ଭୁବନେଶ୍ୱର: ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ କଂଗ୍ରେସରେ ସୃଷ୍ଟି ହୋଇଥିବା ଅନ୍ତର୍ଦ୍ୱନ୍ଦର ସମାଧାନ ପାଇଁ ଆସନ୍ତାକାଲି କଂଗ୍ରେସ ବିଧାୟକଙ୍କ ବୈଠକ ବସିବ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦିଲ୍ଲୀ ଯାଇଥିବା ୧୨ ବିଧାୟକଙ୍କ ସହ ଆଲୋଚନା କରିବେ। ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ୧୨ ଜଣ ବିଧାୟକଙ୍କୁ ଆଲୋଚନା ଲାଗି ଡାକିଛନ୍ତି । ଗୁରୁବାର ପୂର୍ବାହ୍ନ ୧୧ଟାରେ ସେମାନଙ୍କୁ ପିସିସି ଅଫିସରେ ହାଜର ହେବାକୁ କୁହାଯାଇଛି । ଏମାନେ ଦିଲ୍ଲୀରେ ହାଇମାଣ୍ଡଙ୍କ ପାଖରେ କ’ଣ ଫେରାଦ ହେଲେ ଓ ତାକୁ ନେଇ କାହିଁକି ଦ୍ୱନ୍ଦ ସୃଷ୍ଟି ହେଲା ତାହାର କାରଣ ଖୋଜିବେ ପିସିସି ସଭାପତି । ବିଧାୟକଙ୍କୁ ଶୁଣିବା ପରେ ତାହାର ସମାଧାନ ଲାଗି ବାଟ ବାହାର କରିବେ ପିସିସି ସଭାପତି । ତେବେ ସନ୍ଧ୍ୟାରେ ବିରୋଧୀ ଦଳ ନେତା ଡାକିଥିବା ବୈଠକକୁ ବାତିଲ କରାଯାଇଛି। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଦଳୀୟ ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବା ବିଧାୟକମାନଙ୍କୁ ପିସିସି ସଭାପତି ଆଲୋଚନା ଲାଗି ଡାକିଛନ୍ତି । ମୋତେ ଏହି ବୈଠକକୁ ଡକାଯାଇନାହିଁ । ତେଣୁ ମୋର ସେଠାକୁ ଯିବାର ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।