ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଗୃହବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ କେନ୍ଦ୍ରୀୟ ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ‘ଫୋନି’ ଦ୍ୱାରା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିଛନ୍ତି। ଗୋଟିଏ ଦଳ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକରେ ଅନୁଧ୍ୟାନ କରିଥିବା ବେଳେ ଆଉ ଗୋଟିଏ ଦଳ ଖୋର୍ଦ୍ଧା, ବାଲିପାଟଣା, ଜଟଣୀ ଓ ଭୁବନେଶ୍ୱର ବ୍ଲକରେ କ୍ଷୟକ୍ଷତିର ଆକଳନ […]

central-team-visits-cyclone-hit-areas-to-assess-damages-caused-by-cyclone-fani

Manoranjan Sial
  • Published: Monday, 13 May 2019
  • , Updated: 13 May 2019, 08:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଗୃହବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ କେନ୍ଦ୍ରୀୟ ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ‘ଫୋନି’ ଦ୍ୱାରା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିଛନ୍ତି। ଗୋଟିଏ ଦଳ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକରେ ଅନୁଧ୍ୟାନ କରିଥିବା ବେଳେ ଆଉ ଗୋଟିଏ ଦଳ ଖୋର୍ଦ୍ଧା, ବାଲିପାଟଣା, ଜଟଣୀ ଓ ଭୁବନେଶ୍ୱର ବ୍ଲକରେ କ୍ଷୟକ୍ଷତିର ଆକଳନ କରିଛି।

ସାମୁଦ୍ରିକ ବାତ୍ୟା ‘ଫୋନି’ ମାଡ଼ରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକ। ଆଜି ଗୋଟିଏ କେନ୍ଦ୍ରୀୟ ଟିମ୍ କୃଷ୍ଣପ୍ରସାଦ ବ୍ଲକର ଅରଖକୁଦ ଓ ବ୍ରହ୍ମଗିରିର ହସିମପୁରରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛି। ଘର, ବିଦ୍ୟୁତ୍, ଟେଲି ଯୋଗାଯୋଗ ବ୍ୟବସ୍ଥା ସହ ଏଠାକାର ଲୋକଙ୍କ ପ୍ରଧାନ ଜୀବିକା କୁହାଯାଉଥିବା ନଡିଆ ଚାଷକୁ କେତେ କ୍ଷତି ହୋଇଛି, ସେନେଇ ତଥ୍ୟ ସଂଗ୍ରହ କରିଛି। ଟିମ୍‌ର ସଦସ୍ୟ ବାତ୍ୟା ବିପନ୍ନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ରିଲିଫ ଓ ଅନ୍ୟାନ୍ୟ ସହାୟତା ମିଳିଛି ନା ନାହିଁ ସେ ସଂପର୍କରେ ପଚାରି ବୁଝିଥିଲେ।

ପୁରୀ ବଳିଆପଣ୍ଡା ବସ୍ତିରେ ମଧ୍ୟ ପହଞ୍ଚିଥିଲା ଗୋଟିଏ କେନ୍ଦ୍ରୀୟ ଦଳ। ବାତ୍ୟାର ୧୧ ଦିନ ପରେ ମଧ୍ୟ ସେମାନଙ୍କୁ ଏଯାଏ ରିଲିଫ ମିଳିନଥିବା କିଛି କ୍ଷତିଗ୍ରସ୍ତ କାନ୍ଦି କାନ୍ଦି ଜଣାଇଥିଲେ। ପରେ ଟିମ୍ ସଦସ୍ୟମାନେ କଣାସ ଓ ଡେଲାଙ୍ଗ ବ୍ଲକକୁ ଯାଇଁ କ୍ଷୟକ୍ଷତି ସଂପର୍କରେ ଅନୁଧ୍ୟାନ କରିଥିଲେ।

କେନ୍ଦ୍ରୀୟ ଟିମ୍‌ର ଅନ୍ୟ ଏକ ଦଳ ଆଜି ଖୋର୍ଦ୍ଧା, ଜଟଣୀ, ବାଲିପାଟଣା ଓ ଭୁବନେଶ୍ୱରର ବ୍ଲକର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବାଲିପାଟଣା ବ୍ଲକର ବିଶ୍ୱନାଥପୁର, ଅଟାନ୍ତପର, ଆଇତରଙ୍ଗ, ତୁରିଙ୍ଗତିରା, କୁରୁଞ୍ଜିପୁର, ସୋଧୁଆ ଗାଁ ସମେତ ଖୋର୍ଦ୍ଧା ସଦର, ଜଟଣୀ ଓ ଭୁବନେଶ୍ୱର ବ୍ଲକରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ମଧ୍ୟ ଅନୁଧ୍ୟାନ କରିଛନ୍ତି। ଭାଙ୍ଗି ଯାଇଥିବା ଘର, ସ୍କୁଲ, ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା, ପାନବରଜ, କୁକୁଡ଼ା ପାଳନ ଓ ଅନ୍ୟ ଚାଷକୁ କେତେ କ୍ଷତି ହୋଇଛି ସେହି ତଥ୍ୟ ସଂଗ୍ରହ କରିଛି କେନ୍ଦ୍ରୀୟ ଟିମ୍‌। ସେହିପରି ବିପନ୍ନମାନେ ପଲିଥିନ, ଚାଉଳ ଓ ଆର୍ଥିକ ସହାୟତା ପାଇଛନ୍ତି କି ନାହିଁ, ସେ ସଂପର୍କରେ ମଧ୍ୟ ଟିମ୍ ସଦସ୍ୟମାନେ ପଚାରି ବୁଝିଥିଲେ।

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବା ପୂର୍ବରୁ କେନ୍ଦ୍ରୀୟ ଟିମ୍‌କୁ SRC ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ବାତ୍ୟା ଏବଂ ଏହାର ମୁକାବିଲା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ। ସେହିପରି କେଉଁ ଅଞ୍ଚଳ କେତେ କ୍ଷତିଗ୍ରସ୍ତ ହୋଇଛି ସେ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କ୍ଷୟକ୍ଷତି ଆକଳନ ପରେ କେନ୍ଦ୍ରୀୟ ଟିମ୍ ଆସନ୍ତା ୧୫ ତାରିଖରେ ମୁଖ୍ୟ ଶାସନ ସଚିବ ଓ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ପରେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରକୁ ରିପୋର୍ଟ ଦେବେ।

Related story