ଭୁଲ୍‌ କରି ଦେଲେ ପୋଲିଂ କର୍ମଚାରୀ, ୬ଟି ବୁଥ୍‌ରେ ସାନି ମତଦାନ ପାଇଁ ହେବ ସୁପାରିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ପାଇଁ ଆଜି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇସି) ସୁରେନ୍ଦ୍ର କୁମାର ସୂଚନା ଦେଇଥିଲେ। ଖବର ଲେଖାଯିବା ବେଳକୁ ଚୂଡ଼ାନ୍ତ ରିପୋର୍ଟ ଆସି ନଥିଲା। ତେବେ ଏହି ପର୍ଯ୍ୟାୟରେ ପୋଲିଂ କର୍ମଚାରୀଙ୍କ ଭୁଲ୍ ଯୋଗୁ ୬ଟି ବୁଥ୍‌ରେ ମତଦାନ ହୋଇପାରି ନଥିଲା। ସେଥିପାଇଁ […]

vote1

Jitendra Garnayak
  • Published: Thursday, 18 April 2019
  • , Updated: 18 April 2019, 09:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ପାଇଁ ଆଜି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇସି) ସୁରେନ୍ଦ୍ର କୁମାର ସୂଚନା ଦେଇଥିଲେ। ଖବର ଲେଖାଯିବା ବେଳକୁ ଚୂଡ଼ାନ୍ତ ରିପୋର୍ଟ ଆସି ନଥିଲା।

ତେବେ ଏହି ପର୍ଯ୍ୟାୟରେ ପୋଲିଂ କର୍ମଚାରୀଙ୍କ ଭୁଲ୍ ଯୋଗୁ ୬ଟି ବୁଥ୍‌ରେ ମତଦାନ ହୋଇପାରି ନଥିଲା। ସେଥିପାଇଁ ଏହି ବୁଥ୍ ଗୁଡ଼ିକରେ ସାନି ମତଦାନ କରିବାକୁ ନିର୍ବାଚନ କମିଶନଙ୍କୁ ସୁପାରିସ୍ କରାଯିବ ବୋଲି ସିଇସି କହିଛନ୍ତି।

ସେ କହିଛନ୍ତି, ସୁନ୍ଦରଗଡ଼ର ରଙ୍ଗାଢିପାସ୍ଥିତ ୨୧୩ ନମ୍ବର ବୁଥ୍‌ ଓ ବଣାଇର ୧୨୯, ଦଶପଲ୍ଲାର ୨୧୦ ଓ ୨୨୨ ଏବଂ ବରଗଡ଼ର ୬୮ ଓ ୨୩୫ ନମ୍ବର ବୁଥ୍‌ରେ ସାନି ମତଦାନ ପାଇଁ ସୁପାରିସ କରାଯିବ।

ସିଇସି କହିଛନ୍ତି, ଏହି ସବୁ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ହୋଇ ନଥିଲା। ମନୁଷ୍ୟକୃତ ତ୍ରୁଟ୍ ଯୋଗୁ ଭୋଟରମାନେ ସେମାନଙ୍କ ମତ ସାବ୍ୟସ୍ତ କରି ପାରି ନଥିଲେ। ଦାୟିତ୍ୱରେ ଥିବା କର୍ମଚାରୀମାନେ ଲୋକସଭା ଜାଗାରେ ବିଧାନସଭା ଭିଭିପାଟ୍ ମେସିନ୍‌ ଲଗାଇ ଦେବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଏଥିପାଇଁ ଦାୟୀ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଗତକାଲି କନ୍ଧମାଳରେ ବଡ଼ ଧରଣର ମାଓ ହିଂସା ପରେ ଆଜି କଡ଼ା ସୁରକ୍ଷା ମଧ୍ୟ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ୨୬ରୁ ଅଧିକ ସ୍ଥାନରେ ଲୋକେ ଭୋଟ୍ ବର୍ଜନ କରିଥିବା ଖବର ଆସିଛି। କେଉଁଠି ମୌଳିକ ସମସ୍ୟାର ସମାଧାନ ହୋଇ ନଥିବାରୁ ଲୋକେ ଆଦୌ ଭୋଟ୍ ଦେବାକୁ ଆସି ନଥିବା ବେଳେ ଆଉ କେଉଁଠି ଗାଁଠୁ ବହୁ ଦୂରରେ ମତଦାନ କେନ୍ଦ୍ର ହେବା କାରଣରୁ ଭୋଟର ଅସନ୍ତୋଷ ପ୍ରକାଶ କରି ଭୋଟ୍ ବର୍ଜନ କରିଥିଲେ।

ନୟାଗଡ଼ ଜିଲ୍ଲାର ୧୪ଟି ଓ ଲୋଇସିଂହାରେ ୪ଟି ଗାଁର ଲୋକେ ଆଜି ଭୋଟ୍‌ ବର୍ଜନ କରିଥିଲେ। ଏମିତିକି ପୋଲ ଓ ରାସ୍ତା ନିର୍ମାଣ ହୋଇ ନଥିବାରୁ ଫୁଲବାଣୀର ଡକାଙ୍ଗି ଗାଁର ୬୯ ନମ୍ବର ବୁଥ୍ ଆଗରେ ଲୋକେ ଧାରଣା ଦେଇଥିଲେ।

ଅନ୍ୟପକ୍ଷରେ ଭୋଟ୍ ଦେବାକୁ ଆସି ଆଜି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମର ସାନଖେମୁଣ୍ଡିର ୧୮୩ ନମ୍ବର ବୁଥ୍‌ରେ ଭୋଟ୍ ଦେବାକୁ ଧାଡ଼ିରେ ଠିଆ ହୋଇଥିବା ବେଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ନଟବର ବେହେରା। ସେହିପରି ବୀରମିତ୍ରପୁରର ୧୦୦ ନମ୍ବର ବୁଥ୍‌ରେ ଜଣେ ଭୋଟରଙ୍କ ମୃତ୍ୟୁ ହୋଇଛି। ଅତ୍ୟଧିକ ଖରା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Related story