ଦ୍ୱିତୀୟ ଡୋଜ୍ ମିସ୍ କଲେଣି ସାଢ଼େ ୧୪ ଲକ୍ଷ ଲୋକ, କେନ୍ଦ୍ର ପଠାଇଲା ୧୧ ଲକ୍ଷ ଡୋଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ କୋଭିଡ୍ ଲହରର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ରାଜ୍ୟ ସରକାର ଲୋକଙ୍କ ଟୀକାକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ପ୍ରାୟ ସାଢ଼େ ୧୪ଲକ୍ଷ ଲୋକ ଧାର୍ଯ୍ୟ ସମୟ ମଧ୍ୟରେ ନିଜର ଦ୍ୱିତୀୟ ଡୋଜ୍ ଟିକା ନେଇପାରିନାହାନ୍ତି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୬ ପ୍ରତିଶତ, ନବରଙ୍ଗପୁରରେ ୪୩ ପ୍ରତିଶତ ବୌଦରେ ୪୦ ପ୍ରତିଶତ ଲୋକ ନିଜର ଦ୍ୱିତୀୟ ଡୋଜ୍ ମିସ୍ କରିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୮ ପ୍ରତିଶତ ଲୋକ ଧାର୍ଯ୍ୟ ସମୟ ମଧ୍ୟରେ […]

Covid-vaccine-centre

Covid-vaccine-centre

Ordigital Desk
  • Published: Thursday, 26 August 2021
  • Updated: 26 August 2021, 07:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ କୋଭିଡ୍ ଲହରର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ରାଜ୍ୟ ସରକାର ଲୋକଙ୍କ ଟୀକାକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ପ୍ରାୟ ସାଢ଼େ ୧୪ଲକ୍ଷ ଲୋକ ଧାର୍ଯ୍ୟ ସମୟ ମଧ୍ୟରେ ନିଜର ଦ୍ୱିତୀୟ ଡୋଜ୍ ଟିକା ନେଇପାରିନାହାନ୍ତି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୬ ପ୍ରତିଶତ, ନବରଙ୍ଗପୁରରେ ୪୩ ପ୍ରତିଶତ ବୌଦରେ ୪୦ ପ୍ରତିଶତ ଲୋକ ନିଜର ଦ୍ୱିତୀୟ ଡୋଜ୍ ମିସ୍ କରିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୮ ପ୍ରତିଶତ ଲୋକ ଧାର୍ଯ୍ୟ ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେଇପାରି ନଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଏହି ଲୋକମାନେ ନିଜର ଦ୍ୱିତୀୟ ଡୋଜ୍ ମିସ୍ କରିଛନ୍ତି ତାହା ଜଣାପଡ଼ିନଥିଲେ ମଧ୍ୟ କେନ୍ଦ୍ର ସରକାର ଦ୍ୱିତୀୟ ଡୋଜ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ୧୧.୧୬ଲକ୍ଷ ଡୋଜ୍ ଟିକା ଚଳିତମାସରେ ଆବଣ୍ଟନ କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖି ଦ୍ୱିତୀୟ ଡୋଜ୍ ମିସ୍ କରିଥିବା ଲୋକମାନଙ୍କ ଟିକାକରଣ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଅଗଷ୍ଟ ମାସରେ କରିବାକୁ ପରାମର୍ଶ ଦେଇଛନ୍ତି। ଦ୍ୱିତୀୟ ଡୋଜ୍ ମିସ୍ କରିଥିବା ଲୋକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ୯ଲକ୍ଷ ୯୨ହଜାର ୩୮୦ଟି ଡୋଜ୍ କୋଭିଶିଲଡ୍ ଓ ୧ଲକ୍ଷ ୨୪ହଜାର ୫୯୦ଟି ଡୋଜ୍ କୋଭାକ୍ସିନ୍ ଆବଣ୍ଟନ କରିଛନ୍ତି । ଏହାସହିତ ସରକାରୀ ଓ ଘରୋଇ ସ୍କୁଲ ଶିକ୍ଷକ ଏବଂ ସେମାନଙ୍କ ପରିବାର ସଦସ୍ୟ ଯେଉଁମାନେ କି ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି, ସେମାନଙ୍କୁ ସେପ୍ଟେମ୍ବର ୫ ପୂର୍ବରୁ ସ୍ୱତନ୍ତ୍ର ଭାବେ ଟିକାକରଣ କରାଇବାକୁ ଶ୍ରୀ ମହାପାତ୍ର କହିଛନ୍ତି। ଏହାସହିତ ଶିକ୍ଷକମାନେ ଯେଭଳି ନିର୍ଦ୍ଧାରିତ ସମୟ ପୂର୍ବରୁ ଟିକା ନେବେ ସେଥିପାଇଁ ସବୁ ସ୍କୁଲଗୁଡ଼ିକୁ ଜଣାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ଆଜିସୁଦ୍ଧା ମୋଟ ୨ କୋଟି ୧୧ଲକ୍ଷ ୮୯ହଜାର ୨୮୪ଟି ଡୋଜ୍ ଟିକା ଦିଆଯାଇଥିବାବେଳେ ସେଥିରେ ୧କୋଟି ୧୬ଲକ୍ଷ ୨୨ହଜାର ୩୯୬ଟି ପ୍ରଥମ ଡୋଜ୍ ଏବଂ ୫୦ଲକ୍ଷ ୬୬ ହଜାର ୮୮୮ଟି ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଆଜି ୧ଲକ୍ଷ ୫ହଜାର ୬୨୧ ଡୋଜ୍ ଟିକା ଦିଆଯାଇଛି। ଏହି ଡୋଜ୍ ମଧ୍ୟରେ ସର୍ବାଧିକ ୯୪.୮୬ଲକ୍ଷ ଡୋଜ୍ ଟିକା ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଦିଆଯାଇଥିବାବେଳେ ୪୯.୩୭ଲକ୍ଷ ଡୋଜ୍ ଟିକା ୬୦ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦିଆ ହୋଇଛି।
ତେବେ ୨୩ତାରିଖ ସୁୂଦ୍ଧା ରାଜ୍ୟରେ ମୋଟ ୬୩ଲକ୍ଷ ୪୬ହଜାର ୫୯୩ଜଣ ଲୋକ ନିଜର ଦ୍ୱିତୀୟ ଡୋଜ୍ ଟିକା ନେବାର ଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ୪୮ଲକ୍ଷ ୯୬ହଜାର ୬୧୦ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ୧୪ ଲକ୍ଷ ୪୯ହଜାର ୯୮୩ଜଣ ନିଜର ଦ୍ୱିତୀୟ ଡୋଜ୍ ଟିକାକୁ ଧାର୍ଯ୍ୟ ସମୟ ମଧ୍ୟରେ ନେଇପାରିନାହାନ୍ତି।

କୋଭାକ୍ସିନ୍ ଦ୍ୱିତୀୟ ଡୋଜ୍ ୬ ସପ୍ତାହ ଭିତରେ ଏବଂ କୋଭିଶିଲଡ୍ ଦ୍ୱିତୀୟ ଡୋଜ୍ ୧୧୨ଦିନ ମଧ୍ୟରେ ନେବାର ଧାର୍ଯ୍ୟ ସମୟ ରହିଛି। ପୁରୀରେ ୩୦ %, ରାୟଗଡ଼ାରେ ୩୭%, ନୂଆପଡ଼ାରେ ୩୩ ପ୍ରତିଶତ, ନୟାଗଡ଼ରେ ୨୬ ପ୍ରତିଶତ, ମୟୂରଭଞ୍ଜରେ ୩୩ ପ୍ରତିଶତ, କୋରାପୁଟରେ ୩୪%, ଖୋର୍ଦ୍ଧାରେ ୧୭%, କେନ୍ଦୁଝରରେ ୩୬%, କେନ୍ଦ୍ରାପଡ଼ାରେ ୨୪%, କନ୍ଧମାଳରେ ୩୮%, ଝାରସୁଗୁଡ଼ାରେ ୨୧ ପ୍ରତିଶତ, ଯାଜପୁରରେ ୨୦ ପ୍ରତିଶତ, ଜଗତସିଂହପୁରରେ ୧୩ ପ୍ରତିଶତ, ଗଞ୍ଜାମରେ ୧୦ ପ୍ରତିଶତ, ଗଜପତିରେ ୨୯%, ଢେଙ୍କାନାଳରେ ୩୧ପ୍ରତିଶତ, କଟକରେ ୨୨ ପ୍ରତିଶତ, ଭଦ୍ରକରେ ୨୮%, ବାଲେଶ୍ୱରରେ ୨୦ ପ୍ରତିଶତ, ବଲାଙ୍ଗିରରେ ୩୧ ପ୍ରତିଶତ ଓ ଅନୁଗଳରେ ୨୭ ପ୍ରତିଶତ ଲୋକ ଧାର୍ଯ୍ୟ ସମୟସୀମା ମଧ୍ୟରେ ନିଜର ଦ୍ୱିତୀୟ ଡୋଜ୍ ଟିକା ନେଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos