ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): କାର୍ରୁ ଜବତ ହେଲା ପୁଳାପୁଳା ଟଙ୍କା। ତେବେ ପୁଲିସକୁ ଚକମା ଦେଇ କାର୍ ଛାଡ଼ି ଖସି ଗଲା ନିଶା ମାଫିଆ। ଆଜି ସକାଳେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ୧୬ ନମ୍ବର ଜାତୀୟ ରାଜପଥ ଶିଆଳିଆ ନିକଟରୁ ଜବତ କରିଛି ଏହି କାର୍ ଓ ଟଙ୍କା। ପୁଲିସ କାର୍ ଓ ଟଙ୍କା ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
ଖୋର୍ଦ୍ଧା ଅତିରିକ୍ତ ଏସ୍ପି ସୁରେନ୍ଦ୍ର ନାଥ ମୁର୍ମୁ ଖୋର୍ଦ୍ଧା ଟାଉନ ଥାନାରେ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ଅକ୍ଟୋବର ୨୧ ତାରିଖରେ ବ୍ରାଉନସୁଗର ବ୍ୟବସାୟ କରୁଥିବା ୬ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ଠାରୁ ଏହି ସମୟରେ ବ୍ରାଉନସୁଗର ସହ ୫୧୧ ଗ୍ରାମ ସୁନା ଓ ୧୩ ଲକ୍ଷ ଟଙ୍କା ଜବତ ହୋଇଥିଲା। ତେବେ ଏହି ସମୟରେ ଶରତ ବେହେରା ଓରଫ୍ ବାୟା ନାମକ ଜଣେ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା। ପୁଲିସ ଏହି ବ୍ୟକ୍ତି ନାମରେ ୱାରେଣ୍ଟ ଜାରି କରିଥିଲା।
ଆଜି ସକାଳେ ବାୟା ଗୋଟିଏ କାର୍ରେ ବ୍ରାଉନ୍ ସୁଗର ନେଇ ଭୁବନେଶ୍ୱର ଯାଉଥିବା ପୁଲିସକୁ ଖବର ମିଳିଥିଲା। ତେଣୁ ତାକୁ ଧରିବା ପାଇଁ ପୁଲିସ ପ୍ରସ୍ତୁତ ରହିଥିଲା। ହେଲେ ପୁଲିସକୁ ଦେଖି କାର ଛାଡ଼ି ପଳାଇଥିଲା ବାୟା। ଉକ୍ତ କାର ଭିତରୁ ଦୁଇଟି କାର୍ଟୁନ ଭିତରୁ ୨୨ ଲକ୍ଷ ଟଙ୍କା ମିଳିଥିଲା। ଉକ୍ତ ଟଙ୍କା ସହ କାର୍କୁ ଜବତ କରାଯାଇଛି। ଖୁବ୍ ଶୀଘ୍ର ଫେରାର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଖୋର୍ଦ୍ଧା ଅତିରିକ୍ତ ଏସ୍ପି ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି।