ପଂଚାୟତ ପ୍ରତନିଧିମାନଙ୍କୁ ନବୀନଙ୍କ ମନ୍ତ୍ର: ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବି ସମାଧାନ କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଭାବେ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସବୁ ନବନିର୍ବାଚିତ ପଂଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟର ନବନିର୍ବାଚିତ ୧ଲକ୍ଷ ୬ହଜାର ୩୫୨ଜଣ ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ରାଜ୍ୟ ସରକାରଙ୍କ ‘ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ଅବସରରେ ଏହି ପରାମର୍ଶ ଦେଇଛନ୍ତି। […]

cm1

Ordigital Desk
  • Published: Thursday, 02 June 2022
  • , Updated: 02 June 2022, 09:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଭାବେ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସବୁ ନବନିର୍ବାଚିତ ପଂଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟର ନବନିର୍ବାଚିତ ୧ଲକ୍ଷ ୬ହଜାର ୩୫୨ଜଣ ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ରାଜ୍ୟ ସରକାରଙ୍କ ‘ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ଅବସରରେ ଏହି ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏଥର ମହିଳାମାନେ ବହୁ ସଂଖ୍ୟାରେ ଜିତି ପଂଚାୟତର ମଙ୍ଗ ଧରିଛନ୍ତି । ଏହାଦ୍ୱାରା ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ୱପ୍ନ ସାକାର ହୋଇଛି । ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଂଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ଯେପରି ସରକାରୀ ସେବାରୁ ବଂଚିତ ନ ହୁଏ, ସରକାରୀ ସେବା ପାଇବାରେ ହଇରାଣ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକ ଓ ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ବୋଲି କହି ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଫାଇଭ-ଟି ମନ୍ତ୍ରକୁ ଗାଁର ବିକାଶରେ ଉପଯୋଗ କରନ୍ତୁ ଓ ଏହାଦ୍ୱାରା ଗାଁ-ପଂଚାୟତର ପରିବର୍ତ୍ତନ ହୋଇପାରିବ ତଥା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିବ । ଜନସାଧାରଣଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ୱ ଭାବି ସେବା କଲେ ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିଯିବେ । ନିଜ କାମ ଦ୍ୱାରା ନିଜ ନିଜ ଅଂଚଳରେ ବିକାଶର ଦୂତ ଭାବରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, କୃଷି ମନ୍ତ୍ରୀ ଅରୁଣ ସାହୁ, ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ପଂଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପଂଚାୟତିରାଜ ସଚିବ ଅଶୋକ କୁମାର ମୀନା, ମିଶନ ଶକ୍ତି ସଚିବ ସୁଜାତା କାତ୍ତିକେୟନ ପ୍ରମୁଖ ଜନ ପ୍ରତିନିଧିମାନଙ୍କ ଆଗରେ ନିଜର ମତ ରଖିଥିଲେ । ଜଳ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ବି ଏହି କାର୍ଯ୍ୟକ୍ରମରେ ପଂଚାୟତ ଜନପ୍ରତିନିଧିମାନେ ସାମିଲ ହୋଇଥିଲେ । ୧୨ଟି ବିଭାଗକୁ ସାମିଲ କରି ପ୍ରଥମଥର ପାଇଁ ପଂଚାୟତ ପ୍ରତିନିଧିଙ୍କ ନିମନ୍ତେ ଏଭଳି ସାମଗ୍ରିକ ସରକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆଜିି ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ହୋଇ ଥିବାବେଳେ ଅଗଷ୍ଟ ମାସ ସୁଦ୍ଧା ଜିଲ୍ଲା ଓ ବ୍ଲକସ୍ତରରେ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପଂଚାୟତ ଜନପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି ।

Related story