Advertisment

ମୁଖ୍ୟମନ୍ତ୍ରୀଙ୍କ ଅଫିସ ଚଳାଉନି ଟ୍ୱିଟର ହାଣ୍ଡେଲ

`ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍‌ର ଓ ଫେସବୁକ୍‌ ଆକାଉଣ୍ଟ ଖୋଲିବା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୌଣସି ଫାଇଲ/ତଥ୍ୟ ନାହିଁ। ତେଣୁ ସେ ଏ ସଂକ୍ରାନ୍ତରେ କୌଣସି ସୂଚନା ଦେବା ସମ୍ଭବ ନୁହେଁ।’

ଅଦ୍ୟତନ ହୋଇଛି
CMO

CMO

Advertisment

ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଫେସବୁକ୍‌ ଓ ଟ୍ୱିଟର ହାଣ୍ଡେଲ ବା ଆକାଉଣ୍ଟ ଚଳାଉନି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଲୋକସେବା ଭବନର ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନସୂଚନା ଅଧିକାରୀ ଆଫିଡେଭିଟ ମାଧ୍ୟମରେ ଏଭଳି ଉତ୍ତର ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୁଇ ବର୍ଷରୁ ଅଧିକ ସମୟ ଲାଗିଯାଇଛି।

Advertisment

କଟକର ଜଣେ ସମାଜସେବୀ ଅଭିମନ୍ୟୁ ଦାସ ପ୍ରାୟ ୭,୦୦୦ରୁ ଅଧିକ ରୋଗୀଙ୍କୁ ସେବା କରିବା ଓ ‌୧,୩୦୦ ଶବ ସତ୍କାର କରିଥିବାର ଏକ ଖବରକୁ ୨୦୨୦ ସେପଟେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍‌ କରିଥିଲା। ଏହି ଟ୍ୱିଟ୍‌ର ସତ୍ୟତା ଜାଣିବା ପାଇଁ କଟକର ଜଣେ ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନରେ ପ୍ରଥମେ ୨୦୨୧ ଜୁଲାଇ ୨୯ ତାରିଖରେ ତଥ୍ୟ ମାଗିଥିଲେ। ୩୦ ଦିନ ଭିତରେ ସୂଚନା ମିଳିଯିବା କଥା। ମାତ୍ର ତାଙ୍କୁ କୌଣସି ଉତ୍ତର ମିଳିଲା ନାହିଁ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୦୨୧ ସେପଟେମ୍ବର ୨୮ରେ ପ୍ରଥମ ଅପିଲ କଲେ। ତଥାପି ତାଙ୍କୁ ୪୫ ଦିନରେ ଉତ୍ତର ମିଳିଲା ନାହିଁ। ବାଧ୍ୟ ହୋଇ ସେ ରାଜ୍ୟ ସୂଚନା କମିଶନରଙ୍କ ପାଖରେ ୨୦୨୨ ଫେବ୍ରୁଆରୀ ୨୨ ତାରିଖରେ ଅପିଲ କଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜନସୂଚନା ଅଧିକାରୀ କିଶୋର ଚନ୍ଦ୍ର ସ୍ୱାଇଁ ସୂଚନା କମିଶନଙ୍କ ନିକଟରେ ସତ୍ୟପାଠ ଜରିଆରେ ଦର୍ଶାଇଲେ ଯେ `ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍‌ର ଓ ଫେସବୁକ୍‌ ଆକାଉଣ୍ଟ ଖୋଲିବା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୌଣସି ଫାଇଲ/ତଥ୍ୟ ନାହିଁ। ତେଣୁ ସେ ଏ ସଂକ୍ରାନ୍ତରେ କୌଣସି ସୂଚନା ଦେବା ସମ୍ଭବ ନୁହେଁ।’

CMOମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍‌ର ଓ ଫସେବୁକ୍‌ ଆକାଉଣ୍ଟ ଖୋଲିବା ସମ୍ପର୍କରେ ସତ୍ୟପାଠ

ଏଥିରୁ ସ୍ପଷ୍ଟ ହୋଇଯାଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ବା ଫେସବୁକ ହ୍ୟାଣ୍ଡେଲ ବା ଆକାଉଣ୍ଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୌଣସି ଅଧିକାରୀ ଚଳାଉନାହାନ୍ତି ବା ଚଳାଉଥିଲେ ବି ସେଥିପାଇଁ କୌଣସି ସରକାରୀ ନିର୍ଦ୍ଦେଶ ଦିଆଯାଇନାହିଁ।

Advertisment

ଟ୍ୱିଟର ବା ଫେସବୁକରେ ନେତା ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୁଇଟି ଆକାଉଣ୍ଟ ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟ୍‌ର ହ୍ୟାଣ୍ଡଲ ହେଉଛି- @CMO_Odisha। ଏହା କୌଣସି ବ୍ୟକ୍ତିର ନୁହେଁ, ବରଂ ଏକ ସାମ୍ବିଧାନିକ କର୍ଯ୍ୟାଳୟର ଭେରିଫାଏଡ ସୋସିଆଲ ମିଡିଆ ଆକାଉଣ୍ଟ। ଏହାର ପରିଚାଳନା କାର୍ଯ୍ୟ ଯଦି ବି ତୃତୀୟ ପକ୍ଷଙ୍କୁ ଦିଆଯିବ ତେବେ ଏ ନେଇ ଟେଣ୍ଡର ହେବା କଥା କିମ୍ବା ଲିଖିତ ବୁଝାମଣା ରହିବା କଥା। ଏସବୁ ପାଳନ ନ କରିବା ପଛରେ କିଛି ନ୍ୟସ୍ତ ସ୍ୱାର୍ଥ ରହିଥିବା ମନେ ହେଉଛି।

ଅନ୍ୟପଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭଳି ଏକ ସରକାରୀ ଆକାଉଣ୍ଟରୁ ଯେଉଁ ତଥ୍ୟ ଦିଆଯାଉଛି ତାହାକୁ ସାଧାରଣ ଲୋକେ ସରକାରୀ ତଥ୍ୟ ବୋଲି ବିଶ୍ୱାସ କରୁଛନ୍ତି। ଏହି ଆକାଉଣ୍ଟ ଜରିଆରେ କିଏ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଲା, କିଏ ଅନ୍ୟ କିଛି ସହାୟତା ପାଇଲା ବା ସରକାରୀ ନିର୍ଦ୍ଦେଶନାମା ବି ପ୍ରକାଶ ପାଉଛି। ତାହାକୁ ଗଣମାଧ୍ୟମ ବି ସରକାରୀ ତଥ୍ୟ ଭାବି ଲୋକଙ୍କ ପାଖରେ ପହଁଚାଉଛି। ଯଦି ଏହି ହାଣ୍ଡେଲକୁ କେହି ହ୍ୟାକ କରି ଏହାର ଅପବ୍ୟବହାର କରେ ସେଥିପାଇଁ କିଏ ଦାୟୀ ରହିବ? ଏ ନେଇ ଆମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଉତ୍ତର ମିଳିପାରିନାହିଁ।

ରିପୋର୍ଟ-ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ

Bhubaneswar BjD Cmo Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe