କରୋନା ପାଇଁ ଗାଁ ଦାଣ୍ଡ ଖାଁ ଖାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’କୁ ସାରା ବିଶ୍ୱରେ ଚର୍ଚ୍ଚା। ମାରାତ୍ମକ କୋଭିଡ୍-୧୯ ବିରୋଧରେ ସବୁଠି ଚାଲିଛି ଲଢ଼େଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ୨୧ ଦିନିଆ ମହାଯୁଦ୍ଧ ପାଇଁ ଏକ୍‌ଜୁଟ୍‌ ହୋଇଛି ଦିଲ୍ଲୀଠୁ ପଲ୍ଲୀ। ତା’ହାରି ଭିତରେ ସାରଥୀ ସାଜିଛନ୍ତି ଗ୍ରାମାଞ୍ଚଳର ଲୋକେ। ସତର୍କ ଆଉ ସଚେତନତାକୁ ମୂଳମନ୍ତ୍ର କରି ସମସ୍ତେ ତୟାର ରହିଛନ୍ତି। ଗାଁକୁ ବାହାର ଲୋକ ଯେମିତି ପ୍ରବେଶ କରିପାରିବେନି, ସେଥିପାଇଁ ଦଉଡ଼ି ବାନ୍ଧି ନାକାବନ୍ଦୀ କରିଛନ୍ତି ଗାଁ ଲୋକ। ଯଦି କିଏ ଆସୁଛନ୍ତି, […]

kuji

Manoranjan Sial
  • Published: Thursday, 26 March 2020
  • , Updated: 26 March 2020, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’କୁ ସାରା ବିଶ୍ୱରେ ଚର୍ଚ୍ଚା। ମାରାତ୍ମକ କୋଭିଡ୍-୧୯ ବିରୋଧରେ ସବୁଠି ଚାଲିଛି ଲଢ଼େଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ୨୧ ଦିନିଆ ମହାଯୁଦ୍ଧ ପାଇଁ ଏକ୍‌ଜୁଟ୍‌ ହୋଇଛି ଦିଲ୍ଲୀଠୁ ପଲ୍ଲୀ। ତା’ହାରି ଭିତରେ ସାରଥୀ ସାଜିଛନ୍ତି ଗ୍ରାମାଞ୍ଚଳର ଲୋକେ। ସତର୍କ ଆଉ ସଚେତନତାକୁ ମୂଳମନ୍ତ୍ର କରି ସମସ୍ତେ ତୟାର ରହିଛନ୍ତି।

ଗାଁକୁ ବାହାର ଲୋକ ଯେମିତି ପ୍ରବେଶ କରିପାରିବେନି, ସେଥିପାଇଁ ଦଉଡ଼ି ବାନ୍ଧି ନାକାବନ୍ଦୀ କରିଛନ୍ତି ଗାଁ ଲୋକ। ଯଦି କିଏ ଆସୁଛନ୍ତି, ତେବେ ସାବୁନରେ ହାତ ଧୋଇ ଗାଁକୁ ପ୍ରବେଶ କରିବାକୁ କହୁଛନ୍ତି। ଏମିତି ଚିତ୍ର ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଉପାନ୍ତ ଗାଁ ଲିଲିଗଡ଼ରେ ଦେଖିବାକୁ ମିଳିଛି। ଏହି ଚିତ୍ର ବୟାନ କରୁଛନ୍ତି ‘କରୋନା’ ବିରୋଧୀ ମହାଯୁଦ୍ଧ ପାଇଁ କେତେ ତୟାର ଗାଁ ଲୋକେ।

ସମାନ ଦୃଶ୍ୟ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ମଥୁରା ଗାଁରେ ଦେଖିବାକୁ ମିଳିଛି। ଗାଁର ପ୍ରବେଶ ସିଲ କରାଯାଇଛି। ଯିଏ ବାହାରୁ ଆସୁଛନ୍ତି, ସାବୁନରେ ହାତ ଧୋଇ ମାସ୍କ ପିନ୍ଧି ପ୍ରବେଶ କରିବାକୁ କୁହାଯାଉଛି। ମଥୁରା ପଞ୍ଚାୟତର ୧୦ଟି ଗାଁରେ ଏବେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ତା’ସହ ପ୍ରତିଟି ଘରର କାନ୍ଥବାଡ଼ରେ ପୋଷ୍ଟର ମାରିବା ସହ ଲିଫଲେଟ୍ ବାଣ୍ଟି ‘କରୋନା’କୁ ଜାଣିବା ଆଉ ଜିଣିବାର ମନ୍ତ୍ର ଦେଉଛନ୍ତି ଯୁବ ଗୋଷ୍ଠୀ।

କେବଳ ଏହି ଗୋଟିଏ ଦୁଇଟି ଗାଁ କି ପଞ୍ଚାୟତ ନୁହେଁ। ରାଜ୍ୟର ସବୁ ଗ୍ରାମାଞ୍ଚଳରେ ମାରାତ୍ମକ ‘କୋଭିଡ୍-୧୯’ ବିରୋଧରେ ଲକ୍‌ଡାଉନ୍‌ ସହ ନିଆଯାଉଛି ପ୍ରତିଷେଧମୂଳକ ପଦକ୍ଷେପ। ରାଜ୍ୟର ବିଭିନ୍ନ ସୀମାନ୍ତରେ ଥିବା ଗାଁର ପ୍ରବେଶ ପଥକୁ ସିଲ୍‌ କରି ବାହ୍ୟ ଲୋକଙ୍କ ପ୍ରବେଶ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ସ୍ଥାନୀୟ ବାସିନ୍ଦା। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ‘କରୋନା’ ସ୍ଥିତିକୁ ଦେଖି ବ୍ୟାପକ ପଦକ୍ଷେପ ନେବା ସହ ସଂକ୍ରମଣ ଆଶଙ୍କାକୁ ଦେଖି ପଞ୍ଚାୟତସ୍ତରରେ ୭,୨୭୬ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ଲୋକଙ୍କୁ ସଚେତନ କରିବା ସହ ସଙ୍ଗରୋଧ ଏବଂ ପୃଥକବାସ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟିଛନ୍ତି ରାଜ୍ୟ ସରକାର।

Related story