ଖେଳାଳୀ ଓ ଖେଳ ମାଧ୍ୟମରେ ‘କରୋନା’ ସଚେତନତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ସମେତ ବ୍ୟାପକ ପଦକ୍ଷେପ ସରକାର ନେଉଥିବାବେଳେ ଦେଶ ଓ ରାଜ୍ୟର ପ୍ରମୁଖ ସେଲିବ୍ରେଟିମାନେ ସୋଶାଲ ମିଡିଆ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଉଛନ୍ତି। ରାଜନେତା ଓ ଫିଲ୍ମ ତାରକାମାନେ ନିୟମିତ ଭାବେ ସଚେତନତା ସନ୍ଦେଶ ଦେଉଥିବାବେଳେ ରାଜ୍ୟର ଦୁଇ ପ୍ରମୁଖ କ୍ରୀଡ଼ାବିତ୍ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ଦୂତୀ ଚାନ୍ଦ ମଧ୍ୟ କରୋନାଠୁ ମୁକ୍ତି ପାଇଁ କ’ଣ କରିବାକୁ ପଡ଼ିବ ସେ ନେଇ […]

fd

fd

Hemant Lenka
  • Published: Saturday, 04 April 2020
  • Updated: 04 April 2020, 07:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ସମେତ ବ୍ୟାପକ ପଦକ୍ଷେପ ସରକାର ନେଉଥିବାବେଳେ ଦେଶ ଓ ରାଜ୍ୟର ପ୍ରମୁଖ ସେଲିବ୍ରେଟିମାନେ ସୋଶାଲ ମିଡିଆ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଉଛନ୍ତି। ରାଜନେତା ଓ ଫିଲ୍ମ ତାରକାମାନେ ନିୟମିତ ଭାବେ ସଚେତନତା ସନ୍ଦେଶ ଦେଉଥିବାବେଳେ ରାଜ୍ୟର ଦୁଇ ପ୍ରମୁଖ କ୍ରୀଡ଼ାବିତ୍ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ଦୂତୀ ଚାନ୍ଦ ମଧ୍ୟ କରୋନାଠୁ ମୁକ୍ତି ପାଇଁ କ’ଣ କରିବାକୁ ପଡ଼ିବ ସେ ନେଇ ପରାମର୍ଶ ଦେଇଛନ୍ତି। ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ଶ୍ରୀମୟୀ ମିଶ୍ର ମଧ୍ୟ ଭାରତର କ୍ରିକେଟ ମ୍ୟାଚର ଉଦାହରଣ ଦେଇ ‘ଲକଡାଉନ’କୁ ସମର୍ଥନ କରିବା ନିମନ୍ତେ ଅନୁରୋଧ କରିଛନ୍ତି।

ଏହି ଖେଳାଳୀ ଓ ଖେଳ ମାଧ୍ୟମରେ ଦିଆଯାଉଥିବା ଏହି ସନ୍ଦେଶଗୁଡ଼ିକ ସୋଶାଲ ମିଡିଆରେ ବେଶ୍ ଆଦୃତ ହେବାରେ ଲାଗିଛି। ଭାରତ ସରକାରଙ୍କ ପ୍ରେସ୍ ଇନଫରମେସନ ବ୍ୟୁରୋ(ପିଆଇବି)ର ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇ ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ୍ ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କହିଛନ୍ତି ଯେ ଏବେ ସମଗ୍ର ବିଶ୍ୱ ‘କରୋନା’ ଭାଇରସକୁ ନେଇ ଆତଙ୍କିତ ଅଛି। ଇଟାଲୀ ଓ ଆମେରିକାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ଏହାର ମୁଖ୍ୟ କାରଣ ହେଉଛି ସେଠାରେ ସାମାଜିକ ଦୂରତ୍ୱକୁ ପାଳନ କରାଯାଇନି। କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କ ନୀତିନିୟମକୁ ଭଲଭାବେ ପାଳନ କରନ୍ତୁ। କରୋନାକୁ ନେଇ ଯଦି ସାମାଜିକ ଦୂରତ୍ୱ ବଜାୟ ରଖିବା, ତା’ହେଲେ କରୋନା ପାଖ ମାଡ଼ିବ ନାହିଁ। ଘରେ ରହୁନ୍ତୁ,ଶାନ୍ତିରେ ରୁହନ୍ତୁ। ଏବେ ନୁହେଁ ତ କେବେ ନୁହେଁ ବୋଲି ଶ୍ରୀ ତିର୍କୀ କହିଛନ୍ତି।

ସେହିପରି ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କହିଛନ୍ତି ଯେ  ସେ ଦୌଡ଼ନ୍ତି। ବିଦେଶର ଖେଳାଳୀମାନେ ତାଙ୍କୁ ଚ୍ୟାଲେଞ୍ଜ କରନ୍ତି ଓ ହାରି ଯାଇଥାନ୍ତି। ସତ କହିବାକୁ ଗଲେ ଆଜି ସେ କରୋନାକୁ ଚ୍ୟାଲେଞ୍ଜ ଦେବାକୁ ସାହାସ କରିପାରୁନାହାନ୍ତି। ସେ ଘରେ ରହୁଛନ୍ତି ଓ ଅନ୍ୟମାନେ ମଧ୍ୟ ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶକୁ ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଗୋଟିଏ ଲମ୍ବା ଲଢ଼େଇରେ ସେ ଦେଶ ସହ ୨୧ଦିନ ଠିଆ ହୋଇଛନ୍ତି। ଆଉ ଦରକାର ପଡ଼ିଲେ ଆଗକୁ ମଧ୍ୟ ଠିଆ ହେବେ। ଅନ୍ୟମାନେ ମଧ୍ୟ ଏଭଳି କରନ୍ତୁ ବୋଲି ସେ ଆଶା ବ୍ୟକ୍ତ କରିବା ସହ କିମ୍ସରେ ଖୋଲିଥିବା ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସହ ଯୋଗାଯୋଗ କରିବାରେ କିଛି ସମସ୍ୟା ହେଲେ ତାଙ୍କ ସହ ଯୋଗାଯୋଗ କରିବାକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପରାମର୍ଶ ଦେଇଛନ୍ତି।

ସେହିପରି ଟିଭି ସିରିଏଲ୍ ଅଭିନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ତାଙ୍କ ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ଲକଡାଉନର ବାକି ଥିବା ୧୧ଦିନ ଅବଧିକୁ ଭାରତର କ୍ରିକେଟ୍ ମ୍ୟାଚ୍ ଭଳି ବିବେଚନା କରି ପରସ୍ପରକୁ ସହଯୋଗ ନିମନ୍ତେ ଅପିଲ କରିଛନ୍ତି । ଶ୍ରୀମତୀ ମିଶ୍ର କ୍ରିକେଟ ମ୍ୟାଚର ଉଦାହରଣ ଦେଇ କହିଛନ୍ତି ଯେ, ଭାରତୀୟ ଟିମ୍ ହାତରେ ଜିତିବା ପାଇଁ ୧୧ ୱିକେଟ୍ ଓ ୨୬୪ ରନ୍ ଅଛି। ଆମେ ଭାରତୀୟ ଯେତେ ବଡ଼ କାମ ଥିଲେ ବି ସବୁକିଛି ଭୁଲି ଜିତିବା ପର୍ଯ୍ୟନ୍ତ ମ୍ୟାଚକୁ ଉପଭୋଗ କରିଥାଉ। ତା’ଭିତରେ ଟିମ୍ ଇଣ୍ଡିଆ ଜିତିବା ନେଇ ଭଗବାନଙ୍କୁ ବାରମ୍ବାର ପ୍ରାର୍ଥନା ସହ କିଛି ଲୋକ ମାନସିକ କରିବାକୁ ବି ପଛାନ୍ତି ନାହିଁ। ଏବେ ଭାରତବର୍ଷରେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଭାରତୀୟ ଟିମକୁ ଜିତିବା ପାଇଁ ଯେଭଳି ସମସ୍ତେ ଏକମନ ହୋଇଥାଉ ଠିକ୍ ସେପରି ‘କରୋନା’ ସଂକ୍ରମଣକୁ ହରାଇବା ପାଇଁ ବାକିଥିବା ଲକଡାଉନ୍ ଅବଧି ‘୧୧ଦିନ ଅବା ୨୬୪ଘଣ୍ଟାକୁ’ ସମସ୍ତେ ପରସ୍ପରକୁ ସହଯୋଗ କରିବାକୁ ପଡ଼ିବ। ଲକଡାଉନ ନିୟମକୁ ମାନି ସରକାରଙ୍କର ବା ଅନ୍ୟର ସହଯୋଗ କରୁନେ ବରଂ ନିଜେ ନିଜର ତଥା ନିଜ ପରିବାରବର୍ଗଙ୍କ ସହାୟତା କରୁଛେ ଭାବିବା ଉଚିତ୍ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

କେବଳ ଏହି ସେଲିବ୍ରେଟିମାନେ ନୁହନ୍ତି ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ କ୍ରିକେଟର ଦେବାଶୀଷ ମହାନ୍ତି ଓ ଅନ୍ୟ କ୍ରୀଡ଼ାବିତ୍‌ମାନେ ସୋଶାଲ ମିଡିଆରେ ନିଜ ପରିବାର ସହ ବିତାଉଥିବା ଫଟୋକୁ ଶେୟାର କରୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos