ବିଧାୟକଙ୍କ ଅଭିଯୋଗ: ଚିଟ୍‌ଫଣ୍ଡ୍ ସଂସ୍ଥା ଭଳି ଠକୁଛନ୍ତି ସମବାୟ ସମିତି

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ସଂସ୍ଥା ଭଳି ସମବାୟ ବ୍ୟାଙ୍କଗୁଡ଼ିକ ବି ଲୋକଙ୍କୁ ଠକୁଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଅଭିଯୋଗ ଆଣିଛନ୍ତି ଖୋଦ୍ ଶାସକ ଦଳର ଦୁଇ ଜଣ ବିଧାୟକ ଦେବାଶିଷ ନାୟକ ଓ ଜୀବନ ପ୍ରଦୀପ ଦାସ। ଆଜି ବିଧାନସଭାର ପ୍ରଶ୍ନକାଳରେ ସେମାନେ ଏହି ଅଭିଯୋଗ ଆଣିଥିଲେ। ଦେବାଶିଷ ନାୟକ ଅଭିଯୋଗ କରିଥିଲେ ଯେ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ନ ଥାଇ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଛି। କୋ-ଅପରେଟିଭ୍‌ଗୁଡ଼ିକୁ କେବଳ ସୋସାଇଟି କରିବା […]

debashis

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 03:51 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ସଂସ୍ଥା ଭଳି ସମବାୟ ବ୍ୟାଙ୍କଗୁଡ଼ିକ ବି ଲୋକଙ୍କୁ ଠକୁଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଅଭିଯୋଗ ଆଣିଛନ୍ତି ଖୋଦ୍ ଶାସକ ଦଳର ଦୁଇ ଜଣ ବିଧାୟକ ଦେବାଶିଷ ନାୟକ ଓ ଜୀବନ ପ୍ରଦୀପ ଦାସ। ଆଜି ବିଧାନସଭାର ପ୍ରଶ୍ନକାଳରେ ସେମାନେ ଏହି ଅଭିଯୋଗ ଆଣିଥିଲେ।

ଦେବାଶିଷ ନାୟକ ଅଭିଯୋଗ କରିଥିଲେ ଯେ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ନ ଥାଇ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଛି। କୋ-ଅପରେଟିଭ୍‌ଗୁଡ଼ିକୁ କେବଳ ସୋସାଇଟି କରିବା ପାଇଁ ଅନୁମତି ମିଳିଥିଲା। ବ୍ୟାଙ୍କ କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ଲାଇସେନ୍ସ ଦିଆଯାଇନାହିଁ। ଲୋକମାନଙ୍କଠାରୁ ଏମାନେ ଶହ ଶହ କୋଟି ଟଙ୍କା ଆଦାୟ କରୁଛନ୍ତି। ଚିଟ୍‌ଫଣ୍ଡ ସଂସ୍ଥା ଭଳି ଏମାନେ ଟଙ୍କା ଧରି ଫେରାର ହୋଇ ଯିବେନି ତ ବୋଲି ଦେବାଶିଷ ପ୍ରଶ୍ନ କରି ଥିଲେ।

ସେ ଆହୁରି ମଧ୍ୟ କହିଥିଲେ,“ବିଜୁ ବାବୁଙ୍କ ନାଁରେ ସ୍କିମ୍ କରି କେନ୍ଦ୍ରାପଡ଼ା କୋ-ଅପରେଟିଭ୍‌ ସୋସାଇଟି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଛି। ବିଜୁ ବାବୁଙ୍କ ଭଳି ଜଣେ ପ୍ରବାଦ ପୁରୁଷଙ୍କ ନାମ ନେଇ ଟଙ୍କା ଆଦାୟ କରିବାକୁ ସରକାର ମଂଜୁରୀ ଦେଇଛନ୍ତି କି?”

ସେହିଭଳି ବାଲେଶ୍ୱରରେ ମଧ୍ୟ ସମବାୟ ବ୍ୟାଙ୍କ ବିନା ଲାଇସେନ୍ସରେ ଟଙ୍କା ଆଦାୟ କରୁଛି ବୋଲି ବିଧାୟକ ଜୀବନ ପ୍ରଦୀପ ଦାସ କହିଥିଲେ।

ସେ କହିଥିଲେ,“ କୋ-ଅପରେଟିଭ୍ ସୋସାଇଟିଗୁଡ଼ିକ ବ୍ୟାଙ୍କ ଭାବରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଉପରେ ସରକାରଙ୍କର ବିଧିବଦ୍ଧ ଭାବେ କିଛି ନିୟନ୍ତ୍ରଣ ନାହିଁ। ବିନା ବ୍ୟାଙ୍କିଙ୍ଗ୍ ଲାଇସେନ୍ସରେ ସେମାନେ ବ୍ୟାଙ୍କ ଭଳି କାର୍ଯ୍ୟ କରୁଛନ୍ତି। ଏହା ଉପରେ ଯଥାଶୀଘ୍ର ଅଙ୍କୁଶ ଲାଗିବା ଜରୁରୀ ହୋଇପଡ଼ିଛି।”

ସମବାୟ ମନ୍ତ୍ରୀ ଦାମୋଦର ରାଉତ ତାଙ୍କ ଉତ୍ତରରେ କହିଥିଲେ,“କେନ୍ଦ୍ରାପଡ଼ା ଓ କଟକରେ ଥିବା ୨ଟି ସମବାୟ ସୋସାଇଟି ଜମା ସଂଗ୍ରହ କରୁଛନ୍ତି ଓ ଋଣ ଦେଉଛନ୍ତି। ତେବେ ସେଠାରେ କିଛି ବେଆଇନ୍ କାର୍ଯ୍ୟ ହୋଇଛି କି ନାହିଁ ତା’ର ସ୍ୱତନ୍ତ୍ର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ସ୍ଥାନରୁ ଏଭଳି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ କହିଛନ୍ତି ଯେ ଆର୍ଥିକ କାରବାର ପାଇଁ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ଆବଶ୍ୟକ ନାହିଁ। ସେ କହିଛନ୍ତି,“ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିରେ କିଛି ବେଆଇନ୍ କାମ ହୋଇନାହିଁ। ଯେଉଁମାନଙ୍କର ସମବାୟ ସଂପର୍କରେ କିଛି ଜ୍ଞାନ ନାହିଁ, ସେମାନେ ଏଭଳି ଅଭିଯୋଗ ଆଣୁଥିବେ।”

ସୂଚନାଯୋଗ୍ୟ, ରାଜ୍ୟରେ ୪୦୦ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ରହିଛି।

Related story