ପୁଣି ରିମାଣ୍ଡରେ ଯିବେ ଶର୍ମିଷ୍ଠା ଓ ଝୁନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଆଜି ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ। ଶର୍ମିଷ୍ଠାଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇଙ୍କୁ ମଧ୍ୟ ପୁଣି ରିମାଣ୍ଡରେ ନେବାକୁ ଅନୁମତି ପାଇଛି କ୍ରାଇମ୍‌ବ୍ରାଞ୍ଚ। ମାର୍ଚ୍ଚ ୨୮ ତାରିଖରେ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରିବା ପରେ ୨୯ ତାରିଖରୁ କ୍ରାଇମବ୍ରାଞ୍ଚ […]

sarmistha raut

Jitendra Garnayak
  • Published: Sunday, 03 April 2022
  • , Updated: 04 April 2022, 05:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଆଜି ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ। ଶର୍ମିଷ୍ଠାଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇଙ୍କୁ ମଧ୍ୟ ପୁଣି ରିମାଣ୍ଡରେ ନେବାକୁ ଅନୁମତି ପାଇଛି କ୍ରାଇମ୍‌ବ୍ରାଞ୍ଚ।

ମାର୍ଚ୍ଚ ୨୮ ତାରିଖରେ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରିବା ପରେ ୨୯ ତାରିଖରୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲେ। ସେମାନଙ୍କ ସହିତ ଘଟଣାର ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ ଅବଧି ଗତକାଲି ଶେଷ ହେବା ପରେ ଆଜି ଅପରାହ୍ଣରେ ଏହି ୪ ଜଣଙ୍କୁ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ଏହା ସହିତ କ୍ରାଇମବ୍ରାଞ୍ଚ ପକ୍ଷରୁ ସେମାନଙ୍କୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। ତେବେ କୋର୍ଟ କେବଳ ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ। ଆସନ୍ତାକାଲି (ସୋମବାର) ଠାରୁ ସେମାନଙ୍କ ରିମାଣ୍ଡ ଅବଧି ଆରମ୍ଭ ହେବ। ୭ ତାରିଖ ଅପରାହ୍ଣ ଗୋଟାଏ ବେଳେ ସେମାନଙ୍କୁ ହାଜର କରାଇବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କୋର୍ଟଙ୍କ ଆଦେଶ ପରେ ଅନ୍ୟ ଦୁଇ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

୫ ଦିନ ରିମାଣ୍ଡ ଭିତରେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କିନ୍ତୁ ଏଯାଏ ହତ୍ୟାର ଉଦ୍ଦେଶ୍ୟ ସଂପର୍କରେ କ୍ରାଇମବ୍ରାଞ୍ଚ କିଛି କହି ନାହିଁ।

ପ୍ରଥମ ରିମାଣ୍ଡ ସମୟରେ ଶର୍ମିଷ୍ଠାଙ୍କୁ ଅପହରଣ ସ୍ଥଳ ଠାରୁ ଆରମ୍ଭ କରି ହତ୍ୟାସ୍ଥଳ ଓ ମୃତଦେହ ପୋତା ଯାଇଥିବା ସ୍ଥାନକୁ ନିଆଯାଇ ସିନ୍‌ ରିକ୍ରିଏଟ୍‌ କରାଯାଇଥିଲା। ରିମାଣ୍ଡର ଶେଷ ଦିନରେ ଉଭୟ ଶର୍ମିଷ୍ଠା ଓ ନିରଞ୍ଜନ ସେଠୀଙ୍କୁ ସଂପୂର୍ଣ୍ଣ ୱେବ୍‌ ପୋର୍ଟାଲର ଅଫିସ୍‌କୁ ନେଇ ସିନ୍‌ ରିକ୍ରିଏଟ୍ କରାଯାଇଥିଲା। ଫେବ୍ରୁଆରୀ ୭ ତାରିଖ ସକାଳେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କୁ ଭୁବନେଶ୍ୱରର ଦୟାଲ ଆଶ୍ରମରୁ ସଂପୂର୍ଣ୍ଣ ଅଫିସ୍‌କୁ ଅଣାଯାଇଥିଲା। ସେଠାକୁ ନିରଞ୍ଜନ ସେଠୀ ମଧ୍ୟ ଆସିଥିଲେ। ନିରଞ୍ଜନ ସେଠାରେ ମାନସକୁ ପିଟି ଥିବା କ୍ରାଇମବ୍ରାଞ୍ଚ ଜେରା ବେଳେ କହିଥିଲେ। ଫେବ୍ରୁଆରୀ ୮ ତାରିଖରେ ଶର୍ମିଷ୍ଠା ଓ ଝୁନାଙ୍କୁ ଫେରାର ହେବା ପାଇଁ ୧୦ ହଜାର ଟଙ୍କା ସହିତ ଏକ ଗାଡ଼ିର ବ୍ୟବସ୍ଥା କରିଥିଲେ ନିରଞ୍ଜନ। ସେହିପରି ରିମାଣ୍ଡର ତୃତୀୟ ଦିନରେ ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକଙ୍କୁ ଧରି କ୍ରାଇମବ୍ରାଞ୍ଚ ଚଣ୍ଡିଖୋଲ-ଡୁବୁରୀ ଏକ୍ସପ୍ରେସ ହାଇୱେ ଠାରୁ ୨ କିମି ଦୂର ଶଙ୍ଖାରିଗୁଡ଼ାକୁ ନେଇଥିଲା। ମାନସଙ୍କ ମୃତଦେହ ପୋତିବାକୁ ମାଟି ଖୋଳିବାକୁ ବ୍ୟବହାର କରାଯାଇଥିବା ଫାଉଡ଼ା ଓ ଗଇଁତି ଆଦିକୁ ସେଠାରୁ ଏକ ବୁଦାମୂଳରୁ ଜବତ କରାଯାଇଥିଲା।  ତା’ସହିତ ସେଠାରୁ ଏକ ଅଖା, ଅଧାପୋଡ଼ା ଶାଢ଼ି, ମାନସର ଇୟର ଫୋନ୍ ଓ ଚପଲକୁ କ୍ରାଇମବ୍ରାଞ୍ଚ ଜବତ କରିଥିଲା।

Related story