ନୂଆ ଜାଗାକୁ ଯିବେ ହରିଣ: ଖୁସି କମ୍‌ ଦୁଃଖ ବେଶୀ !

ବ୍ରହ୍ମପୁର(ଜଗନ୍ନାଥ ସାହୁ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହରିଣ ପାର୍କକୁ ସ୍ଥାନାନ୍ତର ପାଇଁ ଯୋଜନା ଆରମ୍ଭ ହୋଇଛି। ଏଠାରୁ ହରିଣ ଗୁଡ଼ିକ ଗଜପତି ଜିଲ୍ଲା ଲଖାରୀ ଜଙ୍ଗଲକୁ ସ୍ଥାନାନ୍ତର ହେବେ। ସେଠାରେ ସେମାନଙ୍କୁ ଜଙ୍ଗଲ ପରିବେଶ ଭିତରେ ରଖିବା ପାଇଁ ଯୋଜନା ହୋଇଥିବା ବେଳେ ଲଖାରୀ ଜଙ୍ଗଲରେ ଶିକାରୀ ପ୍ରାଦୁର୍ଭାବ ରହିଥିବାରୁ ହରିଣ ଗୁଡ଼ିକ ସେଠାକୁ ସ୍ଥାନାନ୍ତର ହେଲେ ମୃତ୍ୟୁ ମୁଖରେ ପଡ଼ିବେ ବୋଲି କହିଛନ୍ତି ପରିବେଶବିତ୍। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ୧୯୮୯ରେ ସ୍ଥାପିତ ହୋଇଛି ହରିଣ ପାର୍କ। […]

DEER-1

Tapas Behera
  • Published: Tuesday, 28 January 2020
  • , Updated: 28 January 2020, 05:00 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହରିଣ ପାର୍କକୁ ସ୍ଥାନାନ୍ତର ପାଇଁ ଯୋଜନା ଆରମ୍ଭ ହୋଇଛି। ଏଠାରୁ ହରିଣ ଗୁଡ଼ିକ ଗଜପତି ଜିଲ୍ଲା ଲଖାରୀ ଜଙ୍ଗଲକୁ ସ୍ଥାନାନ୍ତର ହେବେ। ସେଠାରେ ସେମାନଙ୍କୁ ଜଙ୍ଗଲ ପରିବେଶ ଭିତରେ ରଖିବା ପାଇଁ ଯୋଜନା ହୋଇଥିବା ବେଳେ ଲଖାରୀ ଜଙ୍ଗଲରେ ଶିକାରୀ ପ୍ରାଦୁର୍ଭାବ ରହିଥିବାରୁ ହରିଣ ଗୁଡ଼ିକ ସେଠାକୁ ସ୍ଥାନାନ୍ତର ହେଲେ ମୃତ୍ୟୁ ମୁଖରେ ପଡ଼ିବେ ବୋଲି କହିଛନ୍ତି ପରିବେଶବିତ୍।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ୧୯୮୯ରେ ସ୍ଥାପିତ ହୋଇଛି ହରିଣ ପାର୍କ। ଜଙ୍ଗଲ ଭଳି ପରିବେଶ ସହ ଚାରିପଟେ ଜାଲିବେଷ୍ଟିତ ଅଞ୍ଚଳରେ ରହୁଛନ୍ତି ୫୦ରୁ ଊର୍ଦ୍ଧ୍ୱ ହରିଣ। ଏହାର ରକ୍ଷଣାବେକ୍ଷଣ କରୁଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜୁଲୋଜି ବିଭାଗ । ହରିଣଙ୍କ ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ହୋଇଛନ୍ତି ଜଣେ କର୍ମଚାରୀ । ଜାଲି ଭିତରକୁ ଯାଇ ହରିଣଙ୍କୁ ସକାଳୁ ଓ ସନ୍ଧ୍ୟାରେ ଖାଦ୍ୟ ଦିଆଯାଉଛି। ହେଲେ ଗୋପାଳପୁର ସମୁଦ୍ର କୂଳରେ ଥିବାରୁ ବାତ୍ୟା, ଜୋରରେ ପବନ ବୋହିଲେ ଗଛ ଭାଙ୍ଗି ପଡ଼ି ହରିଣ ମୃତ୍ୟୁ ଘଟୁଛି। ଜାଲି ବେଷ୍ଟିତ ଜାଗାରେ ରହିଥିବାରୁ ବିପଦ ସମୟରେ କୌଣସି ନିରାପଦ ସ୍ଥାନକୁ ଯାଇନପାରି ସେହି ଭିତରେ ମୁତ୍ୟୁ ଘଟୁଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଥିଲା। ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କୁ ଏଭଳି ରଖିବା ବି ଠିକ୍ ନୁହେଁ ବୋଲି ସମାଲୋଚନା ହେବା ପରେ ଏବେ ସେମାନଙ୍କୁ ସ୍ଥାନାନ୍ତର କରାଯାଉଛି। ଏଥିପାଇଁ ନନ୍ଦନକାନନରୁ ଏକ ଟିମ୍ ମଧ୍ୟ ଆସି ହରିଣଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଖାଦ୍ୟ ଦେବା ପାଇଁ ବିଧି ମଧ୍ୟ ବୁଝାଇଥିବା କହିଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି । ତେବେ ଏହାକୁ ନେଇ ଛାତ୍ରଛାତ୍ରୀମାନେ ଦୁଃଖରେ ଭାଙ୍ଗିପଡ଼ିଥିଲେ ବି  ବନ୍ୟ ପ୍ରାଣୀକୁ ବନ୍ଦୀ ଭାବେ ରଖିବା ଠିକ୍ ନୁହେଁ ବୋଲି କହିଛନ୍ତି। ଏଥିସହ ସେଠାରେ କିଭଳି ସୁରକ୍ଷିତ ରହିବେ ସେଥିପାଇଁ ସଜାଗ ରହିବାକୁ କହିଛନ୍ତି।

ଅନ୍ୟପକ୍ଷରେ ଭଞ୍ଜବିହାର ପରିସରରୁ ହରିଣ ପାର୍କ ଲଖାରୀକୁ ସ୍ଥାନାନ୍ତରକୁ ନେଇ ପ୍ରଶ୍ନ ଉଠିଛି । କାରଣ ଲଖାରୀ ଓ ଏହାର ଆଖପାଖ ଅଞ୍ଚଳରେ ଶିକାରୀଙ୍କ ପ୍ରାଦୁର୍ଭାବ ରହିଥିବାରୁ ସେମାନେ ସେଠାରେ ରହିଲେ ଶିକାରୀ ମାନେ ଏହି ନିରୀହ ପଶୁ ଗୁଡ଼ିକୁ ହତ୍ୟା କରିବା ନେଇ କଥା ଉଠୁଛି।  ତେବେ ଏହି ଅଞ୍ଚଳକୁ ନେବା ପୂର୍ବରୁ ସେଠାକାର ବନ୍ୟପ୍ରାଣୀଙ୍କ ଉପରେ କାର୍ଯ୍ୟ କରୁଥିବା ଲୋକଙ୍କ ପରାମର୍ଶ ନେବା ଦରକାର ବୋଲି କହିବା ସହ ଏହାକୁ ଗଞ୍ଜାମ ଜିଲ୍ଲାର ମହୁରୀ କାଳୁଆ କିମ୍ବା ଗଡ଼ କାଳୁଆ ଭଳି ରଖିଥିଲେ ତାହା ଲୋକଙ୍କୁ ଆକୃଷ୍ଟ କରିବା ସହ ହରିଣମାନେ ସୁରକ୍ଷିତ ରୁହନ୍ତେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Related story