ମାଲକାନଗିରି(ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ କୋବ୍ରା ବାହିନୀ। ଗର୍ଭ ଯନ୍ତ୍ରଣାରେ ଛଟପଟ ଜଣେ ଗର୍ଭବତୀଙ୍କୁ ଦୁର୍ଗମ ସ୍ଥାନରୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇବା ପରେ ଯବାନମାନେ ଚର୍ଚ୍ଚାକୁ ଆସିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରବଣ ପୋଟକପଲ୍ଲୀ ଗ୍ରାମରୁ ଏହି ଗର୍ଭବତୀଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ମୁତାକବ, ପୋଟକପଲ୍ଲୀ ଗ୍ରାମର ଭୀମରାମ ବେଟ୍ଟୀଙ୍କ ପତ୍ନୀ ମାୟା ବେଟ୍ଟୀ ଦିନକ ତଳେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର ଲୋକେ କିପରି ଦୁର୍ଗମ ଅଞ୍ଚଳରୁ ମାୟାଙ୍କୁ ନେଇ ମେଡିକାଲରେ ପହଞ୍ଚାଇବେ କିଛି ବୁଦ୍ଧି ବାଟ ପାଉ ନ ଥିଲେ। ଏନେଇ ପୋଟକପଲ୍ଲୀ ଗ୍ରାମରେ ଅବସ୍ଥାପିତ ୨୦୮ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟ ଏ.କେ.ରାୟ ଜାଣିବା ପରେ ତୁରନ୍ତ କୋବ୍ରା ବାହିନୀ ଯବାନଙ୍କ ସହାୟତାରେ ମହିଳାଙ୍କୁ ପ୍ରଥମେ କୋବ୍ରା ବାଟାଲିୟନର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠାରେ ଥିବା ଡାକ୍ତର ରାଜେଶ ପଟ୍ଟା ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଆନ୍ଧ୍ରପ୍ରଦେଶର ଭଦ୍ରାଞ୍ଚଳମ୍ ମେଡିକାଲକୁ ପଠାଇଥିଲେ। ଗତକାଲି ଭଦ୍ରାଞ୍ଚଳମ୍ ମେଡିକାଲରେ ମାୟା ଏକ ସୁନ୍ଦର ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ମା’ ଓ ଶିଶୁ ଭଦ୍ରାଞ୍ଚଲମ ମେଡିକାଲରେ ସୁସ୍ଥ ଥିବା ଜଣାପଡିଛି।
[caption id="attachment_790758" align="aligncenter" width="650"]
ନକ୍ସଲ ପ୍ରବଣ ପୋଟକପଲ୍ଲୀ ଗ୍ରାମ ଠାରୁ ମେଡିକାଲ ୭୦ କିଲୋମିଟର ଦୂର ହୋଇଥିବାରୁ ଏହି ଅଂଚଳରେ ରୋଗୀ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଅନ୍ୟପଟେ ଏଠାରେ କୋବ୍ରା ବାଟାଲିୟନର କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସରକାରଙ୍କ ତରଫରୁ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଯବାନଙ୍କ ଏଭଳି ସହାୟତା ସଭିଙ୍କ ମହଲରେ ପ୍ରଶଂସାର ବିଷୟ ହୋଇଛି। ମାୟାଙ୍କ ପରିବାର ଲୋକେ ମଧ୍ୟ ଯବାନଙ୍କୁ ସହାୟତା ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି।