ଅନିୟମିତତାର ଗନ୍ତାଘର ‘ଜଳସମ୍ପଦ ବିଭାଗ’: ଧରିଲେ ସିଏଜି, ଦାୟିତ୍ୱରେ ବି ଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଦୀର୍ଘବର୍ଷ ଧରି ରହିଥିବା ଜଳସମ୍ପଦ ବିଭାଗରେ ବ୍ୟାପକ ଅନିୟମିତତା ଓ ହରିଲୁଟ୍ ହୋଇଛି । ରାଜକୋଷ ଅର୍ଥକୁ ଯିଏ ଯେମିତି ପାରିଛି ଲୁଟ୍ କରିଛି । ଆଉ ଏଥିପାଇଁ କାହାରି ଉପରେ ଉତ୍ତରଦାୟିତ୍ୱ ବି ନିର୍ଦ୍ଧାରଣ କରାଯାଇନି । କେଉଁଠି ପ୍ରକଳ୍ପ ଖର୍ଚ୍ଚ ବାରମ୍ବାର ସଂଶୋଧିତ ହୋଇ ୩୦୩୦ ପ୍ରତିଶତ ବୃଦ୍ଧି ପାଇଁ ୨୨୧ କୋଟିରୁ ୬୭୧୫କୋଟିକୁ ବଢ଼ିଛି ତ କେଉଁଠି ପ୍ରକଳ୍ପ ବ୍ୟୟ ୪୫୯୬% ବଢ଼ିଛି। ଠିକାଦାରମାନଙ୍କୁ ଅହେତକୁ ଅନୁକମ୍ପା ଦେଖାଇ ୫୫୪.୮୭କୋଟି ଟଙ୍କା ରାଜକୋଷ କ୍ଷତି କରାଯାଇଛି। ଏପରିକି ଆର୍ଥିକ ପରିଚାଳନାରେ ମନମୁଖୀ କାରବାର ଓ ତ୍ରୁଟି ଯୋଗୁ କେନ୍ଦ୍ରୀୟ ସହାୟତା ହାତଛଡ଼ା ହେବା ସହ ୨୨୦୩.୮୪କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡ଼ିଛି ।

ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ସମାପ୍ତ ବର୍ଷ ପାଇଁ ଭୂପୃଷ୍ଠ ଜଳସେଚନର ସମ୍ପାଦନର ସିଏଜିଙ୍କ ସମୀକ୍ଷା ରିପୋର୍ଟକୁ ଆଗତ କରିଥିଲେ। ଏଥିରେ ୨୦୧୪-୧୯ ମସିହା ମଧ୍ୟରେ ଜଳସମ୍ପଦ ବିଭାଗର ବିତ୍ତୀୟ ପରିଚାଳନା, ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ସମେତ ବିଭିନ୍ନ କ୍ଷେତ୍ରର ସମୀକ୍ଷା ସିଏଜି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ଅଗଷ୍ଟ ପର୍ଯ୍ୟନ୍ତ ଏହି ବିଭାଗକୁ ନିଜ ପାଖରେ ରଖିଥିଲେ । ସିଏଜି ତାଙ୍କ ଅଡିଟରେ ୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଅବଧିକୁ ସାମିଲ କରିଛନ୍ତି ।

ଏହି ସମୀକ୍ଷାବେଳେ ଜଣାପଡ଼ିଛି ଯେ, ଜଳସମ୍ପଦ ବିଭାଗ ପାଇଁ ୨୦୧୪-୧୫ରୁ ୨୦୧୯-୨୦ ମସିହା ମଧ୍ୟରେ ମୋଟ ୪୭୯୭୪କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହୋଇଥିବାବେଳେ ସେଥିରୁ ୪୨୩୦୪କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଏଥିରୁ ୧୨୭୪୨ କୋଟି ଟଙ୍କା ଖର୍ଚ୍ଚ କରି ୫.୦୨ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାର ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ମାତ୍ର ୨୪ ପ୍ରତିଶତ ଅର୍ଥାତ ୧.୨୨ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସମ୍ଭବପର ହୋଇପାରିଲା । କେନ୍ଦ୍ର ସରକାରଙ୍କୁ ୟୁସି ନଦେବାରୁ କେନ୍ଦ୍ରୀୟ ଅନୁଦାନ ବନ୍ଦ ହୋଇଯିବା, ସରକାରଙ୍କ ରାଜସ୍ୱ ଜମା ନକରିବା ଓ ଅନାଦେୟ ଅଗ୍ରୀମଗୁଡ଼ିକୁ ବ୍ୟବସ୍ଥିତ ନକରିବା ଆଦି ଯୋଗୁ ୨୨୦୩.୮୪କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି । ପ୍ରକଳ୍ପଗୁଡ଼ିକ ପାଇଁ କର୍ତ୍ତୃପକ୍ଷ ଏହି ଅର୍ଥ ଖର୍ଚ୍ଚ କରିବାର କ୍ଷମତା ୭୪ରୁ ୯୯ ପ୍ରତିଶତ ଥିଲେ ମଧ୍ୟ ୨୦୧୪ରୁ ୨୦୨୦ ମସିହା ମଧ୍ୟରେ ୮୪୨.୯୮କୋଟି ଟଙ୍କା ଫେରିଛି । ବିଶେଷକରି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ବିଭାଗ ଦ୍ୱାରା ଜମି ହସ୍ତାନ୍ତରରେ ବିଳମ୍ବ, ବାଧ୍ୟତାମୂଳକ ମଞ୍ଜୁରୀ ପ୍ରାପ୍ତିରେ ଅବହେଳା ଯୋଗୁ ଏହି ପାଣ୍ଠି ଫେରସ୍ତ ହୋଇଥିଲା ।

ରାଜ୍ୟ ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନ କାର୍ଯ୍ୟ ଯୋଗୁ ୧୯୮୨ ମସିହାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ୨୨୧.୬୮କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ପ୍ରକଳ୍ପ ମୂଲ୍ୟରେ ୨୦୧୬ ସୁଦ୍ଧା ୪ଥର ସଂଶୋଧିତ ହୋଇ ୩୦୩୦ ପ୍ରତିଶତ ବୃଦ୍ଧି ସହ ୬୭୧୫.୯୬କୋଟି ଟଙ୍କାକୁ ପହଂଚିଛି । ଏଥିରେ ଝାଡ଼ଖଣ୍ଡ ସରକାରଙ୍କ ଭାଗ ୧୨୦୮.୪୬କୋଟି ଟଙ୍କା ଥିବାବେଳେ ସେଥିରୁ ୧୦୦୦କୋଟି ଝାଡ଼ଖଣ୍ଡ ସରକାରଙ୍କୁ ଦିଆଯାଇଥିଲା। ଏହି ପ୍ରକଳ୍ପରେ ୨୦୨୦ ମାର୍ଚ୍ଚ ସୁଦ୍ଧା ୪୮୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ସେହିପରି ୨୦୦୩ ମସିହାରେ ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ମୂଳ ବଜେଟ୍ ୧୩୬.୬୭କୋଟି ଟଙ୍କା ଥିବାବେଳେ ତାହା ୪୫୯ ପ୍ରତିଶତ ବୃଦ୍ଧି ପାଇ ୭୧୬ କୋଟି ହୋଇôଥଲା । ଅବଶ୍ୟ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇସାରିଛି । ସେହିପରି ଲୋଏର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ୧୯୯୯ରେ ମାତ୍ର ୨୧୧କୋଟି ଟଙ୍କା ବ୍ୟୟବରାଦର ଅଟକଳ ରଖାଯାଇଥିଲା ଯାହା ୯୧୦ ପ୍ରତିଶତ ବୃଦ୍ଧି ପାଇଁ ୧୯୨୫ କୋଟି ହୋଇଥିଲା ଓ ସେହି କାର୍ଯ୍ୟ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଛି । ସେହିପରି ଦକ୍ଷିଣ ତଟ କେନାଳ ପାଇଁ ୧୯୭୮ ମସିହାରେ ମୂଳ ବଜେଟ ୬୯.୬୪କୋଟି ଟଙ୍କା ଥିବାବେଳେ ତାହା ୪୫୯୬ ପ୍ରତିଶତ ବଢ଼ି ୩୨୦୦କୋଟି ହେଲାଣି । ଏଥିରୁ ୨୨୬୭କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ।

ରେଙ୍ଗାଲି ବାମ ତଟ କେନାଲର ମୂଳ ପ୍ରକଳ୍ପ ୧୯୭୮ରେ ମାତ୍ର ୧୬୪ କୋଟି ଟଙ୍କା ଥିବାବେଳେ ତାହା୩୯୪୫ ପ୍ରତିଶତ ବୃଦ୍ଧି ପାଇ ୬୪୬୯.୨୭କୋଟି ଟଙ୍କାରେ ପହଂଚିଛି ଓ ସେଥିରୁ ୨୮୭୧କୋଟି ଖର୍ଚ୍ଚ ସରିଲାଣି ଓ ଏହା ୨୦୨୩ ମାର୍ଚ୍ଚରେ ଶେଷ ହେବ ବୋଲି ଦର୍ଶାଯାଇଛି । ସେହିପରି ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ମୂଳ ବ୍ୟୟବରାଦ ୧୪.୭୧କୋଟି ଥିବାବେଳେ ତାହା ୧୮୨ ପ୍ରତିଶତ ବୃଦ୍ଧି ପାଇଥିଲା । ଓ ଏହି କାର୍ଯ୍ୟ ମଧ୍ୟ ଶେଷ ହୋଇସାରିଛି । କେବଳ ମଧ୍ୟମ ଉଠା ଜଳସେଚନର ୯ଟି ପ୍ରକଳ୍ପ ଅର୍ଥ ସମାନ ରହିଥିଲା ଓ ତାହାର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି ।
ସିଏଜି କହିଛନ୍ତି ଯେ, ବିସ୍ତୁତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଓ ପ୍ରକ୍ରିୟାକରଣରେ ଅଭାବ, ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନରେ ବିଳମ୍ବ ସହିତ ଦକ୍ଷ କାର୍ଯ୍ୟ ପରିଚାଳନାର ଅଭାବ ହିଁ ପ୍ରକଳ୍ପଗୁଡ଼ିକର ମୂଲ୍ୟ ବୃଦ୍ଧି କରାଇଛି । କାର୍ଯ୍ୟର ପରିକଳ୍ପନା, ପରିସରରେ ପରିବର୍ତ୍ତନ, ଜଳସେଚନ ଉପଯୋଗୀ କ୍ଷେତ୍ର, ପ୍ରକଳ୍ପଗୁଡ଼ିକର ଉପକାର ମୂଲ୍ୟ ଅନୁପାତରେ ଭୁଲ୍ ଗଣନା, ପାଣି ଉପଲବ୍ଧତାର ତ୍ରୁଟିପୂର୍ଣ୍ଣ ନିର୍ଦ୍ଧାରଣ ଆଦି ହୋଇଛି । ତା’ଛଡ଼ା କୌଣସି କାର୍ଯ୍ୟ ପାଇଁ କାହାରିକୁ ଉତ୍ତରଦାୟିତ୍ୱ କରାଯାଇ ନଥିବାରୁ ଏଭଳି ସମସ୍ୟା ଦେଖାଦେଇଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ଅଗଷ୍ଟ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗକୁ ନିଜ ପାଖରେ ରଖିଥିଲେ । ତା’ପରେ ଏହି ବିଭାଗ ନିରଞ୍ଜନ ପୂଜାରୀଙ୍କ ପାଖରେ ୨୦୧୯ ମେ’ ମାସ ପର୍ଯ୍ୟନ୍ତ ଥିବାବେଳେ ଏବେ ତାହା ରଘୁନନ୍ଦନ ଦାସଙ୍କ ପାଖରେ ରହିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।