ମାଙ୍କିଡ଼ିଆ ଜନଜାତିଙ୍କୁ ଠକିଦେଲା ଠିକାଦର, ଅଧପନ୍ତରିଆ ଘର କରି ଟଙ୍କା ଧରି ଚମ୍ପଟ

ଉଦଳା (ମାନସ ପାଣି): ମାଙ୍କିଡ଼ିଆ ଜନଜାତିର ଲୋକଙ୍କୁ ଠକିଦେଲା ଠିକାଦର। ଅଧପନ୍ତରିଆ ଘର କରି ଟଙ୍କା ଧରି ଚମ୍ପଟ ମାରିଲା। ଏବେ ଉପାୟଶୂନ ହୋଇ ନିଜ ଭଙ୍ଗା ଦଦରା ଘରେ ଜୀବନ କାଟୁଛନ୍ତି ହିତାଧିକାରୀ। ଏପରି ଚିତ୍ର ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରୁ। କପ୍ତିପଦା ବ୍ଲକର ବାଲିପୋଷୀ ଗାଁ। ଏହି ଗାଁରେ ୨୫ରୁ ଅଧିକ ମାଙ୍କଡ଼ିଆ ପରିବାର ବସବାସ କରୁଛନ୍ତି। ୨୦୧୪-୧୫ ମସିହାରେ ବିଭିନ୍ନ ପର୍ଯ୍ୟାୟରେ ୧୫ରୁ ୨୦ଟି ପରିବାରକୁ ମିଳିଥିଲା ‘ଇନ୍ଦିରା ଆବାସ’ ଯୋଜନାରେ […]

Kaptipada

  • Published: Friday, 23 September 2022
  • , Updated: 23 September 2022, 10:15 PM IST

ଉଦଳା (ମାନସ ପାଣି): ମାଙ୍କିଡ଼ିଆ ଜନଜାତିର ଲୋକଙ୍କୁ ଠକିଦେଲା ଠିକାଦର। ଅଧପନ୍ତରିଆ ଘର କରି ଟଙ୍କା ଧରି ଚମ୍ପଟ ମାରିଲା। ଏବେ ଉପାୟଶୂନ ହୋଇ ନିଜ ଭଙ୍ଗା ଦଦରା ଘରେ ଜୀବନ କାଟୁଛନ୍ତି ହିତାଧିକାରୀ। ଏପରି ଚିତ୍ର ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରୁ।

କପ୍ତିପଦା ବ୍ଲକର ବାଲିପୋଷୀ ଗାଁ। ଏହି ଗାଁରେ ୨୫ରୁ ଅଧିକ ମାଙ୍କଡ଼ିଆ ପରିବାର ବସବାସ କରୁଛନ୍ତି। ୨୦୧୪-୧୫ ମସିହାରେ ବିଭିନ୍ନ ପର୍ଯ୍ୟାୟରେ ୧୫ରୁ ୨୦ଟି ପରିବାରକୁ ମିଳିଥିଲା ‘ଇନ୍ଦିରା ଆବାସ’ ଯୋଜନାରେ ଘର। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଘର ନିର୍ମାଣ ଶେଷ ହୋଇନାହିଁ। କାହାର ଘର ଫାଉଣ୍ଡେସନ୍‌ ପଡ଼ିଛି ତ ଆଉ କାହାର କାନ୍ଥ ଉଠାଇ ଟଙ୍କା ନେଇ ଛୁ’ ମାରିଛି ଠିକାଦାର। ଯାହାଫଳରେ ହିତାଧିକାରୀମାନେ ନାନା ଅସୁବିଧାରେ ଅସୁବିଧାରେ ପଡ଼ୁଛନ୍ତି।

କାମଦାମ କରି ଚଳୁଥିବା ଗରିବ ମାଙ୍କିଡ଼ିଆଙ୍କ ପରିବାର ପାଖରେ ଏତେ ସମ୍ୱଳ ନାହିଁ ଯେ, ସେମାନେ ଘର ସମ୍ପୂର୍ଣ୍ଣ କରିପାରିବେ। ତେଣୁ କିଏ ଗୋରୁ ଛେଳି ବିକି ନିର୍ମାଣ ହୋଇଥିବା ଘର ଉପରେ ଆଜବେଷ୍ଟସ୍‌ ପକାଇ ରହୁଛି ତ ଆଉ କିଏ ଈଶ୍ୱରଙ୍କ ଭରସା କରି ସେମିତି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଗୋଟିଏ ଗାଁରେ ଏତେ ବଡ଼ ଘର ଦୁର୍ନୀତି କେମିତି ହେଲା? ଏ ସମ୍ପର୍କରେ ଜାଣିବାକୁ ହେଲେ ପୂରା କାହାଣୀ ଜାଣିବାକୁ ହେବ। ମାଙ୍କିଡ଼ିଆମାନେ ସାଧାରଣତଃ ଗରିବ ଓ ନୀରିହ। ଦିନେ ଥିଲା ଏମାନେ ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରି, ତାକୁ ଶୁଖାଇ ସେଥିରେ ଶିକା, ଦୌଡ଼ି ଓ ଅନ୍ୟାନ୍ୟ ସରଞ୍ଜାମ ତିଆରି କରି ଚଳୁଥିଲେ। ଶିଆଳି ଲତା କାଟିବା ଉପରେ ବନ ବିଭାଗ ପ୍ରତିବନ୍ଧକ ଲଗାଇବାରୁ ମାଙ୍କିଡ଼ିଆମାନେ ବାଧ୍ୟ ହୋଇ ନିଜ ଜୀବିକାଠାରୁ ଦୂରେଇ ଗଲେ। ପରିବାର ଭରଣ ପୋଷଣ ପାଇଁ ମୂଲ ମଜୁରି ଲାଗିଲେ। ଯାହା ମଜୁରି ମିଳୁଥିଲା ସେଥିରେ ଚଳୁଥିଲେ। ଯେଉଁଦିନ କାମ କରିବାକୁ ଯାଉନଥିଲେ, ସେଦିନ ଚୂଳି ଜଳୁନଥିଲା। ସେମାନଙ୍କ ପକ୍ଷେ ଘର ନିର୍ମାଣ କରିବା ସମ୍ଭବ ନୁହେଁ।

ତେଣୁ ଇନ୍ଦିରା ଆବାସ ଘର ମିଳିବା ପରେ ସେମାନଙ୍କ ପାଖରେ ପହଞ୍ଚିଲା ଠିକାଦାର। ସତମିଛ କଥା କହି ଠିକାଦାର ପ୍ରଥମେ ମାଙ୍କିଡ଼ିଆଙ୍କ ମନ କିଣିଥିଲା। ତା’ପରେ ଶୀଘ୍ର ଘର ତିଆରି କରିବାର ପ୍ରତିଶ୍ରୁତି ଦେଇଥିଲା। ନୀରିହ ମାଙ୍କିଡ଼ିଆମାନେ ତାଙ୍କ କଥାକୁ ବିଶ୍ୱାସ କରି ଦେଇଥିଲେ ନିଜର ଆଧାରକାର୍ଡ ଓ ବ୍ୟାଙ୍କ ପାସ୍‌ବୁକ୍‌। ତା’ପରଠାରୁ ଠିକାଦାର ଆରମ୍ଭ କଲା ଅସଲ ଖେଳ।

କାର୍ଯ୍ୟାଦେଶ ମିଳିଥିବା ଇନ୍ଦିରା ଆବାସ ଘର ନିର୍ମାଣ ଆରମ୍ଭ କଲା ଠିକାଦାର। ସେହି ଘର ଦେଖାଇ ଟଙ୍କା ଉଠାଇଲା। ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବା ପରେ ଠିକାଦାର ହିତାଧିକାରୀଙ୍କୁ ଗାଡ଼ି କରି ଘରୁ ନେଇଯାଉଥିଲା। ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ହିତାଧିକାରୀଙ୍କୁ ୧୦୦ରୁ ୨୦୦ ଟଙ୍କା ଦେଇ ବାକି ଟଙ୍କା ନେଇ ଚମ୍ପଟ ମାରିଥିଲା। ଏହି ଫର୍ମୁଲାରେ ଠିକାଦାରମାନେ ମାଙ୍କିଡ଼ିଆଙ୍କଠାରୁ ଇନ୍ଦିଆବାସ ଟଙ୍କା ଲୁଟିଛନ୍ତି। ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ମାଙ୍କିଡ଼ିଆଙ୍କ ଇନ୍ଦିରା ଆବାସ ଘର ଅଧପନ୍ତରିଆ ହୋଇ ପଡ଼ି ରହିଛି। ଏଥିପ୍ରତି ବ୍ଲକ ପ୍ରଶାସନ ସାମାନ୍ୟତମ ନଜର ଦେଉନାହିଁ। ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁରୁଣା ଘର ନିର୍ମାଣ ସରୁନଥିବାରୁ ଆଜି ପର୍ଯ୍ୟନ୍ତ ଗାଁର ଆଉ କାହାକୁ ଘର ମିଳୁଥିବା ଅଭିଯୋଗ ହେଉଛି।

ଗୋଟିଏ ଗାଁରେ ଏତେ ବଡ଼ ଘୋଟାଲା ହେଲା। ହେଲେ ଏ ସମ୍ପର୍କରେ ବ୍ଲକ ପ୍ରଶାସନ କେମିତି ଜାଣିପାରିଲା ନାହିଁ? ନା ବ୍ଲକ ପ୍ରଶାସନ ଜାଣି ଚୁପ୍‌ ରହିଛି। ଏନେଇ କପ୍ତିପଦା ବିଡିଓ କହିଛନ୍ତି, ହିତାଧିକାରୀଙ୍କୁ ଘର ମିଳିଥିଲା। ସେମାନେ ନିଜ ଘର ନିର୍ମାଣ କରିବା କଥା। ମାତ୍ର ସେମାନେ ଠିକାଦାରକୁ ଘର ନିର୍ମାଣ କରିବାକୁ ଦେଇଥିଲେ। ସେହି ଠିକାଦାରମାନେ ଆମ କଣ୍ଟ୍ରୋଲରେ ନାହାନ୍ତି। ହିତାଧିକାରୀମାନେ ଅଭିଯୋଗ କଲେ ଠିକାଦରଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇ କିଛି ବ୍ୟବସ୍ଥା କରାଯିବ ବୋଲି ବିଡିଓ କହିଛନ୍ତି।

Related story