ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ନିଜ ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ ନିଷ୍ଠାର ସହ କାମ କର। ଲୋକଙ୍କ ସାଥିରେ ରୁହ । ସେମାନଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କର। ଆଜି ଲୋକସେବା ଭବନରେ ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷମାନଙ୍କ ପାଇଁ ଆୟୋଜିତ ‘ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳା କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପରାମର୍ଶ ଦେଇଛନ୍ତି ।
ସହରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାଗା ମିଶନ ବିକାଶ ମୁଖି ଦେଶମାନଙ୍କ ପାଇଁ ଏକ ମଡେଲ ହୋଇଛି । ସେହିପରି ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ସୁଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡିଶା ସାରା ଦେଶରେ ଏକ ମାତ୍ର ରାଜ୍ୟ ହୋଇପାରିଛି । ଜାଗା ମିଶନ, ସୁଜଳ,ପରିମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ମୁକ୍ତା ଯୋଜନା, ଆହାର ଏବଂ ସ୍ମାର୍ଟ LED Light ଆଦି ସରକାରଙ୍କ ପ୍ରୋଗ୍ରାମ ଉପରେ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ଗୁରୁତ୍ୱାରୋପ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବସ୍ତି ବିକାଶ ସମୟରେ ରାଜ୍ୟ ସରକାର ଜମି ଅପେକ୍ଷା ଲୋକଙ୍କୁ ଅଧିକ ଗୁରୁତ୍ୱ ଦେଇ ଜାଗା ମିଶନ ଆରମ୍ଭ କରିଛନ୍ତି । ଏ ପର୍ଯ୍ୟନ୍ତ ୧.୭୫ଲକ୍ଷ ପରିବାରକୁ ଭୂମି ଅଧିକାର ଦିଆଯାଇଥିବାବେଳ ୫୮୫ ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଇଛି । ସୁଜଳ କାର୍ଯ୍ୟକ୍ରମରେ ପୁରୀରେ ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳ ରାଜ୍ୟର କୋଡିଏ ଟି ସହରରେ ଏଥିପାଇଁ କାମ ଚାଲିଛି ।
ସେହିପରି କୋଭିଡ ସମୟରେ ସହରର ଗରିବ ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ମୁକ୍ତା ଯୋଜନା ଜାରି ରହିବ। ଏଥିପାଇଁ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମିଶନ ଶକ୍ତି ଓ ବସ୍ତି ବିକାଶ ସଙ୍ଗଠନ ଜରିଆରେ ଚାଲିଥିବା ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ହୋଇପାରିଛି। ଏହାବାଦ ସ୍ୱଚ୍ଛତା ଓ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସହରାଞ୍ଚଳ ବିକାଶ ନିମନ୍ତେ 5T ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ ଏହାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦିଅ । ନୂଆ ନେତୃତ୍ୱ ଓ ନୂଆ ପରିଚାଳନା କୌଶଳ ପୌର ସେବାକୁ ନୂତନ ଶିଖରରେ ପହଞ୍ଚାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
କର୍ମଶାଳାରେ ଉଦବୋଧନ ଦେଇ ନଗର ଉନ୍ନୟନ ପଞ୍ଚାୟତି ରାଜ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ନଗର ଉନ୍ନୟନ ବିଭାଗ ର ପ୍ରମୁଖ ସଚିବ ଜି ମାଥି ଭାତ ନାନ ଓ ପୌର ନିର୍ଦେଶକ ଶ୍ରୀ ସଂଗ୍ରାମଜୀତ ନାୟକ ପ୍ରମୁଖ ଯୋଗ ଦେଇଥିଲେ।