ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସି ନିଜ ସପକ୍ଷରେ ପ୍ରଚାର କରି ଲକ୍ଷ୍ନୌ ଅଭିମୁଖେ ଫେରି ଯାଇଛନ୍ତି । ଶ୍ରୀମତୀ ମୁର୍ମୁଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଛନ୍ତି । ମଧ୍ୟାହ୍ନ ଭୋଜନରେ ଶୁଦ୍ଧ ଶାକାହାରୀ ଓ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ ଥିଲା ବୋଲି ଜଣାପଡ଼ିଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀର କିଛି ସମୟ ବିଳମ୍ବରେ ଆସି ସ୍ୱତନ୍ତ୍ର […]

CM

Ordigital Desk
  • Published: Friday, 08 July 2022
  • , Updated: 08 July 2022, 10:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସି ନିଜ ସପକ୍ଷରେ ପ୍ରଚାର କରି ଲକ୍ଷ୍ନୌ ଅଭିମୁଖେ ଫେରି ଯାଇଛନ୍ତି । ଶ୍ରୀମତୀ ମୁର୍ମୁଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଛନ୍ତି । ମଧ୍ୟାହ୍ନ ଭୋଜନରେ ଶୁଦ୍ଧ ଶାକାହାରୀ ଓ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ ଥିଲା ବୋଲି ଜଣାପଡ଼ିଛି ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀର କିଛି ସମୟ ବିଳମ୍ବରେ ଆସି ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ତାଙ୍କୁ ଓଡ଼ିଶା ବିଧାନସଭା ପରିସରରେ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଥିଲା । ସେଠାରେ ଶ୍ରୀମତୀ ମୁର୍ମୁ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିଥିଲେ । ତେବେ ସେ ସମର୍ଥନ ମାଗିବା ପୂର୍ବରୁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ତାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଥିବାରୁ ସେ କୃତଜ୍ଞତା ଜଣାଇଥିଲେ । ସେହିପରି ରାଜ୍ୟ ଅତିଥି ଭବନରେ ଶ୍ରୀମତୀ ମୁର୍ମୁ ରାଜ୍ୟ ବିଜେପି ବିଧାୟକ , ସାଂସଦ ଓ ଦଳୀୟ ପଦାଧିକାରୀଙ୍କୁ ଭେଟିଥିଲେ । ଏହାପରେ ସେ ନବୀନ ନିବାସ ଅଭିମୁଖେ ଗସ୍ତ କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବା ସହ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ ।

[caption id="attachment_747722" align="aligncenter" width="650"] ଜେଡି ସୁପ୍ରିମୋଙ୍କ ସହ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତଙ୍କ ସମେତ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟାହ୍ନ ଭୋଜନ କରିଥିଲେ ।[/caption]

ଶ୍ରୀମତୀ ମୁର୍ମୁଙ୍କ ସହ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗଜେନ୍ଦ୍ର ସିଂ ଶେଖାୱତ ମଧ୍ୟ ନବୀନ ନିବାସ ଯାଇଥିଲେ । ବିଜେଡି ସୁପ୍ରିମୋଙ୍କ ସହ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତଙ୍କ ସମେତ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟ ମଧ୍ୟାହ୍ନ ଭୋଜନ କରିଥିଲେ । ମଧ୍ୟାହ୍ନ ଭୋଜନ ଶୁଦ୍ଧ ଶାକାହାରୀ ଭାବେ ପ୍ରସ୍ତୁତ ହୋଇଥିଲା । ଭାତ, ଡାଲି, ଆଳୁ ଚକଟା, ବଡ଼ି ଚୁରା, ବାଇଗଣ ଭଜା ଆଦି ଓଡ଼ିଆ ଖାଦ୍ୟରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ଆପ୍ୟାୟିତ କରାଯାଇଥିଲା । ନବୀନ ନିବାସରେ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ମଧ୍ୟାହ୍ନ ଭୋଜନ କରିଥିବାବେଳେ ବିଜେଡିର ଅନ୍ୟ କୌଣସି ନେତାଙ୍କୁ ସେହି ସ୍ଥାନରେ ଦେଖିବାକୁ ଅନୁମତି ମିଳିନଥିଲା । ଏପରିକି ମଧ୍ୟାହ୍ନ ଭୋଜନର ଆୟୋଜନ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କରିଥିଲେ ମଧ୍ୟ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏଥିରୁ ଦୂରେଇ ରଖାଯାଇଥିଲା । ଶ୍ରୀମତୀ ମୁର୍ମୁ ନବୀନ ନିବାସରୁ ସିଧାସଳଖ ବିମାନ ବନ୍ଦର ଯାଇଥିଲେ ଓ ସ୍ୱତନ୍ତ୍ର ବିମାନରେ ଲକ୍ଷ୍ନୌ ଅଭିମୁଖେ ଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଶ୍ରୀମତୀ ମୁର୍ମୁଙ୍କୁ ବିଜେଡି ନିଜର ସମର୍ଥନ ଦେବାକୁ ଘୋଷଣା କରିଥିବାବେଳେ ଏକମାତ୍ର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ସମର୍ଥନ ଦେବେ । ୧୯୭୧ ଜନଗଣନା ଆଧାରରେ ରାଷ୍ଟ୍ରପତି ପଦ ନିମନ୍ତେ ଓଡ଼ିଶାର ଜଣେ ବିଧାୟକଙ୍କ ଭୋଟ ପରିମାଣ ହେଉଛି ୧୪୯ । ରାଜ୍ୟ ବିଧାନସଭାରେ ମୋଟ ୧୪୭ଜଣ ବିଧାୟକ ଥିବାବେଳେ ଏଥିରେ ବିଜେଡିର ୧୧୨ଜଣ, ବିଜେପିର ୨୨ଜଣ ଓ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଭୋଟ୍ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଯିବ । ଏମାନଙ୍କ ବାଦ୍ ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବଙ୍କ ମଧ୍ୟରୁ ଶ୍ରୀ ପାଣିଗ୍ରାହୀ ମଧ୍ୟ ନିଜର ସମର୍ଥନ ଶ୍ରୀମତୀ ମୁର୍ମୁଙ୍କୁ ଦେବେ । କେବଳ କଂଗ୍ରେସର ୯ ବିଧାୟକ ଓ ସିପିଏମର ଜଣେ ବିଧାୟକଙ୍କ ଭୋଟ୍ କାହା ସପକ୍ଷରେ ଯିବ ତାହା ଏବେବି ଅସ୍ପଷ୍ଟ । ସେହିପରି ଲୋକସଭାର ଜଣେ ସାଂସଦଙ୍କ ଭୋଟ୍ ପରିମାଣ ୭୦୦ ହୋଇଥିବାବେଳେ ଓଡ଼ିଶାରେ ବିଜେଡି ଓ ବିଜେପିର ଲୋକସଭା ସାଂସଦ ୨୦ ଓ ରାଜ୍ୟସଭାର ସମସ୍ତ ୧୦ଜଣ ସାଂସଦ ଅଛନ୍ତି । ସମସ୍ତଙ୍କ ଭୋଟ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଯିବ ବୋଲି ଜଣାପଡ଼ିଛି । କେବଳ କଂଗ୍ରେସର ଜଣେ ସାଂସଦ ସପ୍ତଗିରି ଉଲାକାଙ୍କ ଭୋଟ ୟୁପିଏ ପ୍ରାର୍ଥୀଙ୍କୁ ମିଳିବାର ସମ୍ଭାବନା ରହିଛି ।

Related story