ବାହାଘର ଓ ଅନ୍ତେଷ୍ଟି ପାଇଁ କଟକଣା ଜାରି କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ବିବାହ ଉତ୍ସବ ଓ ଅନ୍ତେଷ୍ଟି କ୍ରିୟା ସମାପନକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳ, ପୁଲିସ ଏସପି, ମହାନଗର ନିଗମ କମିଶନର ଓ ପୁଲିସ କମିଶନରଙ୍କୁ ଏନେଇ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ବିବାହ ଓ ଅନ୍ତେଷ୍ଟି କ୍ରିୟାରେ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିବାହ […]

marriage-3

Tapas Behera
  • Published: Wednesday, 08 July 2020
  • , Updated: 08 July 2020, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ବିବାହ ଉତ୍ସବ ଓ ଅନ୍ତେଷ୍ଟି କ୍ରିୟା ସମାପନକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳ, ପୁଲିସ ଏସପି, ମହାନଗର ନିଗମ କମିଶନର ଓ ପୁଲିସ କମିଶନରଙ୍କୁ ଏନେଇ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ବିବାହ ଓ ଅନ୍ତେଷ୍ଟି କ୍ରିୟାରେ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିବାହ ଉତ୍ସବରେ କୌଣସି ପରିସ୍ଥିତିରେ ବି ସମସ୍ତଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ଏକଜୁଟ ହେବେ ନାହିଁ। ୫୦ଜଣରୁ ଅଧିକ ଲୋକଙ୍କ ସମାବେଶ ନହେବାକୁ ସ୍ଥାନୀୟ ପୁଲିସ୍ ସୁନିଶ୍ଚିତ କରିବ। ବିବାହ ପାଇଁ ଥାନାଠୁ ପୂର୍ବ ଅନୁମତି ଜରୁରୀ। ବିବାହ ଉତ୍ସବରେ ବର କିମ୍ବା ବରଯାତ୍ରୀ ଶୋଭାଯାତ୍ରା କରି ଯାଇପାରିବେ ନାହିଁ। ଯଦି କେହି ଥଣ୍ଡା, କାଶ ଓ ଜ୍ୱର ଆଦି ଫ୍ଲୁ’ରେ ପୀଡ଼ିତ ଥିବେ ସିଏ ବିବାହ ଭୋଜିରେ ସାମିଲ ହୋଇପାରିବେ ନାହିଁ।

ସେହିପରି ୬୫ବର୍ଷରୁ ଅଧିକ ବ୍ୟକ୍ତି, ୧୦ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା, ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି ବିବାହ ଉତ୍ସବରେ ସାମିଲ ହୋଇପାରିବେ ନାହିଁ। ବିବାହ ଉତ୍ସବରେ ଲୋକମାନଙ୍କ ମଧ୍ୟରେ ଅତିକମରେ ୨ମିଟର ଦୂରତ୍ୱ ବଜାୟ ରହିବ। ବିବାହରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତି କେବଳ ଖାଇବା ସମୟକୁ ବାଦଦେଲେ ଅନ୍ୟ ସବୁବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପାନ, ଗୁଟଖା ସର୍ବସାଧାରଣରେ ଖାଇପାରିବେ ନାହିଁ । ବରର ପିତା ଅବା ଅଭିଭାବକ ଏହା ସୁନିଶ୍ଚିତ କରାଇବେ।

ବିବାହର ଆୟୋଜକ ହାତଧୋଇବା ପାଇଁ ସାବୁନ ଓ ପାଣିର ବ୍ୟବସ୍ଥା ସହ ସାନିଟାଇଜରର ମଧ୍ୟ ବ୍ୟବସ୍ଥା କରିବେ। ଏସବୁ ନିର୍ଦ୍ଦେଶନାମାକୁ ଅମାନ୍ୟ କଲେ ବିବାହ ଆୟୋଜକ, ବିବାହ ହେଉଥିବା ସ୍ଥାନର ମ୍ୟାନେଜର ଓ ବିବାହରେ ସାମିଲ ହୋଇଥିବା ଲୋକମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରିଲିଫ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଅନ୍ତେଷ୍ଟିକ୍ରିୟା ଅବା ମୃତ ବ୍ୟକ୍ତିଙ୍କ ସଂସ୍କାର ଓ ପରବର୍ତ୍ତୀ ଭୋଜି ନିମନ୍ତେ ମଧ୍ୟ ଆବଶ୍ୟକ କଟକଣା ଜାରି ହୋଇଛି। ଅନ୍ତିମ ସଂସ୍କାର ଓ ଶୁଦ୍ଧିକ୍ରିୟା ଭୋଜି ନିମନ୍ତେ ସ୍ଥାନୀୟ ପୁଲିସ ଥାନାର ଅନୁମତି ଜରୁରୀ।

ତେବେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ପୁଲିସକୁ ଲିଖିତ ଭାବେ ହେଉ ଅବା ଟେଲିଫୋନ୍ ବା ଇମେଲ୍ ମାଧ୍ୟମରେ ଅବଗତ କରାଯାଇପାରିବ। ୨୦ଜଣରୁ ଅଧିକ ଲୋକ ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇପାରିବେ ନାହିଁ । ଶୁଦ୍ଧି କ୍ରିୟା ଭୋଜିରେ ପରସ୍ପରଙ୍କ ମଧ୍ୟରେ ଅତିକମରେ ୨ମିଟର ଦୂରତ୍ୱ ରହିବ। ଭୋଜିରେ ସାମିଲ ହେଉଥିବା ଲୋକେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବେ। ପାନ ଓ ଗୁଟଖା ଖାଇବା

ସମ୍ପୂର୍ଣ୍ଣ ନିଷେଧ ଓ ଆୟୋଜକ ଏହା ସୁନିଶ୍ଚିତ କରାଇବେ। ଭୋଜିବେଳେ ସାବୁନ ଓ ପାଣି ସହ ସାନିଟାଇଜରର ବ୍ୟବସ୍ଥା ରହିବ। ଲୋକ ସଂଖ୍ୟା ୨୦ରୁ ଯେଭଳି ଅଧିକ ନହେବେ ତାହା ଆୟୋଜନ ସୁନିଶ୍ଚିତ କରାଇବେ। ଯଦି ଏହାର ଉଲ୍ଲଘଂନ ହୁଏ ତା’ହେଲେ ଆୟୋଜକ ଓ ଭୋଜି ହେଉଥିବା ସ୍ଥଳୀର ମ୍ୟାନେଜରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଗୋପାଳପୁରରେ ଏକ ବିବାହ ଭୋଜିରେ କୋଭିଡ୍ ନିୟମ ଉଲ୍ଲଘଂନ କରାଯିବା ଯୋଗୁ ଏକ ଘରୋଇ ହୋଟେଲକୁ ସିଲ କରାଯିବା ସହ ବର ସମେତ ୫ଜଣଙ୍କୁ ପୁଲିସ ଗିରଫ କରିଥିଲା।

Related story