ପଶ୍ଚିମ ଓଡ଼ିଶାରେ ଆଂଚଳିକ ବୈଷମ୍ୟ ଜଳଜଳ, ଲଲିପପ୍ ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା, ପଶ୍ଚିମଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ସ୍ଥାପନ ଓ କୋଶଳୀ ଭାଷାକୁ ମାନ୍ୟତା ଆଦି କ୍ଷେତ୍ରରେ ଦୀର୍ଘ ଦୁଇ ଦଶନ୍ଧି ଧରି ଟାଳଟୂଳ ନୀତି ଅବଲମ୍ବନ କରୁଥିବା ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମଓଡ଼ିଶାରେ ନିଜର ଭୋଟବ୍ୟାଙ୍କକୁ ସଜାଡ଼ିବାକୁ ଉଦ୍ୟମ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମଓଡ଼ିଶା ବିକାଶ  ପରିଷଦ ପାଣ୍ଠିରେ ନିର୍ମିତ ୯ଟି ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ଅନ୍ୟ ୯ଟି […]

cmo

Ordigital Desk
  • Published: Friday, 21 October 2022
  • , Updated: 21 October 2022, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା, ପଶ୍ଚିମଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ସ୍ଥାପନ ଓ କୋଶଳୀ ଭାଷାକୁ ମାନ୍ୟତା ଆଦି କ୍ଷେତ୍ରରେ ଦୀର୍ଘ ଦୁଇ ଦଶନ୍ଧି ଧରି ଟାଳଟୂଳ ନୀତି ଅବଲମ୍ବନ କରୁଥିବା ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମଓଡ଼ିଶାରେ ନିଜର ଭୋଟବ୍ୟାଙ୍କକୁ ସଜାଡ଼ିବାକୁ ଉଦ୍ୟମ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମଓଡ଼ିଶା ବିକାଶ  ପରିଷଦ ପାଣ୍ଠିରେ ନିର୍ମିତ ୯ଟି ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ଅନ୍ୟ ୯ଟି ପ୍ରକଳ୍ପର ଭିତ୍ତିଭୂମି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାରେ  ବିଧାୟକ ଓ ସାଂସଦମାନେ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ ।

ପଶ୍ଚିମଓଡ଼ିଶା ବିକାଶ ପରିଷଦର ନିଜସ୍ୱ ଲୋଗୋ ଓ ଡାସବୋର୍ଡକୁ ଲୋକାର୍ପିତ କରିବା ସହ  ୯ଟି ପ୍ରକଳ୍ପର ଉଦଘାଟନ ଓ ୯ଟି ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆଂଚଳିକ ବୈଷମ୍ୟ ଦୂର କରିବା ଲକ୍ଷ୍ୟ ନେଇ ପଶ୍ଚିମଓଡ଼ିଶା ବିକାଶ ଉପରେ ଗୁରୁତ୍ୱ ଦେଇ ସରକାର କାର୍ଯ୍ୟ କରୁଛନ୍ତି । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ହଜାର ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି । ଗତବର୍ଷ ପରିଷଦର ବାର୍ଷିକ ଅନୁଦାନ ପରିମାଣକୁ ୧୦୦ରୁ ୨୦୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପଶ୍ଚିମଓଡ଼ିଶା ବିକାଶ ପାଇଁ ଭିତ୍ତିଭୂମି ସହିତ କୃଷି, ଜଳସେଚନ ଓ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟଟନ ଓ ହସ୍ତତନ୍ତ ଆଦିର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି । ବିଜୁ ଏକ୍ସପ୍ରେସ ୱେର ପଶ୍ଚିମଓଡ଼ିଶା କରିଡର କାମ ଶୀଘ୍ର ଶେଷ ହେବାକୁ ଯାଉଛି । ଆଗାମୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପ ପାଇଁ ଏକ ସ୍ପେଶାଲ ପ୍ୟାକେଜ ମଧ୍ୟ ଘୋଷଣା କରାଯିବ । ପଶ୍ଚିମ ଓଡ଼ିଶାରେ ବିକାଶର ଥରକୁ ଆହୁରି ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭର୍ଚୁଆଲ ମୋଡରେ ସାମିଲ କରି ତଥା ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ସମସ୍ତ ଜିଲ୍ଲାର ମୁଖ୍ୟାଳୟକୁ ଯୋଡ଼ି ଏକ ବଡ଼ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପରିଷଦର ପାଣ୍ଠିରୁ ଲୋକାର୍ପିତ ୯ଟି ପ୍ରକଳ୍ପ ପାଇଁ ୧୪.୬୯କୋଟି ଟଙ୍କା ଓ ଶିଳାନ୍ୟାସ ପାଇଁ ୩୩.୬୮କୋଟି ଟଙ୍କାର ୯ଟି ପ୍ରକଳ୍ପ କରାଯାଇଛିି । ଏହି ସମୁଦାୟ ପ୍ରକଳ୍ପ ପାଇଁ ୪୮.୩୭କୋଟି ଟଙ୍କା ବିନିଯୋଗ କରାଯାଉଛି । ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସ୍କୁଲ, କଲ୍ୟାଣ ମଣ୍ଡପ, ସ୍ପୋଟର୍ସ କମ୍ପେ୍ଲକ୍ସ , ମିଲେଟ୍ ପ୍ରକ୍ରିୟାକରଣ ପ୍ରକଳ୍ପ ରହିଛି ।

ଆଜିର ଏହି କାର୍ଯ୍ୟକ୍ରମରେ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଅଧିକାଂଶ ଜନ ପ୍ରତିନିଧି, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ ପଶ୍ଚିମଓଡ଼ିଶା ପାଣ୍ଠିରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଥିଲେ ମଧ୍ୟ ପଶ୍ଚିମଓଡ଼ିଶାବାସୀଙ୍କ ଦୀର୍ଘଦିନ ଦାବିକୁ ସରକାର ଅଣଦେଖା କରି ଚାଲିଛନ୍ତି । ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ଆଳରେ ଲଲିପପ୍ ଦେବାକୁ ପ୍ରୟାସ କରିଛନ୍ତି । କିନ୍ତୁ ଆଂଚଳିକ ବୈଷମ୍ୟ ଦୂର ନିମନ୍ତେ ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ, ପଶ୍ଚିମଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ସ୍ଥାପନ, କୋଶଳୀ ଭାଷାକୁ ସରକାରୀ ମାନ୍ୟତା ଓ ଅନ୍ୟାନ୍ୟ ସୁବିଧା ଦେବା ଦିଗରେ ସରକାର ଆନ୍ତରିକତା ଦେଖାଉ ନଥିବାରୁ ନିୟମିତ ବ୍ୟବଧାନରେ ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ଜନ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି ।

Related story