ଖେଳ କରି ରାଜକୋଷ ଖୋଳ କରିଦେଲେ ପ୍ରମୋଦ ! ସ୍ତ୍ରୀ-ବାପା ମାଲାମାଲ୍

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗରେ ବଡ଼ ଧରଣର ଦୁର୍ନୀତିର ଗୁମର ଫିଟିଛି। କେବେ ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ହରିଲୁଟ୍ କରାଯାଇଛି ତ’ ଆଉ କେବେ ନକଲି କାଗଜପତ୍ର ତିଆରି କରି ଅସଲି ଶିକ୍ଷକଙ୍କ ନାଁରେ ହଡପ କରାଯାଇଛି ସରକାରୀ ତହବିଲର କୋଟି କୋଟି ଟଙ୍କା।  ପ୍ରୋଭିଜନାଲ ପେନସନ, ୟୁଏଲ୍ଏସ ଏବଂ ଗ୍ରାଚୁଇଟି ବାବଦକୁ ବି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଛି। ଯାହାର ଏବେ ଭିଜିଲାନ୍ସ ଖୋଳତାଡ଼ କରୁଥିବାବେଳେ ଚମକାଇ ଦେଲାଭଳି ଚଞ୍ଚକତା […]

690

Tapas Behera
  • Published: Monday, 03 February 2020
  • , Updated: 03 February 2020, 08:10 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗରେ ବଡ଼ ଧରଣର ଦୁର୍ନୀତିର ଗୁମର ଫିଟିଛି। କେବେ ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ହରିଲୁଟ୍ କରାଯାଇଛି ତ’ ଆଉ କେବେ ନକଲି କାଗଜପତ୍ର ତିଆରି କରି ଅସଲି ଶିକ୍ଷକଙ୍କ ନାଁରେ ହଡପ କରାଯାଇଛି ସରକାରୀ ତହବିଲର କୋଟି କୋଟି ଟଙ୍କା।  ପ୍ରୋଭିଜନାଲ ପେନସନ, ୟୁଏଲ୍ଏସ ଏବଂ ଗ୍ରାଚୁଇଟି ବାବଦକୁ ବି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଛି। ଯାହାର ଏବେ ଭିଜିଲାନ୍ସ ଖୋଳତାଡ଼ କରୁଥିବାବେଳେ ଚମକାଇ ଦେଲାଭଳି ଚଞ୍ଚକତା କରିଥିବା ଜଣେ କିରାଣୀଙ୍କୁ ନେଇ ଏବେ ସାରା ଜିଲ୍ଲାରେ ଲାଗିରହିଛି ଚର୍ଚ୍ଚା।

ବଲାଙ୍ଗିର ଭିଜିଲାନ୍ସ ଅଫିସରେ ବଲାଙ୍ଗିର ବ୍ଳକ ଶିକ୍ଷା ଅଧିକାରୀ ପହଞ୍ଚିଥିଲେ। ତାଙ୍କୁ ସେଠାରେ ଭିଜିଲାନ୍ସ ଡିଏସ୍‌ପି ଜେରା କରିଥିଲେ। ଆଉ ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ସାମ୍ନାକୁ ଆସିଛି ଶିକ୍ଷା ବିଭାଗର ମହାଘୋଟାଲା। ଅବଶ୍ୟ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲୁନି ଭିଜିଲାନ୍ସ। ତେବେ ଓଟିଭିର ଇନଭେଷ୍ଟିଗେସ୍‌ନରେ କିନ୍ତୁ ସାମ୍ନାକୁ ଆସିଛି ଚମକାଇଦେଲା ଭଳି ତଥ୍ୟ। ବଲାଙ୍ଗିର ବିଇଓ ଅଫିସର କନିଷ୍ଠ କିରାଣୀ ପ୍ରମୋଦ କୁମାର ରଥ । ଯାହାଙ୍କ ଇସାରାରେ ଅଫିସରେ କୁଆଡ଼େ ପତ୍ର ବି ହଲେନି।

ଆଉ ଏହାର ଫାଇଦା ନେଇ ଆଖି ଟେରା କଲାଭଳି ଘୋଟାଲା ଆସିଛି ସାମ୍ନାକୁ । ୧୯୯୨ ମସିହାରେ ବାପା କେଶବ ଚନ୍ଦ୍ର ରଥଙ୍କ ଇଚ୍ଛାକୃତ ଅବସର ପରେ ଚାକିରୀ ପାଇଥିଲେ ପ୍ରମୋଦ।  ବାପା କେଶବ ରଥ ନିୟମିତ ପେନସନ ବି ପାଉଛନ୍ତି । ଏହାସତ୍ତ୍ୱେ କେଶବ ରଥ ୨୦୧୩ରେ ଅବସର ନେଇଥିବା ଦର୍ଶାଇ ଆଉ ଏକ ଫାଇଲ୍ ତିଆରି କରିଥିଲେ ପ୍ରମୋଦ। ତାପରଠୁ ଅର୍ଥାତ ମେ ୧୭ରେ କେଶବଙ୍କ ଏସ୍‌ବିଆଇ ଆକାଉଣ୍ଟରେ ୟୁଏଲ୍ଏସ୍ ବାବଦକୁ ୪ ଲକ୍ଷ ୩୯ ହଜାର ୫୬୦, ଗ୍ରାଚୁଇଟି ବାବଦକୁ ୬ ଲକ୍ଷ ୫୨ ହଜାର ଏବଂ ପ୍ରୋଭିଜନାଲ୍ ବାବଦକୁ ୧୬ ଲକ୍ଷ ୫୮ ହଜାର ୭୪୪ ଟଙ୍କା ଡିପୋଜିଟ୍ ହୋଇଥିଲା। ଖାଲି ଏତିକି ନୁହେଁ, ଆହୁରି ଅନେକ ଲୋକଙ୍କ ନାଁରେ ନକଲି କାଗଜ ପତ୍ର କରି ପ୍ରମୋଦ ଉଠାଇଛନ୍ତି କୋଟି କୋଟି ଟଙ୍କା ।

ବିଇଓଙ୍କ ତଥ୍ୟ ଅନୁସାରେ, କେବଳ ବାପାଙ୍କ ନାଁରେ ନୁହେଁ, ପତ୍ନୀ ଝରଣା ରଥଙ୍କ ନାଁରେ ମଧ୍ୟ ଘୋଟାଲା କରିଛନ୍ତି ସେ। କୌଣସି ଜଣେ ଶିକ୍ଷକଙ୍କ ଉତ୍ତରାଧିକାରୀ ଦର୍ଶାଇ ଏସ୍‌ବିଆଇ ଆକାଉଣ୍ଟରେ ୩ ଅଗଷ୍ଟ ୨୦୧୮ରେ ୪ ଲକ୍ଷ ୩୯ ହଜାର, ୧୮ ଅଗଷ୍ଟ ୨୦୧୮ରେ ୫ ଲକ୍ଷ ୨୬ ହଜାର ଓ ୪ ଲକ୍ଷ ଟଙ୍କା ହାତେଇଛନ୍ତି । ଏପରିକି ଝରଣାଙ୍କ ଆକାଉଣ୍ଟରେ ନିରୋଜ ବହିଦାରଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ୩ଟି ଚେକ୍ ଡିପୋଜିଟ ହୋଇଛି।  ବର୍ତ୍ତମାନ ଭିଜିଲାନସ ସୂତ୍ରରୁ ଜଣାପଡିଛି ଯେ, ଗୋଟିଏ କି ଦୁଇଟି ନୁହେଁ, ବର୍ଷ ବର୍ଷ ଧରି ଏମିତି ଅନେକ ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ନକଲି କାଗଜପତ୍ର କରାଯାଇଛି। ଏବଂ ସବୁ କାଗଜପତ୍ର ଶିକ୍ଷା ଅଧିକାରୀଙ୍କ ଦସ୍ତଖତରେ ଜିଲ୍ଳା ଟ୍ରେଜେରୀକୁ ଯାଇଛି।  ଆଉ ପେନ୍‌ସନ ନାଁରେ ଆସୁଥିବା କୋଟି କୋଟି ଟଙ୍କା ହଡପ କରୁଛନ୍ତି କିଛି ଅସାଧୁ କର୍ମଚାରୀ। ଅଧିକାରୀ।  ଯାହାର ଏବେ ଖୋଳତାଡ଼ କରୁଛି ଭିଜିଲାନ୍ସ।

Related story