ନେତା ହତାଶ, ଅଫିସର୍ ସମ୍ଭାଳିଛନ୍ତି ବିଜେଡି ୱାରରୁମ୍!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାର୍ଥୀ ଓ ନେତୃତ୍ୱଙ୍କ ମଧ୍ୟରେ ସମନ୍ୱୟର ଅଭାବ ଏବଂ ରାଜନୀତିକ କ୍ରାଇସିସ୍ ମ୍ୟାନେଜରଙ୍କ ଅନୁପସ୍ଥିତି ଏବେ ବିଜେଡିକୁ ଚିନ୍ତାରେ ପକାଇଛି। ନିର୍ବାଚନବେଳେ ଦଳର ପ୍ରାର୍ଥୀ ଓ ନେତୃତ୍ୱଙ୍କ ମଧ୍ୟରେ ଯୋଗସୂତ୍ର ସମ୍ଭବପର ହୋଇପାରିନଥିବାରୁ ତା’ର ପ୍ରତିକୂଳ ପ୍ରଭାବ ଦଳର ନିର୍ବାଚନୀ ଫଳାଫଳ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ କିଛି ଦଳୀୟ ନେତା ଓ ପ୍ରାର୍ଥୀମାନେ ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି, ଯାହାକୁ ନେଇ ବିଜେଡିରେ ଏବେ ତୀବ୍ର ଅସନ୍ତୋଷ […]

bjd

Manoranjan Sial
  • Published: Friday, 12 April 2019
  • , Updated: 12 April 2019, 08:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାର୍ଥୀ ଓ ନେତୃତ୍ୱଙ୍କ ମଧ୍ୟରେ ସମନ୍ୱୟର ଅଭାବ ଏବଂ ରାଜନୀତିକ କ୍ରାଇସିସ୍ ମ୍ୟାନେଜରଙ୍କ ଅନୁପସ୍ଥିତି ଏବେ ବିଜେଡିକୁ ଚିନ୍ତାରେ ପକାଇଛି। ନିର୍ବାଚନବେଳେ ଦଳର ପ୍ରାର୍ଥୀ ଓ ନେତୃତ୍ୱଙ୍କ ମଧ୍ୟରେ ଯୋଗସୂତ୍ର ସମ୍ଭବପର ହୋଇପାରିନଥିବାରୁ ତା’ର ପ୍ରତିକୂଳ ପ୍ରଭାବ ଦଳର ନିର୍ବାଚନୀ ଫଳାଫଳ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ କିଛି ଦଳୀୟ ନେତା ଓ ପ୍ରାର୍ଥୀମାନେ ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି, ଯାହାକୁ ନେଇ ବିଜେଡିରେ ଏବେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିବା ବିଜେଡିର ‘ୱାରରୁମ୍’ ଏବେ ସମ୍ପୂର୍ଣ୍ଣ ଭାବେ ଅଫିସରକୈନ୍ଦ୍ରିକ ହୋଇ ରହିଛି। ଦଳର ଅଳ୍ପ କିଛି ଯୁବନେତାଙ୍କୁ ଏହି ୱାରରୁମ୍ ସହ ସାମିଲ କରାଯାଇ ସେମାନଙ୍କ ମାଧ୍ୟମରେ ଦଳୀୟ କାର୍ଯ୍ୟକ୍ରମ କରାଯାଉଛି। ନିର୍ବାଚନର ହାଇଭୋଲଟେଜ୍ ପ୍ରଚାର ସମୟରେ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ବାଜିମାତ୍ କରିବା ପାଇଁ ଯେଉଁଭଳି ଲଜିଷ୍ଟିକ୍ ସହଯୋଗ ଆବଶ୍ୟକ ତାହା କୁଆଡ଼େ ଉପଯୁକ୍ତ ସମୟରେ ଦଳୀୟ ପ୍ରାର୍ଥୀଙ୍କ ପାଖରେ ପହଞ୍ଚି ପାରୁନି। କର୍ପୋରେଟ ଷ୍ଟାଇଲରେ ପରିଚାଳିତ ହେଉଥିବା ଦଳର ‘ୱାରରୁମ୍ ’ରେ ଅଫିସରରାଜ୍ ଚାଲିଥିବାରୁ ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ଲୋକଲଜ୍ଜା ଭୟରେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି।

ସୂଚନା ଅନୁସାରେ, ‘ୱାରରୁମ୍’ର ଏଭଳି ବିପର୍ଯ୍ୟସ୍ତ ପରିଚାଳନା ଯୋଗୁ ତା’ର ପ୍ରଭାବ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ନିର୍ବାଚନ ଉପରେ ପଡ଼ିଛି। ଏପରିକି ଦଳ ପକ୍ଷରୁ ପ୍ରାର୍ଥୀମାନଙ୍କୁ ସ୍ଥାନୀୟସ୍ତରରେ ଲଜିଷ୍ଟିକ୍ ସହାୟତା ଦେବା ପାଇଁ ଯେଉଁ ବ୍ୟବସ୍ଥା ହୋଇଥିଲା ତାହା କୁଆଡ଼େ ସମନ୍ୱୟ ଅଭାବରୁ ସେମାନଙ୍କ ପାଖରେ ଠିକ୍ ସମୟରେ ପହଞ୍ଚି ପାରିନି। ୱାରରୁମର ବିନା ନିର୍ଦ୍ଦେଶରେ ସ୍ଥାନୀୟସ୍ତରରେ ସହାୟତା ମିଳିବାର ସମ୍ଭାବନା ନଥିବାରୁ ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀମାନେ ନିଜକୁ ଅସହାୟ ମନେକରିଛନ୍ତି। ଏପରିକି ପ୍ରଚାରରେ ବ୍ୟସ୍ତତା ମଧ୍ୟରେ ବି ସେମାନେ ୱାରରୁମ୍ ସହ ସିଧାସଳଖ ଯୋଗାଯୋଗ କରିବାରେ ସକ୍ଷମ ହେଉନଥିବାର ସୂଚନା ମିଳିଛି।

ଗତ ଦୁଇଦିନ ତଳେ ବିଜେଡି ସଭାପତି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇଥିଲେ। କିନ୍ତୁ ଦଳର ଦୀର୍ଘଦିନର ପର୍ଯ୍ୟବେକ୍ଷକ ଥିବା ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା। ଦଳର ୱାରରୁମ୍ ଶ୍ରୀ ନନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଦୂରେଇ ରଖିଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି। ସାଧାରଣତଃ ନିର୍ବାଚନ ସମୟରେ ପ୍ରତ୍ୟେକ ରାଜନୀତିକ ଦଳ ନିଜସ୍ୱ ରଣନୀତି ପ୍ରସ୍ତୁତି ନିମନ୍ତେ ସ୍ୱତନ୍ତ୍ର ଭାବେ ‘ୱାରରୁମ୍’ ଖୋଲିଥାନ୍ତି। ଯେଉଁଠି ଦଳର ଅଭିଜ୍ଞ ଓ ପ୍ରଭାବଶାଳୀ ନେତାଙ୍କ ସହ ବିଶେଷଜ୍ଞଙ୍କ ଟିମ୍ କାର୍ଯ୍ୟ କରିଥାଏ। କିନ୍ତୁ ବିଜେଡିର ୱାରରୁମ୍ ସମ୍ପୂର୍ଣ୍ଣ ଭାବେ ଅଫିସରକୈନ୍ଦ୍ରିକ ହୋଇଥିବାରୁ ଏବେ ରାଜନେତାମାନଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

ତେବେ ବିଜେଡି ସୂତ୍ର ଅନୁସାରେ, ଦଳର ସର୍ବେସର୍ବା ତଥା ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ପାଖରେ ଏହି ଖବର ପହଞ୍ଚିବା ପରେ ନିର୍ବାଚନ ହେବାକୁ ଥିବା ଜିଲ୍ଲାଗୁଡ଼ିକର ପର୍ଯ୍ୟବେକ୍ଷକମାନଙ୍କ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ଲଜିଷ୍ଟିକ୍ ସହଯୋଗ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରଚାର ଓ ଅନ୍ୟାନ୍ୟ ଦାୟିତ୍ୱରେ ରହିଥିବା ଦଳର ବରିଷ୍ଠ ନେତା ଓ ଟିମକୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ସହଯୋଗ କରିବା ପାଇଁ ପଠାଯାଇଛି।

ପ୍ରଥମଥର ପାଇଁ ଅଭିଜ୍ଞ ରାଜନେତାଙ୍କ ଅନୁପସ୍ଥିତିରେ ଦଳର ୱାରରୁମ୍ ସମ୍ଭାଳିଥିବା ଅଫିସର ଗୋଷ୍ଠୀ ବିଜେଡିକୁ ନିର୍ବାଚନୀ ସଫଳତା ଦେବାରେ କେତେ ସହାୟକ ହେଉଛନ୍ତି ତାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି।

Related story