ପୁରୀ (ଓଡ଼ିଶା ରିପୋର୍ଟର): ଆଜି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀ ସୁଦର୍ଶନ। ପରେ ଦୁର୍ଲଭ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଶ୍ରୀମନ୍ଦିର ସ୍ନାନବେଦୀର ଚତୁର୍ଦ୍ଧାମୂର୍ତ୍ତି ଏହି ଦେବଦୁର୍ଲଭ ଦର୍ଶନ ନିମନ୍ତେ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି। ମହାପ୍ରଭୁଙ୍କ ଜନ୍ମଦିନ ଅବସରରେ ଏହି ଦିବ୍ୟ ଦର୍ଶନ ପାଇ ଭକ୍ତଗଣ କୃତାର୍ଥ ହୋଇଛନ୍ତି।
ଆଜି ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରେ ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି ବିଜେ। ସକାଳ ସାଢ଼େ ୭.୪୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜ କରିଥିଲେ। ୭.୫୫ରେ ମଦନମୋହନ ବିଜେ କରିଥିଲେ। ୧୧.୨୦ରେ ଜଳବିଜେ ଓ ୧୨.୪୫ରେ ଜଳ ଲାଗି ଶେଷ ହୋଇଥିଲା। ଅପରାହ୍ନ ୨.୪୦ରେ ଛେରାପହଁରା ହୋଇଥିଲା। ୩ଟାରେ ହାତୀବେଶ ଆରମ୍ଭ ହୋଇଥିଲା। ୩ଟା ୫୦ରେ ହାତୀବେଶ ଶେଷ ହୋଇଥିଲା। ଏହା ପରେ ଠାକୁରମାନେ ଦିବ୍ୟ ହାତୀବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ଘଣ୍ଟାଏ ୨୦ ମିନିଟ୍ ନୀତି ବିଳମ୍ବରେ ସମାପନ ହୋଇଥିଲା।
ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ ସାହାଣ ମେଳା ଦର୍ଶନ। ଭକ୍ତମାନେ ବ୍ୟାରିକେଡ୍ରେ ଯାଇ ସ୍ନାନମଣ୍ଡପ ପାଖରେ ଶ୍ରୀଜୀଉଙ୍କ ହାତୀବେଶ ଦର୍ଶନ କରିପାରିବେ। ରାତି ୧୦ଟାରୁ ରାତି ଗୋଟାଏ ଭିତରେ ବାହୁଡ଼ା ପହଣ୍ଡି ପାଇଁ ସମୟ ନିର୍ଘଣ୍ଟ ହୋଇଛି।
ସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର। ଦୁଇବର୍ଷ ପରେ କୋଭିଡ୍ କଟକଣା କୋହଳ ହୋଇଥିବାରୁ ଶ୍ରୀଜିଉ ସ୍ନାନଯାତ୍ରା ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି। ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ୫୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପାଞ୍ଚସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର।
ସୂଚନା ଥାଉକି, ଭଗବାନ ଶ୍ରୀଜଗନ୍ନାଥ ଜ୍ୟୈଷ୍ଠ ବା ଜ୍ୟେଷ୍ଠମାସର ପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମ ରୂପରେ ଅବତୀର୍ଣ୍ଣ ହୋଇଥିଲେ। ଏହା ତାଙ୍କ ଜନ୍ମତିଥି ଓ ମହାସ୍ନାନ ବିଧାନରେ ସ୍ନାନଯାତ୍ରା ପର୍ବ। ଏନେଇ ସ୍କନ୍ଦପୁରାଣ, ଉତ୍କଳଖଣ୍ଡ-୨୯୧୭ରେ ଉଲ୍ଲେଖ କରାଯାଇଛି ଯେ, ଜ୍ୟୈଷ୍ଠ୍ୟାମହଞ୍ଚାବତୀର୍ଣ୍ଣସ୍ତତ୍ ପୁଣ୍ୟଜନ୍ମବାସରମ୍। ତସ୍ୟା ମେ ସ୍ନପନଂ କୁର୍ଯ୍ୟାନ୍ମହାସ୍ନାନବିଧାନତଃ॥
ଯେଉଁ ବ୍ୟକ୍ତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସର୍ବତୀର୍ଥମୟ କୂପରୁ ଉତ୍ତୋଳିତ ସୁଗନ୍ଧିତ ଜଳଦ୍ୱାରା ଭଗବାନଙ୍କୁ ସ୍ନାନ କରାଇବା ବେଳେ ଦର୍ଶନ କରେ, ତାହାର ଶରୀର କୌଣସି ପ୍ରକାର ପାପ ସମ୍ବଦ୍ଧ ରହେ ନାହିଁ ବୋଲି ସ୍କନ୍ଧ ପୁରାଣର ୩୧ ଅଧ୍ୟାୟ ୨୭ ଶ୍ଲୋକରେ ଉଲ୍ଲେଖ କରାଯାଇଛି। ଶ୍ଲୋକରେ କୁହାଯାଇଛି-ସର୍ବତୀର୍ଥମୟାତ କୂପାଦୁଦ୍ଧୃତେନ ସୁଗନ୍ଧିନା। ବାରିଣାସ୍ନାନ୍ୟମାନନ୍ତୁ ଯୋ ଜ୍ୟୈଷ୍ଠ୍ୟା ପଶ୍ୟତେ ହରିମ୍। ନ ତସ୍ୟ ପାପସମ୍ବନ୍ଧ ଆତ୍ମନି ପ୍ରଭବିଷ୍ୟତି।
ସେହିପରି, ପୂର୍ବକାଳରେ ଶ୍ରୀବିଷ୍ଣୁ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ଯେ ମୋର ପରାର୍ଦ୍ଧ ସମୟ(ଶେଷ ଅର୍ଦ୍ଧପରିମିତ କାଳ)ରେ ମୁଁ ଦାରୁରୂପ ଧାରଣ କରି ଏହି କ୍ଷେତ୍ରରେ ଅବସ୍ଥାନ କରିବି। ସ୍ୱାୟମ୍ଭୁବ ମନୁଙ୍କର ପ୍ରଥମ ସତ୍ୟଯୁଗରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ମୁଁ ଏଠାରେ ଅବତରଣ କରିବି। ସେହି ପୂଣ୍ୟ ଦିବସଟି ମୋର ଜନ୍ମବାସର ବୋଲି ଜାଣିବ। ଏନେଇ ବାମଦେବ ସଂହିତା ସପ୍ତବିଂଶୋଧ୍ୟାରେ କୁହାଯାଇଛି ଯେ, ଇନ୍ଦ୍ରଦ୍ୟୁମ୍ନଂ ପୁରା ବିଷ୍ଣୁଃ ପ୍ରାହ ତତ୍ କଥିତଂ ଶୃଣୁ। ଅନେନ ଦାରୁବପୁଷା ସ୍ଥାସ୍ୟାମ୍ୟତ୍ର ପରାର୍ଦ୍ଧକମ୍॥ ମନୋଃ ସ୍ୱାୟମ୍ଭୁବସ୍ୟାଦ୍ୟ କୃତେ ଚ ପ୍ରଥମେ ଯୁଗ। ଜ୍ୟୈଷ୍ଠମହଂ ଚାବତୀର୍ଣ୍ଣଃ ସ ପୁଣ୍ୟୋ ଜନ୍ମବାସରଃ॥