋଇଛି । ଆଜି ଏହି ନୂଆ ଶିଶୁ ନୀତିକୁ ମଧ୍ୟ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଓଡ଼ିଶା ବନ୍ଦର ନୀତି-୨୦୦୪ ପରିବର୍ତ୍ତେ ରାଜ୍ୟରେ ନୂଆ ବନ୍ଦର ନୀତି-୨୦୨୨ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହି ନୀତି ଦ୍ୱାରା ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ଓଡ଼ିଶା ଉପକୂଳରେ ସ୍ଥାୟୀ ସାମୁଦ୍ରିକ ବିକାଶ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ସାମୁଦ୍ରିକ ଜାହାଜ ପରିବହନ, ସାମୁଦ୍ରିକ ପର୍ଯ୍ୟଟନକୁ ପ୍ରୋତ୍ସାହନ, ବହୁମୁଖୀ ବନ୍ଦର ନିର୍ମାଣ, ସମୁଦ୍ର-ବିମାନ ସଂଯୋଗ ଇତ୍ୟାଦି ସୁବିଧା ପ୍ରଦାନ ତଥା ଜାହାଜ ନିର୍ମାଣ, ଜାହାଜ ପୁନଃବିନିଯୋଗ ଉଦ୍ୟୋଗ ପାଇଁ ଭିତ୍ତିଭୂମି ସୃଷ୍ଟି ଆଦିରେ ଏହି ନୂଆ ନୀତି ସହାୟକ ହେବ । ରାଜ୍ୟର ସାମୁଦ୍ରିକ କ୍ଷେତ୍ରକୁ ବ୍ୟବସାୟିକ ପୁଞ୍ଜି ନିବେଶ ନିମନ୍ତେ ପ୍ରୋତ୍ସାହିତ କରିବା, ଓଡ଼ିଶାକୁ ଏକ ଅନୁକୂଳ ପୁଞ୍ଜି ବିନିଯୋଗ ସ୍ଥଳ ଭାବେ ମାନ୍ୟତା ପ୍ରଦାନ କରାଇବା ସହ ଓଡ଼ିଶାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ନିମନ୍ତେ ଏହି ନୀତିର ଆବଶ୍ୟକତା ରହିଛି ।

ସବୁ ବିଭାଗରେ ଶିଶୁଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ମିଶାଇ ନୂଆ ଶିଶୁ ନୀତି କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ଶିଶୁ ନୀତି-୨୦୨୨(ପ୍ରାରମ୍ଭ) ମାଧ୍ୟମରେ ପିଲାମାନଙ୍କର ବଂଚିବାର ଅଧିକାର, ଉତ୍ତମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ, ଶିକ୍ଷା, ଅଂଶଗ୍ରହଣର ଅଧିକାର ସୁନିଶ୍ଚିତ କରି ସର୍ବୋଚ୍ଚ ବିକାଶ ପାଇଁ ଆବଶ୍ୟକ ସଫଳତା ଉପରେ ଧ୍ୟାନ ଦିଆଯିବ । ଏହି ନୀତି ଅନ୍ତର୍ଗତ ମା’ ଗର୍ଭରୁ ୧୮ବର୍ଷ ବୟସର ଶିଶୁଙ୍କ ନିମନ୍ତେ ଉଦ୍ଦିଷ୍ଟ । ଏହି ନୀତିର ନିୟାମବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଓ ଯୋଜନା ଏହି ନୀତି ବିଜ୍ଞପ୍ତିର ଏକ ବର୍ଷ ମଧ୍ୟରେ ଆରମ୍ଭ ହେବ । ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ବିଭାଗ ଓ ସଂଗଠନ ଏକ ସମ୍ମିଶ୍ରଣ ଆଭିମୁଖ୍ୟ ମାଧ୍ୟମରେ ରାଜ୍ୟସ୍ତରରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବେ । ଯାହାଦ୍ୱାରା ସେମାନଙ୍କର ପ୍ରତିବଦ୍ଧତାକୁ ରାଜ୍ୟରେ ଶିଶୁମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ କାର୍ଯ୍ୟକାରୀ କରାଯାଇ ପାରିବ ।

ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ବୈଷୟିକ ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ଓୟୁଟିଆର)ର ରୂପାନ୍ତର ନିମନ୍ତେ ୧୫୦୦କୋଟି ଟଙ୍କା ବ୍ୟୟର ମାଷ୍ଟରପ୍ଲାନକୁ ମଞ୍ଜୁରୀ ମିଳିଛି । କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)କୁ ରାଜ୍ୟ ସରକାର ଓୟୁଟିଆର ଭାବେ ବିକଶିତ କରିବାକୁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି । ଏଥିରେ ୫ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ହଜାରରୁ ୧୦ହଜାରକୁ ବୃଦ୍ଧି କରାଯିବ । ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ । ବିଶେଷକରି ଇଞ୍ଜିନିୟରିଂ, ଟେକ୍ନୋଲୋଜି ଓ ଆଇଟି କ୍ଷେତ୍ରରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଉନ୍ନତ ବୈଷୟିକ ଜ୍ଞାନକୌଶଳର ଲାଭ ଏଠାରେ ପାଇପାରିବେ । ଏହି ଅନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୧୫୦୦କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ଅନୁଷ୍ଠାନରେ ଗବେଷଣା, ଡକ୍ଟରେଟ୍ ଆଦି ଉପରେ ଗୁରୁତ୍ୱ ଦିଆଯିବ ।

କ୍ୟାପଟିଭ ଗ୍ରାହକଙ୍କ ଉପରେ ଅନାଦେୟ ହୋଇ ପଡ଼ିରହିଥିବା ପ୍ରାୟ ୧୫୦୦କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ (ମୂଳ ଓ ସୁଧ)କୁ ୱାନ୍ ଟାଇମ୍ ସେଟେଲମେଂଟ(ଓଟିଏସ) ଆଧାରରେ ଆଦାୟ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । କୋଭିଡ୍ ମହାମାରୀ ପରବର୍ତ୍ତୀ ସମୟରେ ରାଜ୍ୟର ବୃହତ୍ ଶିଳ୍ପ ସଂସ୍ଥାଗୁଡ଼ିକର ଆର୍ଥିକ ପୁନରୁଦ୍ଧାର ପାଇଁ ଏହା ମଧ୍ୟ ସହାୟକ ହେବ ବୋଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ।

କୋଭିଡ୍ ମହାମାରୀ ସମୟରେ ଜିଲ୍ଲା ମୁଖ୍ୟାଳୟ ଓ ମେଡିକାଲ କଲେଜଗୁଡ଼ିକରେ ଦୈନିକ ମଜୁରୀ ଓ କୋଭିଡ୍ ଭତ୍ତା ଆଧାରରେ ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ଲାବ୍ରୋଟୋରୀ ଟେକନିସିଆନ୍‌, ରେଡିଓଗ୍ରାଫର, ନର୍ସ ଆଦିମାନଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ମିଳିଥିଲା । ପରବର୍ତ୍ତୀ ସମୟରେ ସ୍ଥିତି ସ୍ୱାଭାବିକ ହେବା ପରେ ସେମାନଙ୍କ ଅସ୍ଥାୟୀ ନିଯୁକ୍ତିକୁ ହ୍ରାସ କରାଯାଇଥିଲା । ତେବେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ମହାମାରୀ ସମୟରେ ସର୍ବନିମ୍ନ ୩ମାସ ଡ୍ୟୁଟି କରିଥିବା ଏହି ବର୍ଗର କର୍ମଚାରୀମାନଙ୍କୁ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ନିଯୁକ୍ତି ପ୍ରକ୍ରିୟାରେ ୫% ଅତିରିକ୍ତ ମାର୍କ ମିଳିବ । ଏଥିପାଇଁ ରାଜ୍ୟ ନିଯୁକ୍ତି ପରୀକ୍ଷାରେ ସ୍ୱଳ୍ପକାଳୀନ କୋଭିଡ-୧୯ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ଅତିରିକ୍ତ ମାର୍କ ପ୍ରଦାନ ନିୟମାବଳୀ-୨୦୨୨ର ପ୍ରଣୟନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଗ୍ରୁପ୍‌ ବି ଓ ସି ବର୍ଗର ସ୍ୱତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତି ନିମନ୍ତେ କମ୍ବାଇନଡ୍ ଗ୍ରାଜୁଏଟ ଲେଭଲ ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ର ପ୍ରଣୟନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ସେହିପରି ୮ଜଣ ୱାର୍କ ଚାର୍ଜ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଚାକିରିକୁ ନିୟମିତ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos