ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥାନା ଓ ଡାକ୍ତରଖାନାଗୁଡ଼ିକରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁକୁ ମାସେ ପୁରିବାକୁ ବସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଥାନାଗୁଡ଼ିକ ପାଇଁ ହାତଖର୍ଚ୍ଚ ମଞ୍ଜୁର କରିଛନ୍ତି। ଥାନାଗୁଡ଼ିକରେ ସାଧାରଣ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା ନିମନ୍ତେ ଆଜି ରାଜ୍ୟ ରାଜକୋଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକବର୍ଷ ପାଇଁ ୧୭.୫କୋଟି ଟଙ୍କାର ପାଣ୍ଠି ଅନୁମୋଦନ କରିଛନ୍ତି। ଏହି ଅର୍ଥରେ ଥାନାଗୁଡ଼ିକରେ ସାଧାରଣ ଲୋକ ଓ କଏଦୀଙ୍କୁ ଆବଶ୍ୟକ ସୁବିଧା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର କିଛି ଘଣ୍ଟା ନପୁରୁଣୁ ସୋଶାଲ ମିଡିଆରେ କମିଶନରେଟ୍ ପୁଲିସ ଏକ ଟ୍ୱିଟ୍ କରି ଏହି ଅର୍ଥ ବାସ୍ତବରେ କେଉଁ କାର୍ଯ୍ୟରେ ଖର୍ଚ୍ଚ ହେବ ତା’ର ଯେଉଁ ହିସାବ ଦେଇଛି ତାହା ସାଧାରଣ ଲୋକ ନୁହେଁ ବରଂ ପୁଲିସର ବିଭିନ୍ନ ଆବଶ୍ୟକତା ପୂରଣରେ ଉପଯୋଗ ହେବ ବୋଲି ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଥାନାଗୁଡ଼ିକ ଯେଭଳି ଅଧିକ ଦକ୍ଷତାର ସହ ସାଧାରଣ ଲୋକଙ୍କୁ ଉନ୍ନତ ସେବା ଯୋଗାଇ ଦେଇପାରିବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ସମସ୍ତ ୫୮୭ଟି ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନ୍ସି ଫଣ୍ଡ ମଞ୍ଜୁର କରିଛନ୍ତି। ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ ଅଧୀନରେ ଥିବା ୪୪ଟି ଥାନା ପାଇଁ ମାସିକ ୪୦ହଜାର ଟଙ୍କା ଲେଖାଏ, ୧୪୨ଟି ସହରାଞ୍ଚଳ ଥାନା ପାଇଁ ମାସିକ ୩୦ହଜାର ଟଙ୍କା, ୩୫୧ଟି ଗ୍ରାମାଞ୍ଚଳ ଥାନା ପାଇଁ ମାସିକ ୨୦ହଜାର ଟଙ୍କା ଲେଖାଏ ଏକ ବର୍ଷ ପାଇଁ ମଞ୍ଜୁର କରିଛନ୍ତି। ସେହିପରି ୪ଟି ମହିଳା ଥାନା, ୫ଟି ଟ୍ରାଫିକ ଥାନା, ୧୫ଟି ରେଳବାଇ ଥାନା, ୪ଟି ସାଇବର ଥାନା, ଗୋଟିଏ ଅର୍ଥନୀତିକ ଅପରାଧ ଥାନା, ଗୋଟିଏ ଏସଟିଏଫ ଥାନା, ଗୋଟିଏ ଏଚଆରପିସି ଥାନା, ଗୋଟିଏ କ୍ରାଇମବ୍ରାଞ୍ଚ ଥାନାକୁ ମାସିକ ୩୦ହଜାର ଟଙ୍କା ଲେଖାଏ ଓ ୧୮ଟି ସାମୁଦ୍ରିକ ଥାନା ପାଇଁ ମାସିକ ୨୦ହଜାର ଟଙ୍କା ଲେଖାଏ ମଞ୍ଜୁର ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାର କିଛି ଘଣ୍ଟା ନପୁରୁଣୁ କମିଶନରେଟ୍ ପୁଲିସ୍ ଏହି ଅର୍ଥ କିଭଳି ଖର୍ଚ୍ଚ ହେବ ତାକୁ ନେଇ ସୋଶାଲ ମିଡିଆରେ ବିସ୍ତୃତ ଭାବେ ଉଲ୍ଲେଖ କରିଛି। ଥାନାକୁ ଯାଉଥିବା ଲୋକଙ୍କୁ ଚା’ ଅଫର କରାଯିବା, ଗିରଫ ହେଉଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଦେବା ନିମନ୍ତେ ଖର୍ଚ୍ଚ, ଭଡ଼ାରେ ଗାଡ଼ି ଆଣି ମୃତ ବ୍ୟକ୍ତିର ଶବ ବ୍ୟବଚ୍ଛେଦ ପାଇଁ ପଠାଇବା, କୌଣସି ସ୍ଥାନରେ ଚଢ଼ଉ କରିବା ପାଇଁ ଆବଶ୍ୟକ ଗାଡ଼ି ଭଡ଼ା ସହିତ ଯେଉଁ ବ୍ୟକ୍ତିମାନେ ଅସୁବିଧାରେ ଥିବେ ଅବା ଦୁର୍ଘଟଣାଗ୍ରସ୍ତ ଓ ପରିତ୍ୟକ୍ତ ହୋଇଥିବେ ସେମାନଙ୍କୁ ତୁରନ୍ତ ସହାୟତା ନିମନ୍ତେ ଏହି ଅର୍ଥରୁ ଖର୍ଚ୍ଚ କରାଯାଇ ପାରିବ । ଏସବୁ ବ୍ୟତୀତ ଅନ୍ୟାନ୍ୟ ଦୈନନ୍ଦିନ ଖର୍ଚ୍ଚ ମଧ୍ୟ ଏହି ପାଣ୍ଠିରୁ ଉପଯୋଗ କରାଯିବ।
ତେବେ ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ପୁଲିସ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ ଓ ପରସ୍ପରର ଆସ୍ଥାଭାଜନ ହେବା ଉଦ୍ଦେଶ୍ୟରେ ଥାନାଗୁଡ଼ିକ ପାଇଁ ଏଭଳି ହାତପାଣ୍ଠିର ବ୍ୟବସ୍ଥା କରିଥିବାବେଳେ କମିଶନରେଟ ପୁଲିସ୍ ସୋଶାଲ ମିଡିଆରେ ଟ୍ୱିଟ୍ ଜାରି କରି ଅର୍ଥ ଖର୍ଚ୍ଚର ଯେଉଁ ବିବରଣୀ ଦେଇଛି ତାହା ଏହି ପାଣ୍ଠିର ଦୁରୂପଯୋଗର ଆଭାସ ଦେଇଛି । କାରଣ ମୁଖ୍ୟମନ୍ତ୍ରୀ ଥାନା ପାଇଁ ଯେଉଁ ହାତଖର୍ଚ୍ଚ ଦେଇଛନ୍ତି ତାହା ମାଧ୍ୟମରେ ଥାନାରେ ସାଧାରଣ ଲୋକଙ୍କୁ ଉନ୍ନତ ସେବା ଓ ଆତିଥ୍ୟର ପରିବେଶ ସୃଷ୍ଟି କରି ପୁଲିସକୁ ସାଧାରଣ ଲୋକଙ୍କ ନିକଟତର କରାଇବା ପାଇଁ ଉଦ୍ଦିଷ୍ଟ। କିନ୍ତୁ କୌଣସି ଅପରାଧ କାର୍ଯ୍ୟ ପାଇଁ ପୁଲିସ୍ ଚଢ଼ଉ ଅବା ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ଗାଡ଼ି ଭଡ଼ା କରିବା ନିମନ୍ତେ ଏହି ଅର୍ଥ ଖର୍ଚ୍ଚ ହେଲେ ସାଧାରଣ ଲୋକଙ୍କୁ ଆବଶ୍ୟକ ସୁବିଧା ମିଳିବା ସମ୍ଭାବନା କ୍ଷୀଣ। ତା’ଛଡ଼ା ପୁଲିସ୍ ଚଢ଼ଉ, ଶବ ବ୍ୟବଚ୍ଛେଦ ପାଇଁ ଗାଡ଼ି ଭଡ଼ା ଓ ଗିରଫ ବ୍ୟକ୍ତିଙ୍କୁ ଖାଦ୍ୟ ଦେବା ଆଦି କାର୍ଯ୍ୟକୁ ପୁଲିସ୍ ନିଜର ପ୍ରଶାସନିକ ଖର୍ଚ୍ଚରୁ ଭରଣା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଦେଇଥିବା ହାତଖର୍ଚ୍ଚରୁ ଉପଯୋଗ କରିବା କେତେଦୂର ଯଥାର୍ଥ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।