ଅଭାବୀ ଧାନବିକ୍ରି ରୋକିବା ପାଇଁ ସବୁ ଜିଲ୍ଲାରେ ଖୋଲିବ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଖରିଫ ଋତୁରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏ କଣ୍ଟ୍ରୋଲ ରୁମ୍ ଖୋଲିବ। ଅଭାବୀ ଧାନ ବିକ୍ରି ରୋକିବା, ଚାଷୀଙ୍କୁ ସେମାନଙ୍କ ଧାନ ବିକ୍ରି ଦେୟ ଠିକ୍ ସମୟରେ ନମିଳିବା, ମଣ୍ଡିରେ ଚାଷୀଙ୍କଠୁ ଧାନ ସଂଗ୍ରହ କରିବା ଆଦି ସମସ୍ୟାର ତକ୍ରାଳ ନିରାକରଣ ଏହି କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ହେବ। ଚାଷୀମାନେ ଏହି କଣ୍ଟ୍ରୋଲ ରୁମକୁ ଫୋନ୍ କରି ନିଜର ଆପତ୍ତି ଅଭିଯୋଗ ଜଣାଇଲେ ତାହା ଉପରେ ଜିଲ୍ଲା ପ୍ରଶାସନ ତକ୍ରାଳ ପଦକ୍ଷେପ ନେବ। […]

6790

Tapas Behera
  • Published: Monday, 04 November 2019
  • , Updated: 05 November 2019, 03:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଖରିଫ ଋତୁରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏ କଣ୍ଟ୍ରୋଲ ରୁମ୍ ଖୋଲିବ। ଅଭାବୀ ଧାନ ବିକ୍ରି ରୋକିବା, ଚାଷୀଙ୍କୁ ସେମାନଙ୍କ ଧାନ ବିକ୍ରି ଦେୟ ଠିକ୍ ସମୟରେ ନମିଳିବା, ମଣ୍ଡିରେ ଚାଷୀଙ୍କଠୁ ଧାନ ସଂଗ୍ରହ କରିବା ଆଦି ସମସ୍ୟାର ତକ୍ରାଳ ନିରାକରଣ ଏହି କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ହେବ। ଚାଷୀମାନେ ଏହି କଣ୍ଟ୍ରୋଲ ରୁମକୁ ଫୋନ୍ କରି ନିଜର ଆପତ୍ତି ଅଭିଯୋଗ ଜଣାଇଲେ ତାହା ଉପରେ ଜିଲ୍ଲା ପ୍ରଶାସନ ତକ୍ରାଳ ପଦକ୍ଷେପ ନେବ।
ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଖରିଫ ଧାନ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଗାଇଡଲାଇନ୍ ଅନୁସାରେ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିବା ନିମନ୍ତେ ଚିଠି ଲେଖିଛନ୍ତି। ଏହି କଣ୍ଟ୍ରୋଲ ରୁମ୍ ଓ ଏହାର କାର୍ଯ୍ୟ ସମ୍ପର୍କରେ ଗାଇଡଲାଇନ୍ ଜାରି କରି ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ୍ ଦାସ କହିଛନ୍ତି ଯେ, ଜିଲ୍ଲା କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଜଣେ ବରିଷ୍ଠ ଓ ଦାୟିତ୍ୱସମ୍ପନ୍ନ ଅଧିକାରୀ ରହିବେ। ଯିଏକି ଚାଷୀଙ୍କୁ ସହାୟତା ଓ ମାର୍ଗଦର୍ଶନ କରିପାରିବେ ତଥା ସେମାନଙ୍କର ଯେକୌଣସି ଅଭିଯୋଗର ସମାଧାନ ଦେଇପାରିବେ।

ଏହି କଣ୍ଟ୍ରୋଲରୁମରେ ଗୋଟିଏ ଲ୍ୟାଣ୍ଡଲାଇନ କିମ୍ବା ମୋବାଇଲ୍ ଫୋନ୍ ରହିବ। ଏହି ନମ୍ବରକୁ ସମ୍ବାଦପତ୍ରରେ ପ୍ରକାଶିତ କରିବା ସହ ପ୍ରତ୍ୟେକ ଧାନ ମଣ୍ଡିରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ। ଚାଷୀଙ୍କଠୁ ମିଳୁଥିବା ପ୍ରତ୍ୟେକ ଅଭିଯୋଗକୁ ଏକ ରେଜିଷ୍ଟରରେ ଉଲ୍ଲେଖ କରାଯିବ ଓ ତା’ର ତ୍ୱରିତ୍ ସମାଧାନ କରାଯିବ। ନିଗମର ମୁଖ୍ୟାଳୟରେ ଏକ ଟୋଲ୍ ଫ୍ରି (୧୯୬୭) କଣ୍ଟ୍ରୋଲ ରୁମ୍ ରହିଛି । ଧାନ ସଂଗ୍ରହକୁ ନେଇ ଯେକୌଣସି ଅଭିଯୋଗ ଏଠାରେ କରାଯିବ। ଏହାସହିତ ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ଦୈନିକ ସଂଗ୍ରହ ହେଉଥିବା ଧାନ ଓ ମିଲରମାନେ ନେଉଥିବା ଧାନକୁ ମଧ୍ୟ ତଦାରଖ କରାଯିବ । ତେଣୁ ଜିଲ୍ଲାପାଳମାନେ ତୁରନ୍ତ କଣ୍ଟ୍ରୋଲରୁମର ନମ୍ବର ଓ କେଉଁ ଅଧିକାରୀଙ୍କୁ ତା’ର ଦାୟିତ୍ୱ ଦିଆଯିବ ତାହା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଜଣାଇବାକୁ ଶ୍ରୀ ଦାସ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

Related story