ପୁରୀ(ଓଡ଼ିଶା ରିପୋର୍ଟର): ଜନ୍ମବେଦୀରେ ବିରାଜିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା, ଶ୍ରୀବଳଭଦ୍ର ଓ ଶ୍ରୀ ସୁଦର୍ଶନ। ଆସନ୍ତାକାଲି ଅର୍ଥାତ୍ ରବିବାର ଠାରୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଜି ଅପରାହ୍ନ ପ୍ରାୟ ୨ଟା ୪୫ରେ ତିନି ରଥ ସନ୍ଧ୍ୟାଧୂପ ସମ୍ପୂର୍ଣ୍ଣ ହୋଇଥିଲା। ପରେ ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥରେ ବିରାଜିତ ମହାପ୍ରଭୁମାନଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଥିଲା। ଅପରାହ୍ନ ୩ଟା ୧୦ରୁ ୫ଟା ୧୦ ପର୍ଯ୍ୟନ୍ତ ତିନି ରଥର ଘୋଡ଼ା ଫିଟା ଯାଇ ଚାରମାଳ ବନ୍ଧା ଯାଇଥିଲା।
ଅପରାହ୍ନ ୫ଟା ୪୦ରେ ରଥରୁ ମଦନମୋହନ, କୃଷ୍ଣ, ବଳରାମ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ସନ୍ଧ୍ୟା ୬ଟାରେ ମହାପ୍ରଭୁ ବଳଭଦ୍ର ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ପରେ ପରେ ସନ୍ଧ୍ୟା ୭ଟା ୨୦ରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ପ୍ରବଳ ବର୍ଷା ହୋଇଥିଲା। ଯାହା ପରିବେଶକୁ ଶୀତଳ କରିଦେଇଥିଲା। ମହାପ୍ରଭୁମାନେ ଆଡ଼ପ ମଣ୍ଡପକୁ ବିଜେ କରିବା ପରେ ରାତିର ନୀତିକ୍ରାନ୍ତି ଆରମ୍ଭ ହୋଇଥିଲା।
ତେବେ ଆସନ୍ତାକାଲି ପ୍ରଥମ ଆଡ଼ପ ଅବଢ଼ା ବାହାରୁ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଆଶଙ୍କା ରହିଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଆସି ମହାପ୍ରଭୁଙ୍କ ଦର୍ଶନ ଠିକ୍ ଭାବେ ପାଇବେ ଓ ଅବଢ଼ା ଖାଇ ସ୍ୱଗୃହକୁ ଫେରିପାରିବେ ସେଥିନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
[caption id="attachment_746347" align="aligncenter" width="650"]
ତେବେ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିବାକୁ ନେଇ ସୁଆର ସେବକଙ୍କ ଭିତରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଆସନ୍ତାକାଲି ଆଡ଼ପ ଅବଢ଼ା ବାହାରିବା ଓ ଆବଶ୍ୟକ ମୁତାବକ ଭକ୍ତଙ୍କୁ ମିଳିବା ଉପରେ ସନ୍ଦେହ ସୃଷ୍ଟି କରିଛି। ତଥାପି ସମସ୍ତ ଶ୍ରଦ୍ଧାଳୁଙ୍କୁ ଯେପରି ଆଡ଼ପ ଅବଢ଼ା ମିଳିପାରିବ ଓ ବରାଦି ମହାପ୍ରସାଦ ଲୋକେ ନେଇ ପାରିବେ ସେଥିନିମନ୍ତେ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।