ପୁରୀ(ଓଡ଼ିଶା ରିପୋର୍ଟର): ଶରଧାବାଲିରେ ତିନି ରଥକୁ ଦକ୍ଷିଣମୋଡ଼ କରାଯାଇଛି। ଏଥି ସହ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି। ମଙ୍ଗଳବାର ଶ୍ରୀଜିଉଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ନରେ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯାଇଥିଲା। ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟଣାଯାଇଥିଲା। ପରେ ତାଳଧ୍ୱଜ ରଥକୁ ଅଣାଯାଇଥିଲା। ତେବେ ମଙ୍ଗଳବାର ସନ୍ଧ୍ୟା ହୋଇଯିବାରୁ ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରକୁ ଅଣାଯାଇଥିଲା।
ସେପଟେ ନବମୀରେ ସନ୍ଧ୍ୟା ଦର୍ଶନ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କଣ୍ଟ୍ରୋଲ ରୁମ୍ ନିକଟରୁ ସ୍ୱତନ୍ତ୍ର ବାରିକେଡ୍ କରାଯାଇଛି। ଦର୍ଶକମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ଯିବେ ଏବଂ ନାକଚଣା ଦ୍ୱାର ପଟେ ପ୍ରସ୍ଥାନ କରିବେ। ସନ୍ଧ୍ୟା ଦର୍ଶନ ପରଦିନ ବାହୁଡ଼ା ଯାତ୍ରା ହେବ। ଏଥିପାଇଁ ନୀତି ଶୃଙ୍ଖଳିତ କରାଯିବ। ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ୭ଟା ପରେ ସାଧାରଣ ଦର୍ଶନ ବନ୍ଦ ରହିବ।