ରାତି ୧୨ଟାରେ ଲାଷ୍ଟ କଲ୍, ଆଉ ସକାଳେ….
ଭୁବନେଶ୍ୱର(ଓଡିଶା ରିପୋର୍ଟର): “ମା’ ମୁଁ ଚୋରଣି ନୁହେଁ। ଏମାନେ ମିଛ କହୁଛନ୍ତି। ମୁଁ କୁଆଡ ଏମାନଙ୍କ କସ୍ମେଟିକ୍ ଚୋରି କରିଛି। ଆଉ ସହିପାରୁନି ମା’। ମୁଁ ଏଠି ରହିବାକୁ ଚାହୁଁନି। ମୁଁ ସୁଇସାଇଡ୍ କରିଦେବି ।’’ ଫୋନ୍ରେ ଆରପଟୁ ଏଭଳି କେଇପଦ କଥା ଶୁଣିବା ପରେ ଝିଅ ତାନିଆକୁ ବହୁତ ବୁଝାଇଥିଲେ ତାଙ୍କ ମା’। ସକାଳ ଯାଏଁ ଅପେକ୍ଷା କରିବାକୁ କହିଥିଲେ। ହେଲେ ରାତି ପାହିଲା ବେଳକୁ ସବୁ ସରି ଯାଇଥିଲା। ତାନିଆ ଆଉ ନ ଥିଲା। ଅପମାନ ଓ ଗ୍ଲାନି ସହି ନ ପାରି ସେ ଜୀବନ ହାରି ଦେଇଥିଲା।
ଭୁବନେଶ୍ୱରର ୟୁନିଟ୍ ୮ ଡିଏଭି ସ୍କୁଲ ଅଫ୍ ବିଜ୍ନେସ୍ ମ୍ୟାନେଜମେଣ୍ଟରେ ଛାତ୍ରୀ ତାନିଆ ବାନାର୍ଜୀଙ୍କ ସନ୍ଦେହଜନକ ମୃତ୍ୟ ପରେ ତାଙ୍କ ମା’ କେୟା ବାନାର୍ଜୀ ଏହି କଥା କହିଛନ୍ତି। ରାତି ୧୨ଟାରେ ତାନିଆଙ୍କ ଫୋନ୍ ପାଇ କେୟା ବିଚଳିତ ହୋଇଯାଇଥିଲା। ହଷ୍ଟେଲର ସିନିୟର ଓ ଜୁନିୟର ଛାତ୍ରୀ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ଝିଅଠୁ ଶୁଣିବା ପରେ ସେ ତାକୁ ଧୌର୍ଯ୍ୟ ଧରିବାକୁ କହିଥିଲେ। ହେଲେ ଝିଅ କିଛି ଶୁଣିଲାନି। ତା ଉପରେ ଲାଗିଥିବା ଚୋରଣି ଆକ୍ଷେପ ତାକୁ ଭାରି ବାଧିଥିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, DSBMରେ ବି. କମ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ ତାଳଚେର ବାସିନ୍ଦା ତନ୍ମୟ ବାନାର୍ଜୀ ଓ କେୟାଙ୍କ ଝିଅ ତାନିଆ । ମା’ କେୟାଙ୍କ କହିବା ଅନୁଯାୟୀ କିଛିଦିନ ତଳେ ହଷ୍ଟେଲର ଅନ୍ୟ ଛାତ୍ରୀମାନେ ଲିପ୍ଷ୍ଟିକ୍, ସାମ୍ପୁ ଭଳି ଛୋଟ କସ୍ମେଟିକ୍ ସାମଗ୍ରୀ ଚୋରି ହେଉଥିବା ନେଇ ତାନିଆଙ୍କ ଉପରେ ଚୋରି ଲାଞ୍ଝନା ଲଗାଇଥିଲେ। ଏହି ଅଭିଯୋଗ ଯୋଗୁ ସେ ଅତିଷ୍ଠ ହୋଇପଡିଥିଲେ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ତାନିଆ ନିଜ ମା’ଙ୍କ ସହ ଏ ସମ୍ପର୍କରେ କଥା ମଧ୍ୟ ହୋଇଥିଲେ। ଆଉ ଶେଷରେ ଆଜି ସକାଳେ ହଠାତ୍ ହଷ୍ଟେଲ ରୁମ୍ ଭିତରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ।
ମୃତ ଛାତ୍ରୀଙ୍କ ପିତାମାତା, ହଷ୍ଟେଲ ଛାତ୍ରୀମାନେ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିବା ବେଳେ, ସ୍କୁଲ କର୍ତ୍ତୃପକ୍ଷ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି। ସାମାନ୍ୟ ଘଟଣାକୁ ନେଇ କ’ଣ ଜଣେ ଛାତ୍ରୀ ଆତ୍ମହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇପାରନ୍ତି ନା ଏଥିରେ ଆଉ କିଛି ରହସ୍ୟ ଅଛି ସେ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।