କେନ୍ଦ୍ର ବଜେଟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, କହିଲେ ସାହସିକ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପିତ ହେବାପରେ ରାଜନୀତିକ ମହଲରେ ବିଭିନ୍ନ ପ୍ରତିକ୍ରିୟା ଆସୁଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜେଟକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ବଜେଟକୁ ବିଜେଡିର ପ୍ରଶଂସା ଅନେକ କିଛି ଦିଗକୁ ଇଙ୍ଗିତ କରୁଛି। ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କରୋନା ପରବର୍ତ୍ତୀ ପରିଦୃଶ୍ୟରେ ଏହା ପ୍ରଥମ ବଜେଟ୍ ଓ ଅନେକ ନୂଆ ଚ୍ୟାଲେଞ୍ଜ ରହିଛି ଯାହାକି ଏହି ବଜେଟ୍ ସମାଧାନ କରିବ […]

naveen

Tapas Behera
  • Published: Monday, 01 February 2021
  • , Updated: 01 February 2021, 07:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପିତ ହେବାପରେ ରାଜନୀତିକ ମହଲରେ ବିଭିନ୍ନ ପ୍ରତିକ୍ରିୟା ଆସୁଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜେଟକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ବଜେଟକୁ ବିଜେଡିର ପ୍ରଶଂସା ଅନେକ କିଛି ଦିଗକୁ ଇଙ୍ଗିତ କରୁଛି।

ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କରୋନା ପରବର୍ତ୍ତୀ ପରିଦୃଶ୍ୟରେ ଏହା ପ୍ରଥମ ବଜେଟ୍ ଓ ଅନେକ ନୂଆ ଚ୍ୟାଲେଞ୍ଜ ରହିଛି ଯାହାକି ଏହି ବଜେଟ୍ ସମାଧାନ କରିବ ବୋଲି ଆଶା କରାଯାଉଛି। କେନ୍ଦ୍ରୀୟ ଟିକସ ବାବଦରେ ଓଡ଼ିଶାକୁ ପ୍ରାୟ ୧୦୮୪୦ କୋଟି ଟଙ୍କା କମ୍‌ ମିଳିବ ତଥା ପଂଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ରାଜ୍ୟର ଅଂଶଧନ ମଧ୍ୟ ଆଗାମୀ ୫ବର୍ଷ ପାଇଁ ୪.୬୨୯%ରୁ ୪.୫୨୮%କୁ ହ୍ରାସ ପାଇବ। ଏହା ରାଜ୍ୟର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଶ୍ରୀ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିଛନ୍ତି।

ବଜେଟକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି ବଜେଟରେ କେତେକ ସକରାତ୍ମକ ଦିଗ ରହିଛି। ସେଗୁଡ଼ିକ ହେଲା, ଅଭିବୃଦ୍ଧିକୁ ଗତିଶୀଳ କରିବା ପାଇଁ ଆର୍ଥିକ ନିଅଣ୍ଟକୁ ସମ୍ପ୍ରସାରଣ କରିବାକୁ ସାହାସିକ ନିଷ୍ପତ୍ତି ନିଆଯାଇଛି। ‘ଆତ୍ମନିର୍ଭରଶୀଳ ଭାରତ’ ପାଇଁ ଏକ ମଧ୍ୟମ ଓ ଦୀର୍ଘକାଳୀନ ଦୃଷ୍ଟିଭଙ୍ଗୀ ରହିଛି । ଏହାସହିତ  ଅଭିବୃଦ୍ଧି ପାଇଁ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି। ବିକାଶମୂଳକ ଆର୍ଥିକ ପ୍ରତିଷ୍ଠାନର ପୁନଃପ୍ରଚଳନ, କୋଭିଡ୍ ଟୀକା ପାଇଁ ଅର୍ଥ ଆବଣ୍ଟନ, ଶିଳ୍ପ ଓ ନିର୍ଦ୍ଦିଷ୍ଟ କ୍ଷେତ୍ରଭିତ୍ତିକରେ ହସ୍ତକ୍ଷେପ ପ୍ରସ୍ତାବ ସହ ସମାନୁପାତିକ ଆବଣ୍ଟନର ଆଶା କରାଯାଉଛି।

ତେବେ କେନ୍ଦ୍ରୀୟ ଟିକସରେ ବହୁ ପରିମାଣର ହ୍ରାସ ଯୋଗୁ ଓଡ଼ିଶା ବ୍ୟାପକ ଭାବେ ପ୍ରଭାବିତ ହେବ। ଚଳିତବର୍ଷ ପ୍ରାୟ ୧୦୮୪୦କୋଟି ଟଙ୍କାର ଟିକସ ହ୍ରାସ ପାଇବ ଏବଂ ପଂଚଦଶ ଅର୍ଥ କମିଶନଙ୍କ ସୁପାରିସରେ ରାଜ୍ୟକୁ ମିଳୁଥିବା ୪.୬୨୯% ହାରରେ ଅଂଶଧନ ମଧ୍ୟ ଆଗାମୀ ୫ବର୍ଷ ପାଇଁ ୪.୫୨୮%କୁ ହ୍ରାସ ପାଇବ। ଯାହାକି ରାଜ୍ୟ ଉପରେ ଗୁରୁତର ପ୍ରଭାବ ପକାଇବ।

ସେହିପରି ଉଭୟ ରେଳବାଇ ଓ ରାଜପଥ କ୍ଷେତ୍ରରେ ଓଡ଼ିଶାରେ ଅଧିକ ପୁଞ୍ଜିବିନିଯୋଗର ଆବଶ୍ୟକା ରହିଛି, କିନ୍ତୁ ଅନ୍ୟ ରାଜ୍ୟ ପାଇଁ ଅଧିକ ଯୋଜନା କରାଯାଇଛି ।

ସେହିପରି ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଆବଣ୍ଟନ ଓ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ପାଇଁ ହସ୍ତାନ୍ତର ପରିମାଣକୁ ବୃଦ୍ଧି କରାଯିବାର ଆବଶ୍ୟକତା ଅଛି।
ପେଟ୍ରୋଲ ଓ ଡିଜେଲ ଉପରେ ସେସ୍ ପ୍ରବର୍ତ୍ତନ ଦ୍ୱାରା ରାଜସ୍ୱର କେନ୍ଦ୍ରୀକରଣ ହେବ ଓ ଏହା କେନ୍ଦ୍ର-ରାଜ୍ୟ ମଧ୍ୟରେ ଥିବା ସନ୍ତୁଳନ ଦୁର୍ବଳ ହେବ।
ମହିଳା, ଚାଷୀ ଓ ଏମଏସଏମଇମାନଙ୍କୁ ଋଣ ଯୋଗାଇବା ଦିଗରେ ବ୍ୟାଙ୍କଗୁଡ଼ିକୁ ଅଧିକ ଉତ୍ତରଦାୟୀ କରିବାକୁ ପଡ଼ିବ।
କେନ୍ଦ୍ର ବଜେଟ ଚଳିତଥର ସବୁଜ ଓ ଡିଜିଟାଲ ବଜେଟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି ଓ ଓଡ଼ିଶା ଗତବର୍ଷଠୁ ଏଭଳି କରୁଛି ବୋଲି କହିଛନ୍ତି ।
କେନ୍ଦ୍ର ବଜେଟରେ ମହିଳା ସଶକ୍ତିକରଣ (ମିଶନ ଶକ୍ତି) ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ୨୦୧୧-୧୨ରୁ  ଓଡ଼ିଶାର ‘ମମତା’ ଯୋଜନାକୁ କେନ୍ଦ୍ର ସରକାର ଗ୍ରହଣ କରାଯିବା ପରେ ଆମ ରାଜ୍ୟର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ହିଁ ସମଗ୍ର ଦେଶରେ ଓଡ଼ିଶା ଏକ ବେଂଚମାର୍କ ସ୍ଥାପନ କରିଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି।
ମମତା ଓ ମିଶନ ଶକ୍ତି ପରେ ମହିଳା ସଶକ୍ତିକରଣ ଦିଗରେ ପରବର୍ତ୍ତୀ ପଦକ୍ଷେପ ଭାବେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଦିଗରେ ଯର୍ଥାର୍ଥ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ମଧ୍ୟ ନିଜ ବଜେଟ୍ ପ୍ରତିକ୍ରିୟାରେ କହିଛନ୍ତି।

Related story