ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଜୁଲାଇରେ ଡବଲ୍ ଗତିରେ ମୁଣ୍ଡ ନେଉଛି କରୋନା । ସଂକ୍ରମଣ ସହ ତାଳ ଦେଇ ଦ୍ରୁତ ବେଗରେ ବଢିଚାଲିଛି ମୃତ୍ଯୁସଂଖ୍ୟା । ପରିସଂଖ୍ୟାନ କହୁଛି ଗତ ମାସରେ ଅର୍ଥାତ୍ ୩୦ ଦିନରେ ରାଜ୍ୟରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜୁଲାଇ ମାସର ମାତ୍ର ୧୧ ଦିନ ଭିତରେ ମୃତ୍ୟୁ ସଂଖ୍ୟା ଦୁଇଗୁଣା ହୋଇଗଲାଣି । ଯାହାକୁ ନେଇ ଚିନ୍ତା ବଢ଼ିଛି।
କୋଭିଡ୍ ପଞ୍ଝାକୁ ରାଜ୍ୟ ଆସିବା ପରେ ପ୍ରଥମ ମୃତ୍ୟୁ ହୋଇଥିଲା ଏପ୍ରିଲ୍ ୬ରେ । ଏହାପରେ ମେରେ ୬ ମୁଣ୍ଡ ଗଡ଼ି ମାସ ଶେଷ ସୁଦ୍ଧା ୭ରେ ସୀମିତ ଥିଲା ସଂଖ୍ୟା । ଜୁନ୍ରେ ଆଉ ୧୮ ମୁଣ୍ଡ ଗଡ଼ି ମାସ ଶେଷ ବେଳକୁ ସଂଖ୍ୟା ୨୫କୁ ବଢ଼ିଲା । ଆଉ ଜୁଲାଇରେ ତ ଭୟାନକ ସ୍ଥିତି । ମାତ୍ର ୧୧ ଦିନରେ ମୃତ୍ୟୁହାର ଦୁଇଗୁଣା ହୋଇଛି। ଜୁନ୍ରେ ୧୮ ଜୀବନ ନେବାକୁ ମହାମାରୀ ଯେଉଁଠି ମାସେ ସମୟ ନେଇଥିଲା ଡେଞ୍ଜର ଜୁଲାଇର ପ୍ରଥମ ୧୧ ଦିନରେ ୩୬ ଜଣଙ୍କ ପ୍ରାଣ ନାଶି ସାରା ରାଜ୍ୟରେ ସମୁଦାୟ ୬୧ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ସବୁଠୁ ଉଦ୍ବେଗର କଥା କେବଳ ଜୁଲାଇ ପହିଲାକୁ ଛାଡ଼ି ଦେଲେ, କେବେ ୨, ୫, ୪ , ୬ ଏଇଭଳି ପ୍ରତିଦିନ ହାରାହାରି ୩ରୁ ଅଧିକ ମୁଣ୍ଡ ନେଇଚାଲିଛି ମହାମାରୀ।
କେବଳ ସେତିକି ନୁହେଁ କରୋନା ମୃତ୍ୟୁର ଉପତ୍ୟକା ପାଲଟିଥିବା ଗଞ୍ଜାମରେ ବି ଜୁଲାଇର ପ୍ରଥମ ୧୧ ଦିନରେ ଦୁଇଗୁଣା ବଢିଛି ମୃତ୍ୟୁ ହାର । ମେ ୧୩ ତାରିଖରେ ଜିଲ୍ଲାର ପ୍ରଥମ ମୃତ୍ୟୁ। ପରେ ସେହି ମାସରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଜୁନ୍ ମାସରେ ୧୧ ଜଣଙ୍କ ମୃତ୍ୟୁ ପରେ ସଂଖ୍ୟା ୧୪କୁ ବଢ଼ିଲା, ଆଉ ଜୁଲାଇ ପ୍ରଥମ ୧୧ ଦିନରେ ୨୨ ଜଣଙ୍କ ମୃତ୍ୟୁ ସହ ସଂଖ୍ୟା ୩୬କୁ ଡେଇଁଛି । ଗତକାଲି ସର୍ବାଧିକ ଚାରି ଜଣଙ୍କ ଜୀବନ ଯିବା ପରେ ଆଜି ବି ଦୁଇ ମୁଣ୍ଡ ଯାଇଛି ତେବେ ରାଜ୍ୟରେ କଣ ପାଇଁ ଘାତକ ହେଉଛି କରୋନା। ମହାମାରୀର ମୃତ୍ୟୁ ଫାଶରେ କାହିଁକି ପଡୁଛି ଏତେ ଜୀବନ ? ସରକାରୀ ତଥ୍ୟ କହୁଛି ପ୍ରାଣ ହରାଉଥିବା ଅଧିକାଂଶ ହୁଏତ ବୟସ୍କ ଅବା ଆଗରୁ ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ରୋଗୀରେ ପୀଡ଼ିତ ଏହାବାଦ୍ ବିଶେଷଜ୍ଞଙ୍କ ମତରେ ସଂପୂର୍ଣ୍ଣ ସୁସ୍ଥ ଥାଇ କରୋନା ଆକ୍ରାନ୍ତ ବ୍ୟକ୍ତି ବି ମୃତ୍ୟୁର ଶିକାର ହେଉଛନ୍ତି।
ଏପଟେ ଗତ କିଛି ଦିନ ଧରି ସ୍ୱାସ୍ଥ୍ୟ ବିଭାଗର ଟୁଇଟରୁ ଅଦର ଦ୍ୟାନ୍ କୋଭିଡ୍ ବା କୋଭିଡ୍ ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ କୋଭିଡରେ ୬୧ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ କୋଭିଡ୍ ଭିନ୍ନ ମୃତ୍ୟୁସଂଖ୍ୟା ହେଉଛି ୧୮ । ବିଶେଷଜ୍ଞଙ୍କ ମତରେ କ୍ୟାନ୍ସର, କିଡନୀ ଭଳି ଗୁରୁତର ରୋଗରେ ପୀଡ଼ିତ ରୋଗୀ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହେଲେ ବି ପ୍ରତିରୋଧ କ୍ଷମତା ହ୍ରାସ କାରଣରୁ ତାଙ୍କ ପୂର୍ବ ରୋଗରେ ପ୍ରାଣ ହରାଇବାର ଯଥେଷ୍ଟ ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।