କୁଚିଣ୍ଡା(ଦେବେନ୍ଦ୍ର ବେହେରା): ସ୍କୁଲ ଭିତରୁ ବାହାରିଲା ଦେଶୀ ପିସ୍ତଲ। ସାର୍ ରଖିଥିଲେ କି ବନ୍ଧୁକ। ଜମନକିରା ଥାନା ରେଙ୍ଗୁମୁଣ୍ଡା ୟୁପି ସ୍କୁଲ ଶ୍ରେଣୀ ଗୃହରୁ ସଫେଇ ବେଳେ ମିଳିଛି ଦେଶୀ ପିସ୍ତଲ। ଜଣେ ଶିକ୍ଷକ ନିଜ ଅଧିନରେ ରଖିଥିବା କୋଠରୀରୁ ଏହି ପିସ୍ତଲ ମିଳିଛି।
ସୂଚନା ମୁତାବକ, ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ଦୁଇଟି ଶ୍ରେଣୀ କୋଠରୀକୁ ନିଜ ଅକ୍ତିଆରରେ ରଖି ବ୍ୟବହାର କରୁଥିଲେ। ଗୋଟିଏ କୋଠରୀରେ ରୋଷେଇ ବାସ କରୁଥିବାବେଳେ ଅନ୍ୟ କୋଠରୀରେ ଶୁଆବସା କରୁଥିଲେ। ହେଲେ ଗତ ୪ ତାରିଖରେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି । କିନ୍ତୁ ବଦଳି ପରେ ବି ସେ ଶ୍ରେଣୀ ଗୃହ ଖାଲି କରିନଥିବାରୁ ପିଲାଙ୍କ ପଠାପଢ଼ାରେ ଅସୁବିଧା ହେଉଥିଲା। ଏହାପରେ ସିଆରସିସି ଗୋଟିଏ ଶ୍ରେଣୀ କୋଠରୀକୁ ଖାଲି କରି ପିଲାଙ୍କୁ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଗତ ଶନିବାର ସ୍କୁଲ ପରିଚାଳନା କମିଟି ସଭାପତି ସୁଶାନ୍ତ ଝାଙ୍କରଙ୍କ ଜରିଆରେ ଉକ୍ତ କୋଠରୀକୁ ସଫା କରୁଥିଲେ। ସଫା କରିବା ସମୟରେ କୋଠରୀରେ ଥିବା ଏକ ଥାକରୁ ଏହି ଦେଶୀ ପିସ୍ତଲଟି ମିଳିଥିଲା। ତେବେ ସ୍କୁଲ ଭିତରୁ ପିସ୍ତଲ ବାହାରିବା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ। ପ୍ରଧାନ ଶିକ୍ଷକଙ୍କୁ ଏନେଇ ସୂଚନା ଦେଇଥିଲେ। ପ୍ରଧାନଶିକ୍ଷକ ପିସ୍ତଲ ଦେଖିବା ସହ ସିଆରସିସି ଙ୍କୁ ଅବଗତ କରାଇଥିଲେ। ତେବେ ଏହି ପିସ୍ତଲଟି ଉକ୍ତ ଶିକ୍ଷକ ରଖିଥିଲେ ନା ଆଉ ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ।
ସୂଚନାଯୋଗ୍ୟ, ଶିକ୍ଷକ ଗୋବିନ୍ଦ ଭୋଇଙ୍କ ନାଁରେ ରେଙ୍ଗୁମୁଣ୍ଡା ରେ ବହୁ ଅପରାଧ ମାମଲା ରହିଛି। ଗତ ଅକ୍ଟୋବର ମାସରେ ଡିଲେଶ୍ୱର ସାହୁଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଗୋବିନ୍ଦ ଭୋଇ। ଏନେଇ ଜମନକିରା ଥାନାର ମାମଲା ହୋଇଥିବା ଜଣାପଡିଛି। ହେଲେ ପିସ୍ତଲ ଠାବ ହୋଇଥିବା ଘଟଣା ପୁଲିସ ପାଖରେ ଖବର ନଥିବା ବେଳେ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ସେପଟେ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ମହଲରେ ଦ୍ଵନ୍ଦ ସୃଷ୍ଟି ହେଇଥିବା ବେଳେ, ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ଅବିଭାବକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।