୩ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ସମ୍ଭବ ନୁହେଁ; ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବ ପରିଚାଳନା କମିଟି

ପୁରୀ (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍ ଯୋଗୁ‌ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ଚଳିତବର୍ଷ ହେବ ନା ହେବନାହିଁ। ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଉପରା ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ବୈଠକ ପରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ୩ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ସମ୍ଭବ ନୁହେଁ। ଗଜପତି ମହାରାଜା ଦିବ୍ୟସିଂହ ଦେବ […]

puri-6

puri-6

Manoranjan Sial
  • Published: Friday, 24 April 2020
  • Updated: 24 April 2020, 04:48 PM IST

ପୁରୀ (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍ ଯୋଗୁ‌ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ଚଳିତବର୍ଷ ହେବ ନା ହେବନାହିଁ। ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଉପରା ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ବୈଠକ ପରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ୩ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ସମ୍ଭବ ନୁହେଁ।

ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି-“ଶ୍ରୀମନ୍ଦିର ପର୍ବପର୍ବାଣି ସଂପର୍କରେ ଆଜିର ବୈଠକରେ ଆଲୋଚନା ହୋଇଛି। ଆଉ ୨ ଦିନ ପରେ ଅକ୍ଷୟ ତୃତୀୟା ପଡ଼ୁଛି। ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ହେବା କଥା। ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ ଯୋଗୁ ବାହାର ଯାତ୍ରା ହୋଇପାରିବନି। ସେହି ଦୃଷ୍ଟିରୁ କୌଣସି ଧର୍ମପୀଠରେ ବାହାର ଯାତ୍ରାକୁ ପୂରା ବାରଣ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମକୁ ଶ୍ରୀମନ୍ଦିର ପରିଚାଳନା କମିଟି ମାନିବାକୁ ବାଧ୍ୟ। ୩ ତାରିଖ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ସମ୍ଭବ ନୁହେଁ।”

ମହାରାଜା ଆହୁରି କହିଛନ୍ତି-“ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି ପରିଚାଳନା କମିଟି ସଦସ୍ୟ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଆଜି ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ିବୁ। ଗୁରୁଜୀଙ୍କ ପରାମର୍ଶ ଅନୁସାରେ ଅକ୍ଷୟ ତୃତୀୟା ନୀତି ପାଳନ ହେବ। ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ସମୟ ଅଛି। ତେଣୁ ୩ ତାରିଖ ପରେ ସରକାର ଯାହା ଗାଇଡ୍‌ଲାଇନ୍‌ ଦେବେ, ତାହା ଉପରେ ପୁଣି ଥରେ ବୈଠକରେ ଆଲୋଚନା କରାଯିବ। ତା’ପରେ ଗାଇଡଲାଇନ ଅନୁସାରେ ଯାହା ନିଷ୍ପତ୍ତି ନିଆଯିବ। ରୋଗକୁ ଦୂରେଇବା ଓ ମହାପ୍ରଭୁଙ୍କ ନୀତି ପାଳନ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଯାତ୍ରୀ କଟକଣା ଲଗାଇ ଯାତ୍ରା କରିହେବ କି ନାହିଁ ସରକାରଙ୍କ ଦାୟିତ୍ୱ।”

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ ଗତପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟମାନେ ଯୋଗଦେଇ ରଥଯାତ୍ରା ନେଇ ମାନସମନ୍ଥନ କରିଥିଲେ। ଯେତେ ସମସ୍ୟା ଉପୁଜିଥିଲେ ମଧ୍ୟ ଗତ ୨୮୪ ବର୍ଷ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ। ଶ୍ରୀମନ୍ଦିର ଉପରେ ମୁସଲମାନଙ୍କ ଆକ୍ରମଣ ବେଳେ ୧୭୩୬ ମସିହାରେ କେବଳ ରଥଯାତ୍ରା ବନ୍ଦ ହୋଇଥିଲା। ଏହାପରେ କେବେ ବି ରଥଯାତ୍ରା ବନ୍ଦ ହୋଇନାହିଁ। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରଥଯାତ୍ରା କରିବା ଲାଗି ପ୍ରସ୍ତାବ ଦିଆଯାଇଛି।

ରଥଯାତ୍ରା ଲାଗି ଏପ୍ରିଲ ୨୬ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ବିଧି ରହିଛି। ସେଥିପାଇଁ ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ଆଗୁଆ ‘କରୋନା’ ଟେଷ୍ଟ କରାଯାଇ ସ୍ୱତନ୍ତ୍ର ଆଇସୋଲେସନରେ ରଖି ରଥ ନିର୍ମାଣ କରାଇବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ସେମାନଙ୍କ କର୍ମସ୍ଥଳରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହେବା ଉଚିତ। ଏହାସହ ପ୍ରବେଶ ଓ ପ୍ରସ୍ଥାନ ଉପରେ କଡ଼ା ନଜର ବ୍ୟବସ୍ଥା ହେବ। ରଥ ନିର୍ମାଣ ଶେଷ ପରେ ପୁଣି ଏମାନଙ୍କର ‘କରୋନା’ ଟେଷ୍ଟ କରାଯିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି।

ଅନ୍ୟ ପ୍ରସ୍ତାବଗୁଡ଼ିକ ହେଲା, ସମସ୍ତ ସେବାୟତ ଓ ପୁଲିସ ମିଶି ପ୍ରାୟ ୧୫୦୦ ଜଣଙ୍କୁ ରଥ ଟଣାରେ ନିୟୋଜନ କରାଯାଉ। ଏଣୁ ଏମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ‘କରୋନା’ ଟେଷ୍ଟ କରାଯିବା ସହ ଏବେଠାରୁ ଆଇସୋଲେସନ୍‌ରେ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ପରେ ପୁଣି ରଥଯାତ୍ରା ପୂର୍ବରୁ ‘କରୋନା’ ଟେଷ୍ଟ କରାଯାଇ ରଥ ଟାଣିବାକୁ ଅନୁମତି ପ୍ରଦାନ କରାଯାଉ। ଏହାସହ ମନ୍ଦିରର ସମସ୍ତ ସେବାୟତଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯିବ ଯେ, ସେମାନେ ନିଜ ଘରେ କୌଣସି ଶ୍ରଦ୍ଧାଳୁଙ୍କୁ ରଖି ପାରିବେ ନାହିଁ କି ତାଙ୍କ ପରିବାର ଲୋକେ ରଥଯାତ୍ରା ବେଳେ ବାହାରେ ବୁଲି ପାରିବେ ନାହିଁ। କେବଳ ପୂର୍ବ ଚିହ୍ନିତ ବ୍ୟକ୍ତିଙ୍କ ଛଡ଼ା ପୁରୀ ରାସ୍ତାରେ ଅନ୍ୟ କୌଣସି ବୁଲି ପାରିବେ ନାହିଁ। ମନ୍ଦିର ଓ ମହାପ୍ରଭୁଙ୍କ ସେବା ସହ ସଂପୃକ୍ତ ଧାର୍ମିକ ଅନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ଅନୁଷ୍ଠାନ ବା ସଂସ୍ଥା ରଥଯାତ୍ରାରୁ ଦୂରେଇ ରହିବେ। ପୁରୀର ସମସ୍ତ ହୋଟେଲ, ଲଜ, ମଠ, ଆଶ୍ରମରେ ଯାତ୍ରୀ ରହିପାରିବେ ନାହିଁ। ଜୁନ ଆରମ୍ଭରୁ ନିଷେଧାଦେଶ ଜାରି କରାଯିବାକୁ ପ୍ରସ୍ତାବ ଦିଆଯାଇଛି।

ସେହିପରି ରଥଯାତ୍ରାରେ ସାଧାରଣ ଲୋକଙ୍କ ଭାଗିଦାରୀ ରହିବ ନାହିଁ ବୋଲି ସରକାର ଘୋଷଣା କରିବାକୁ ମଧ୍ୟ ପ୍ରସ୍ତାବରେ ରହିଛି। ଏହାଛଡ଼ା ପୁରୀକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ସଂପୂର୍ଣ୍ଣ ବନ୍ଦ ପାଇଁ ଛତିଶା ନିଯୋଗ ପ୍ରସ୍ତାବ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos