ସିଏଜି ଧରିଲେ ୯୬୪କୋଟି ଟଙ୍କାର କେଳେଙ୍କାରୀ, ହିସାବ ଦେଲେନି ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଡିଟବେଳେ ସିଏଜି ୯୬୪ କୋଟି ୩୩ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଚୋରି,ତୋଷାରପାତ, ଅପବ୍ୟବହାର ଭଳି ଗୁରୁତର ଅନିୟମିତତା ଧରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସିଏଜି ଅବଗତ କରି ଜବାବ ମାଗିଥିଲେ ମଧ୍ୟ ସରକାର ଏହି ଅଡିଟ୍ ରିପୋର୍ଟ(ନିରୀକ୍ଷଣ ରିପୋର୍ଟ) ଉପରେ କୌଣସି ଉତ୍ତର ରଖିନଥିଲେ କି ଏହାକୁ ଅସ୍ୱୀକାର ମଧ୍ୟ କରିନଥିଲେ। ଏପରିକି ରେଗୁଲେସନ୍ ଅନ୍ ଅଡିଟ୍ ଆଣ୍ଡ ଆକାଉଣ୍ଟସ-୨୦୦୭କୁ ମଧ୍ୟ  ରାଜ୍ୟ ସରକାର ଗୁରୁତ୍ୱ ଦେଇ […]

Tapas Behera
  • Published: Tuesday, 06 October 2020
  • , Updated: 06 October 2020, 08:49 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଡିଟବେଳେ ସିଏଜି ୯୬୪ କୋଟି ୩୩ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଚୋରି,ତୋଷାରପାତ, ଅପବ୍ୟବହାର ଭଳି ଗୁରୁତର ଅନିୟମିତତା ଧରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସିଏଜି ଅବଗତ କରି ଜବାବ ମାଗିଥିଲେ ମଧ୍ୟ ସରକାର ଏହି ଅଡିଟ୍ ରିପୋର୍ଟ(ନିରୀକ୍ଷଣ ରିପୋର୍ଟ) ଉପରେ କୌଣସି ଉତ୍ତର ରଖିନଥିଲେ କି ଏହାକୁ ଅସ୍ୱୀକାର ମଧ୍ୟ କରିନଥିଲେ। ଏପରିକି ରେଗୁଲେସନ୍ ଅନ୍ ଅଡିଟ୍ ଆଣ୍ଡ ଆକାଉଣ୍ଟସ-୨୦୦୭କୁ ମଧ୍ୟ  ରାଜ୍ୟ ସରକାର ଗୁରୁତ୍ୱ ଦେଇ ନଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୮ ମାର୍ଚ୍ଚରେ ସମାପ୍ତ ବର୍ଷ ପାଇଁ ସାଧାରଣ ଓ ସାମାଜିକ କ୍ଷେତ୍ରର ସିଏଜି ରିପୋର୍ଟକୁ ଉପସ୍ଥାପନ କରିଥିଲେ। ଏହି ରିପୋର୍ଟ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଏଜି କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଦେଣନେଣରେ ଧାର୍ଯ୍ୟ ନିୟମଗୁଡ଼ିକର ଅନୁପାଳନ ଓ  ପଦ୍ଧତି ଅନୁସାରେ ଗୁରୁତ୍ୱପୂର୍ଣ୍ଣ ହିସାବ ସମ୍ପର୍କିତ ତଥା ଅନ୍ୟାନ୍ୟ ନଥିପତ୍ରଗୁଡ଼ିକର ପ୍ରଚଳନ ବିଷୟକୁ ସମୀକ୍ଷା ସିଏଜି କରିଥାନ୍ତି। ସମୀକ୍ଷା ଶେଷ ହେବାପରେ ନିରୀକ୍ଷଣ ରିପୋର୍ଟକୁ ଅଡିଟ୍ କରାଯାଇଥିବା କାର୍ଯ୍ୟାଳୟର ମୁଖ୍ୟଙ୍କ ନିକଟକୁ ପଠାଇବା ସହ ଏହାର ନକଲ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଯାଇଥାଏ। ନିରୀକ୍ଷଣ ସମୟରେ ଚିହ୍ନଟ ହୋଇଥିବା ଗୁରୁତର ଅନିୟମିତତାକୁ ସିଏଜିଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଅଣାଯାଇଥାଏ।
ତେବେ ୨୦୧୮ ଜୁନ୍ ଶେଷ ସୁଦ୍ଧା ୨୪ଟି ବିଭାଗ ଅନ୍ତର୍ଗତ ୩୨୦୪ଟି କାର୍ଯ୍ୟାଳୟର ଅଡିଟ୍ ରିପୋର୍ଟ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଜବାବ ଦିଆଯାଇନଥିଲା। ଯଦିଓ ରେଗୁଲେସନ୍ ଅନ୍ ଅଡିଟ୍ ଆଣ୍ଡ ଆକାଉଣ୍ଟସ-୨୦୦୭ ଅନୁସାରେ ନିରୀକ୍ଷଣ ସଂସ୍ଥା ଦାୟିତ୍ୱରେ ଥିବା ଅôଧକାରୀ ନିରୀକ୍ଷଣ ରିପୋର୍ଟ ସମ୍ପର୍କିତ ଜବାବ ୪ସପ୍ତାହ ମଧ୍ୟରେ ଦାଖଲ କରିବା ଜରୁରୀ। ଅଡିଟ୍ ରିପୋର୍ଟର ସତ୍ୟାସତ୍ୟକୁ ସ୍ୱୀକାର ଅବା ଅସ୍ୱୀକାର କରି ୬ ସପ୍ତାହ ମଧ୍ୟରେ ଅଡିଟକୁ ସରକାର ଜଣାଇବା ଆବଶ୍ୟକ। କିନ୍ତୁ ପ୍ରାଥମିକ ଅଡିଟ୍ ରିପୋର୍ଟର ୩ମାସ ପରେ ବି କୌଣସି ଜବାବ ମିଳିଲା ନାହିଁ। ଏପରିକି ଏସବୁ ଅମୀମାଂସିତ ଅଡିଟ୍ ରିପୋର୍ଟର ସ୍ଥିତି ବିଷୟ ଉଲ୍ଲେଖ ଖାଇ ପ୍ରତି ଛଅମାସରେ ସମ୍ପୃକ୍ତ ବିଭାଗର ସଚିବଙ୍କ ନିକଟକୁ ଏହା ପଠାଯାଇଥାଏ।
ସିଏଜିଙ୍କ ରିପୋର୍ଟ ଅନୁସାରେ ସରକାରୀ ପାଣ୍ଠିର ଚୋରି/ତୋଷାରପାତ ଓ ଅପବ୍ୟବହାର ସମ୍ପର୍କିତ ୨୨ଟି ବିଭାଗର ୯୬୪.୩୩କୋଟି ଟଙ୍କାର ଅଡିଟ ରିପୋର୍ଟକୁ ନେଇ ସରକାର ନିରବ ରହିଛନ୍ତି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ସର୍ବାଧିକ  ୨୪୪.୮୩କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନର ୧୧୫.୮୬କୋଟି ଟଙ୍କା, ପଂଚାୟତିିରାଜର ୧୬୦.୯୫କୋଟି  ଟଙ୍କା,ନଗର ଉନ୍ନୟନ ବିଭାଗର ୭୯.୮୬କୋଟି ଟଙ୍କା, ଗୃହ ବିଭାଗର ୮୬.୦୭କୋଟି ଟଙ୍କାର ହିସାବ ସରକାର ଦେଇନାହାନ୍ତି।
ସିଏଜି ତାଙ୍କ ରିପୋର୍ଟରେ ଏନେଇ ସରକାରଙ୍କୁ ସୁପାରିସ କରି କହିଛନ୍ତି ଯେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଅଡିଟ୍ ରିପୋର୍ଟର ଜବାବ ଦାଖଲରେ ବିଫଳ ହୋଇଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, କ୍ଷତି-ଅଗ୍ରୀମ,ଅଧିକ ଅର୍ଥ ପ୍ରଦାନ ଇତ୍ୟାଦିର ଭରଣା ପାଇଁ ଏକ ପଦ୍ଧତି ପ୍ରଚଳନ କରିବା ଓ ପ୍ରତ୍ୟେକ ଅଡିଟ୍ କମିଟି ସର୍ବନିମ୍ନ ୩ମାସରେ ଗୋଟିଏଥର ବୈଠକ ବସିବା ସୁନିଶ୍ଚିତ କରିବାକୁ ସିଏଜି ସୁପାରିସ୍ କରିଛନ୍ତି।
କେବଳ ସେତିକି ନୁହେଁ ୨୦୧୭ ଫେବୃୟାରୀରୁ ୨୦୧୮ ଜୁଳାଇ ମଧ୍ୟରେ ହୋଇଥିବା ଅଡିଟବେଳେ ୭ଟି ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ ଦ୍ୱାରା ଖର୍ଚ୍ଚ ହୋଇଥିବା ୧୭.୦୩କୋଟି ଟଙ୍କାର ଭାଉଚର ମଧ୍ୟ ଉପଲବ୍ଧ କରାଯାଇ ପାରିନଥିଲା।

Related story