ବିଡ଼ିଓ ଓ ସରପଞ୍ଚଙ୍କ ନାମରେ ଫୌଜଦାରୀ ମାମଲା

ପାରାଦୀପ(ଓଡ଼ିଶା ରିପୋର୍ଟର): କୁଜଙ୍ଗ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀ ଓ ପାରାଦୀପଗଡ଼ ସରପଞ୍ଚ ସସ୍ମିତା ବେହେରାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ ହୋଇଛି। କୁଜଙ୍ଗ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୁଜଙ୍ଗ ପୁଲିସ ଏହି ମାମଲା ରୁଜୁ କରିଛି। ନିର୍ବାଚନୀ କାଗଜପତ୍ର ଜାଲିଆତି ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ଗତ ସରପଞ୍ଚ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସସ୍ମିତା। ସୂଚନା ଅଧିକାର ଆଇନରେ ଜଣେ ବ୍ୟକ୍ତି ପାଇଥିବା ପ୍ରଥମ ତଥ୍ୟ ମୁତାବକ, ପ୍ରାର୍ଥୀପତ୍ର […]

Kujanga-BDO-case

  • Published: Sunday, 22 May 2022
  • , Updated: 22 May 2022, 05:05 PM IST

ପାରାଦୀପ(ଓଡ଼ିଶା ରିପୋର୍ଟର): କୁଜଙ୍ଗ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀ ଓ ପାରାଦୀପଗଡ଼ ସରପଞ୍ଚ ସସ୍ମିତା ବେହେରାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ ହୋଇଛି। କୁଜଙ୍ଗ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୁଜଙ୍ଗ ପୁଲିସ ଏହି ମାମଲା ରୁଜୁ କରିଛି। ନିର୍ବାଚନୀ କାଗଜପତ୍ର ଜାଲିଆତି ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ଗତ ସରପଞ୍ଚ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସସ୍ମିତା। ସୂଚନା ଅଧିକାର ଆଇନରେ ଜଣେ ବ୍ୟକ୍ତି ପାଇଥିବା ପ୍ରଥମ ତଥ୍ୟ ମୁତାବକ, ପ୍ରାର୍ଥୀପତ୍ର ଦାଖଲ ସତ୍ୟପାଠରେ ସସ୍ମିତାଙ୍କ ଦସ୍ତଖତ ନ ଥିଲା। ହେଲେ ଦ୍ୱିତୀୟ ଥର ମାଗିଥିବା ସୂଚନା ତଥ୍ୟ ନକଲରେ, ପ୍ରାର୍ଥୀପତ୍ର ଦାଖଲ ସତ୍ୟପାଠରେ ସସ୍ମିତାଙ୍କ ଦସ୍ତଖତ ଥିଲା। ପରେ ସୂଚନାଧିକାର କର୍ମୀ କୋର୍ଟର ଆଶ୍ରୟ ନେଇଥିଲେ। ଅଭିଯୋଗ ପରେ ମାମଲା ରୁଜୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

କୁଜଙ୍ଗ ଥାନାରେ କେସ ନମ୍ବର ୧୮୩/୨୨ରେ ମାମଲା ରୁଜୁ ହୋଇଛି। କୁଜଙ୍ଗ ବିଡିଓ ଓ ପାରାଦୀପଗଡ଼ ସରପଞ୍ଚ ବିରୋଧରେ ଆଇପିସିର ଦଫା ୪୬୫, ୪୬୬, ୪୭୧, ୧୭୧-ଜି ଏବଂ ୩୪ ଲାଗିଛି। ନିର୍ବାଚନି କାଗଜପତ୍ର ଜାଲିଆତି ଭଳି ସଙ୍ଗୀନ ଦଫା ଏହା ଭିତରେ ରହିଛି। ମିହିର କୁମାର ପାତ୍ର ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ପାଇଛନ୍ତି। ପ୍ରଥମ ତଥ୍ୟରେ ପ୍ରାର୍ଥୀପତ୍ର ଦାଖଲ ସତ୍ୟପାଠରେ ସସ୍ମିତାଙ୍କ ଦସ୍ତଖତ ନ ଥିବା ସେ ଜାଣିବାକୁ ପାଇଥିଲେ। ତେଣୁ ସେ ଦ୍ଵିତୀୟ ଥର ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଆଶ୍ଚର୍ଯ୍ୟର କଥା ଦ୍ଵିତୀୟ ଥର ମିଳିଥିବା ଆଫିଡେଭିଟର ନକଲରେ ସସ୍ମିତା ବେହେରାଙ୍କ ଦସ୍ତଖତ ରହିଛି। ଏହା କିପରି ସମ୍ଭବ ହେଲା ବୋଲି ଏତଲାକାରୀ ଓକିଲ ପ୍ରଶ୍ନ କରିଛନ୍ତି। ଖୋଦ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓଙ୍କ ତତ୍ତ୍ଵାବଧାନରେ ଥିବା ଗୁରୁତ୍ଵପୂର୍ଣ୍ଣ କାଗଜପତ୍ରରେ ଜାଲିଆତି କରାଯିବା ଧର୍ତ୍ତବ୍ୟ ଅପରାଧ ଏବଂ ସମ୍ପୃକ୍ତ ସରପଞ୍ଚ, ବିଡିଓ ଏବଂ ଅନ୍ୟ ଯିଏ ବି ଏଥିରେ ସାମିଲ ଅଛନ୍ତି ସେମାନଙ୍କୁ ଆଇନର ପରିଧିକୁ ଆଣି ଦଣ୍ଡିତ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ଖବର ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଏହା ସରକାରୀ ଅଧିକାରୀଙ୍କ ସ୍ଵଚ୍ଛତା ଉପରେ ପ୍ରଶ୍ନ ଉଠିଛି। ଗତ ପଞ୍ଚାୟତ ନିର୍ବାଚନ ପରିଚାଳନାରେ ନିରପେକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ମାମଲାର ନିରପେକ୍ଷ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଅନ୍ୟପକ୍ଷରେ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ସରପଞ୍ଚ ସସ୍ମିତା ବେହେରା। ସେ କହିଛନ୍ତି ନିର୍ବାଚନ ବେଳେ ୩ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏଥିରେ ଭୁଲ ଥିଲେ ସେ ନିର୍ବାଚନ ଲଢ଼ିପାରି ନ ଥାନ୍ତେ। ଯେହେତୁ ସେ ବିପୁଳ ଭୋଟରେ ଜିତିଛନ୍ତି, ତେଣୁ ଇର୍ଶା ପରାୟଣ ହୋଇ କେହି ଏପରି କରୁଛି। ସେହିଭଳି ମାମଲା ସମ୍ପର୍କରେ ଅବଗତ ନଥିବା ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି। ପୁଲିସ ମାମଲା କରି ଚୁପ୍ ବସିଛି।

Related story