ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଜେଲ ଭିତରକୁ ପଶିଲା ଭୂତାଣୁ। ଝାରପଡ଼ା ଜେଲର ଜଣେ ବିଚାରାଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ହେଲେ ତ୍ରିପତି ମହାନ୍ତି। ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ତ୍ରିପତି କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକର କୋଭିଡ୍ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଥିବା ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି।
ସେପଟେ ବ୍ରହ୍ମପୁର ଜେଲ୍ରେ ବେକାବୁ ହେଲାଣି କରୋନା। ଜେଲ୍ର ୪୮ ଅନ୍ତବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ବଢିଛି ଚିନ୍ତା । ଜେଲ୍ରେ ଜଣେ ଆଜୀବନ କଏଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।
ତେବେ ବ୍ରହ୍ମପୁର ଜେଲରେ ୯ ଶହ ୨୭ ଜଣ ଅନ୍ତବାସୀ ମଧ୍ୟରୁ ୮୪ ଜଣଙ୍କ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୮ କଏଦୀଙ୍କ ରିପୋର୍ଟ ପଜିଟିଭ ଆସିଛି। ସେମାନଙ୍କୁ ଜେଲ୍ ଭିତରେ ନୂତନ ଭାବେ ଖୋଲାଯାଇଥିବା ଶହେ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା କରାଯାଉଛି । ଜେଲ୍ ମଧ୍ୟରେ ଏତେ ସଂଖ୍ୟାରେ ପଜିଟିଭ ବାହାରିବା ପରେ କର୍ତ୍ତୃପକ୍ଷ ଏବେ ଚିନ୍ତାରେ । ଅନ୍ୟ ଅନ୍ତେବାସୀ କେମିତି ସୁରକ୍ଷିତ ରହିବେ ସେ ଦିଗରେ ଧ୍ୟାନ ଦିଆଯାଉଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।