ସବୁ ଦଳରେ' ଯୋଗ୍ୟ ପ୍ରାର୍ଥୀ'ଙ୍କ ସଙ୍କଟ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇସାରିଲାଣି। ଶାସକ ବିଜେଡି ସମେତ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଏବେ ନିର୍ବାଚନୀମୁହାଁ ହୋଇ ଲୋକଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ମାତ୍ର ଆଗାମୀ ନିର୍ବାଚନରେ ଟେକ୍ନୋଲୋଜିର ମାତ୍ରାଧିକ ଉପଯୋଗ ଏବଂ ଯୁବ ଭୋଟରମାନେ ବିଜୟରେ ନିର୍ଣ୍ଣାୟକ ଭୂମିକା ନେବାର ସମ୍ଭାବନା ଥିବାରୁ ଦଳଗୁଡ଼ିକ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ଏବେ ଏକ ନୂଆ ଚ୍ୟାଲେଞ୍ଜ ପାଲଟିଛି। […]

ELECTIONEVMVVPAT

ELECTIONEVMVVPAT

Manoranjan Sial
  • Published: Saturday, 16 February 2019
  • Updated: 16 February 2019, 07:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇସାରିଲାଣି। ଶାସକ ବିଜେଡି ସମେତ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଏବେ ନିର୍ବାଚନୀମୁହାଁ ହୋଇ ଲୋକଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ମାତ୍ର ଆଗାମୀ ନିର୍ବାଚନରେ ଟେକ୍ନୋଲୋଜିର ମାତ୍ରାଧିକ ଉପଯୋଗ ଏବଂ ଯୁବ ଭୋଟରମାନେ ବିଜୟରେ ନିର୍ଣ୍ଣାୟକ ଭୂମିକା ନେବାର ସମ୍ଭାବନା ଥିବାରୁ ଦଳଗୁଡ଼ିକ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ଏବେ ଏକ ନୂଆ ଚ୍ୟାଲେଞ୍ଜ ପାଲଟିଛି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ଦଳର ପ୍ରାର୍ଥୀମାନେ ବେଶ୍ ଭଲ ପ୍ରଦର୍ଶନ କରିବେ ବୋଲି ବିଭିନ୍ନ ସର୍ଭେ ରିପୋର୍ଟ ଆକଳନ କରିଥିଲେ ମଧ୍ୟ ରାଜ୍ୟର ଦଳୀୟ ନେତୃତ୍ୱଙ୍କ ପାଇଁ ତାହା ଉତ୍ସାହଜନକ ହୋଇପାରୁନି। କାରଣ ଦଳ ପାଖରେ ସମସ୍ତ ୨୧ଟି ଲୋକସଭା ଆସନ ନିମନ୍ତେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ଅଭାବ ରହିଛି। ଦଳ ଏସବୁ ଆସନରେ ଯୁବ, ଅଭିଜ୍ଞ ଓ ଦୁର୍ନୀତିମୁକ୍ତ ତଥା ରାଜନୀତିକ ଦବଦବା ଥିବା ଚେହେରାକୁ ଓହ୍ଲାଇବାକୁ ଚାହୁଁଥିବାବେଳେ ସେଭଳି ପ୍ରାର୍ଥୀ ମିଳୁନାହାନ୍ତି। କେବଳ ୮-୯ଟି ସିଟକୁ ଛାଡ଼ିଲେ ବାକି ସବୁ ଆସନରେ ଦଳକୁ ନିଜର ପୁରୁଣା କର୍ମୀଙ୍କ ଉପରେ ଭରସା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଯଦିଓ ୨୦୧୪ ଲୋକସଭା ନିର୍ବାଚନରେ ଦଳର ପ୍ରାର୍ଥୀ ୯ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ, ତଥାପି ଏହି ସିଟଗୁଡ଼ିକ ଯଥା-ବାଲେଶ୍ୱର, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର ଓ ଭୁବନେଶ୍ୱର ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଆସନରେ ନୂଆ ମୁହଁକୁ ପ୍ରାର୍ଥୀ କରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି।

ସେହିପରି ଅନ୍ୟ ୧୨ଟି ଲୋକସଭା ଆସନରେ ବିଜେପି ଯେଉଁ ନେତାମାନଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି, ସେମାନେ ତୃଣମୂଳସ୍ତରରେ ସଂଗଠନ ସହ ରହିନଥିବାରୁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବାର ସମ୍ଭାବନା କ୍ଷୀଣ। ୨୦୧୪ ସାଧାରଣ ନିର୍ବାଚନରେ ଯେଭଳି ନରେନ୍ଦ୍ର ମୋଦିଙ୍କ ଏକତରଫା ହାୱା ଥିଲା, ତାହା ଏଥର ଦେଖିବାକୁ ମିଳୁନାହିଁ। ନବୀନ ପଟ୍ଟନାୟକ ସରକାର ପ୍ରତି ରାଜ୍ୟବ୍ୟାପୀ ରହିଥିବା ଜନଆକ୍ରୋଶକୁ ମୂଳପୁଞ୍ଜି କରି ବିଜେପି ପ୍ରାର୍ଥୀମାନେ ଆଗାମୀ ନିର୍ବାଚନ ବୈତରଣୀ ପାର ହେବାକୁ ଚାହିଁ ବସିଛନ୍ତି। ଯାହାକି ସେତେଟା ସହଜ ହେବନାହିଁ। ବିଧାନସଭା ନିର୍ବାଚନରେ ୧୪୭ ଆସନରେ ଯୋଗ୍ୟ ପ୍ରାର୍ଥୀ ଦେବା ବି ରାଜ୍ୟ ବିଜେପି ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ତେବେ ବିଜେପି ଏବେ ସମସ୍ତ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାରେ ଲାଗିଛି, ଯାହାକୁ ଆସନ୍ତାମାସ ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟକୁ ପଠାଯିବ ବୋଲି ଜଣାପଡ଼ିଛି।

ସେହିପରି ଶାସକ ବିଜେଡି ଆଗାମୀ ନିର୍ବାଚନରେ ନିଜର ଭାବମୂର୍ତ୍ତି ସୁରକ୍ଷିତ ରଖିବା ପାଇଁ ଏବେଠୁ କସରତ ଚଳାଇଛି। ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଟଙ୍କାବଣ୍ଟା ଯୋଜନାକୁ ‘ଆୟୁଧ’ କରି ବିଜେଡି ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବାକୁ ଚାହୁଁଛି। ତେବେ ଗତଥର ତୁଳନାରେ ବିଜେଡି ଏଥର ଅଧିକାଂଶ ଯୁବ ଚେହେରାକୁ ମଇଦାନକୁ ଓହ୍ଲାଇବ। ଦଳର ନେତାମାନେ ଯେଭଳି ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କ ନିକଟତର ହେବେ ସେଥିପାଇଁ ସାମାନ୍ୟ ଟେକ୍ନୋଲୋଜି ଜ୍ଞାନ ଥିବା ଦୁର୍ନୀତିମୁକ୍ତ ଯୁବ କିମ୍ବା ବୟସ୍କ ଚେହେରାଙ୍କ ଖୋଜାପଡ଼ିଛି। ସୂତ୍ର କହୁଛି, ବିଜେଡି ଏଥର ଲୋକସଭା ନିର୍ବାଚନରେ ୧୩ରୁ ଅଧିକ ଆସନରେ ନୂଆ ପ୍ରାର୍ଥୀ ଦେବ। ଯେଉଁମାନେ କି ଦଳ ଓ ସାଂଗଠନିକ କାର୍ଯ୍ୟକ୍ରମ ସହ ଜଡ଼ିତ ଅଛନ୍ତି ସେମାନଙ୍କୁ ଏ କ୍ଷେତ୍ରରେ ପ୍ରାଥମିକତା ମିଳିବ।

ପ୍ରାର୍ଥୀ ସଙ୍କଟ ଏଡ଼ାଇବା ପାଇଁ ବିଜେଡି ଏବେଠୁ ନିଜର ‘ପ୍ଲାନ-ବି’କୁ ଆଗକୁ ଆଣିଛି। ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ତଥା ନିର୍ମଳ ଭାବମୂର୍ତ୍ତିର ସ୍ଲୋଗାନକୁ ଅକ୍ଷୂଣ୍ଣ ରଖିବାକୁ ଚିଟଫଣ୍ଡ ଓ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ନେତାମାନଙ୍କୁ ପ୍ରାର୍ଥୀ କରାଯିବନି ବୋଲି ବେଶ ସୁଚିନ୍ତିତ ଢଙ୍ଗରେ ପ୍ରଚାର କରାଯାଉଛି। ଅବଶ୍ୟ ବିଜେଡି ପକ୍ଷେ ଏହାକୁ କାର୍ଯ୍ୟକାରୀ କରିବା ସହଜ ନୁହେଁ ଓ ଏଭଳି କଲେ ନିର୍ବାଚନ ସମୟରେ ହିଁ ବିଜେଡି ପାଇଁ ଏହି ପ୍ରଭାବଶାଳୀ ନେତାମାନେ ‘ଗଳାର କଣ୍ଟା’ ହେବେ। ଅବଶ୍ୟ ବିଧାନସଭା ପ୍ରାର୍ଥୀ ନିମନ୍ତେ ବିଜେଡି କିଛି ଅବସରପ୍ରାପ୍ତ ସରକାରୀ କର୍ମଚାରୀ, କିଛି ମହିଳା ପ୍ରାର୍ଥୀ ଓ ସର୍ବୋପରି ମୁଖିଆଙ୍କ ପ୍ରତି ଆନୁଗତ୍ୟ ରଖୁଥିବା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ଯୋଜନା କରୁଛି।

ସେହିପରି, ରାଜ୍ୟରେ ଅସ୍ତିତ୍ୱ ଫେରିପାଇବା ପାଇଁ ପ୍ରୟାସ କରୁଥିବା କଂଗ୍ରେସ ନିଜର ପ୍ରାର୍ଥୀ ଚୟନ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ କଥା କହୁଥିଲେ ମଧ୍ୟ କ୍ଷେତ୍ରବିଶେଷରେ ଏହି ମାନଦଣ୍ଡକୁ ପାଳନ କରିବାକୁ ସକ୍ଷମ ହେବନାହିଁ। କାରଣ ଦଳରେ ଗୋଷ୍ଠୀକନ୍ଦଳ ଓ ଆଶାୟୀଙ୍କ ଲମ୍ବା ତାଲିକା ଯୋଗୁ ପ୍ରାର୍ଥୀ ଚୟନବେଳେ ଯୋଗ୍ୟ ପ୍ରାର୍ଥୀ ବାଛିବା ଦଳ ପାଇଁ ସହଜ ହେବନି। ୩ଥର ପରାଜିତ ହୋଇଥିବା ପ୍ରାର୍ଥୀଙ୍କୁ ପୁଣିଥରେ ଟିକେଟ ମିଳିବନି ଏବଂ ଯୁବ ଓ ବିଜୟ ସମ୍ଭାବନା ଥିବା ନେତାଙ୍କୁ ଟିକେଟ ଦିଆଯିବ ବୋଲି କଂଗ୍ରେସ କହୁଛି। ମାତ୍ର ସବୁ ଦଳ ତୁଳନାରେ କଂଗ୍ରେସରେ ଟିକେଟ ଆଶାୟୀଙ୍କ ସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି।

ତେଣୁ ଆଗାମୀ ନିର୍ବାଚନରେ ଟେକ୍ନୋଲୋଜିକୁ ଉପଯୋଗ କରି ଯୁବ ଓ ସଚେତନ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ନେବାକୁ ଥିବାବେଳେ ଏହି ୩ ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ଢାଞ୍ଚା ହିଁ ସେମାନଙ୍କ ବିଜୟର ମାପକାଠି ହେବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos