ପ୍ରତିକ୍ଷାର ଅନ୍ତ ଘଟିଲା: ଓଡ଼ିଶା ସୀମାରେ ପଶିଲା ଡାକୋଟା ବିମାନ

ଜଳେଶ୍ୱର(ଅଜିତ ଦାସ): ଓଡ଼ିଶା ସୀମାରେ ପ୍ରବେଶ କରିଛି ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ । କୋଲକାତାରୁ ୩ଟି ଟ୍ରେଲରରେ ବୋଝେଇ ହୋଇ  ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ପହଞ୍ଚିଛି। ଗତକାଲି ରାତି ପ୍ରାୟ ୧୦ଟା ବେଳେ କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଓଡ଼ିଶା ଅଭିମୁଖେ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଓଡ଼ିଶାରେ ପ୍ରବେଶ କରିଛି । ଜାତୀୟ ରାଜପଥ ଦେଇ ୩ଟି ଟ୍ରେଲରରେ […]

dakoda

  • Published: Wednesday, 18 January 2023
  • , Updated: 18 January 2023, 01:10 PM IST

ଜଳେଶ୍ୱର(ଅଜିତ ଦାସ): ଓଡ଼ିଶା ସୀମାରେ ପ୍ରବେଶ କରିଛି ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ । କୋଲକାତାରୁ ୩ଟି ଟ୍ରେଲରରେ ବୋଝେଇ ହୋଇ  ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ପହଞ୍ଚିଛି।

ଗତକାଲି ରାତି ପ୍ରାୟ ୧୦ଟା ବେଳେ କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଓଡ଼ିଶା ଅଭିମୁଖେ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଓଡ଼ିଶାରେ ପ୍ରବେଶ କରିଛି । ଜାତୀୟ ରାଜପଥ ଦେଇ ୩ଟି ଟ୍ରେଲରରେ ବିମାନର ସମସ୍ତ ଅଂଶ ବୋଝେଇ ହୋଇ ଭୁବନେଶ୍ୱର ଆସୁଛି ।

ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ। ଡାକୋଟା ବିମାନକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ବର୍ଷ ହେଲା  ପ୍ରୟାସ ଚାଲିଥିଲା। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରଖାଯିବ ବୋଲି ଜଣାଯାଇଛି।

ବିଜୁ ପଟ୍ଟନାୟକ କଳିଙ୍ଗ ଏୟାରଲାଇନ୍ସର ପ୍ରତିଷ୍ଠା କରିଥିବା ବେଳେ ସେଥିରେ ୧୮ଟି ଡାକୋଟା ବିମାନ ଥିଲା। ବିମାନଗୁଡିକ କଲିକତାରୁ ବିଭିନ୍ନ ସ୍ଥାନକୁ ସେବା ଯୋଗାଉଥିଲା । ଗୋଟିଏ ବିମାନକୁ ନିଜେ ବିଜୁ ବାବୁ ବ୍ୟବହାର କରୁଥିଲେ। ତାହା ଥିଲା ଡାକୋଟା- (DC-3) VT-AUI। ଉକ୍ତ  ବିମାନର ଲମ୍ବ ଥିଲା ୬୪ ଫୁଟ୍ ୮ ଇଞ୍ଚ। ୯୫ ଫୁଟ ପଯର୍ୟନ୍ତ ଲମ୍ବିଥିଲା ଏହାର ଡେଣା। ଏହା ଏକ  ଫିକ୍ସଡ ଓ୍ୱିଙ୍ଗ୍ ବିମାନ ଥିଲା।

 

୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାଲିଫ୍ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ, ଅଥବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚ୍‌ଙ୍କ କବଳରୁ ଉଦ୍ଧାର, ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ। ୧୯୪୭ରେ ଏହି ବିମାନରେ ପତ୍ନୀ ଜ୍ଞାନଙ୍କ ସହ ଜାକର୍ତ୍ତା ଯାଇଥିଲେ ବିଜୁବାବୁ ।

୧୯୫୩ ମସିହାରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହ ମିଶିଯାଇଥିଲା କଳିଙ୍ଗ ଏୟାରଲାଇନ୍ସ। ଏହାପରେ ବିଜୁଙ୍କ ଡାକୋଟା ବିମାନଟିକୁ ସେବା ନିବୃତ କରାଯାଇଥିଲା । ବିମାନକୁ କଲିକତା ବିମାନବନ୍ଦରର ଏକ ଅବ୍ୟବହୃତ ସ୍ଥାନରେ ରଖି ଦିଆଯାଇଥିଲା।  ସେହି ବିମାନ କୋଲକାତାର ନେତାଜୀ ବିମାନ ବନ୍ଦରରେ ଡମ୍ପିଂୟାର୍ଡରେ ଖତ ଖାଉଥିବା ବେଳେ ତାହାକୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ଦିନ ହେବ ଉଦ୍ୟମ ଆରମ୍ଭ ହୋଇଥିଲା।

୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଡାକୋଟା ଓଡ଼ିଶା ଫେରିବା ପରେ ଅନିଶ୍ଚିତନା ଦେଖାଦେଇଥିଲା। ଏହାକୁ ଫେରାଇ ଆଣିବା ନିମନ୍ତେ ରାଜ୍ୟ ସରକାର ପ୍ରାୟ ୨ ବର୍ଷ ପୂର୍ବେ ଏକ କମିଟି ଗଠନ କରିଥିଲେ। ଦୀର୍ଘ ବର୍ଷର ଉଦ୍ୟମ ପରେ ଆଜି ଏହା ଓଡ଼ିଶା ସୀମାରେ ପ୍ରବେଶ କରିଥିବାରୁ ରାଜ୍ୟବାସୀ ବେଶ୍‌ ଉତ୍ସାହିତ ଅଛନ୍ତି।

ଡାକୋଟା ବିମାନ ଦାୟିତ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି, କୋଲକତା ପୁଲିସ୍‌, ଓଡ଼ିଶା ପୁଲିସ୍‌, ଆରଟିଓ ପ୍ରମୁଖ ମିଳିତ ସହଯୋଗରେ ଡାକୋଟାକୁ ଓଡ଼ିଶା ଫେରାଇ ଅଣାଯାଉଛି।

Related story