ବିଜେଡିରେ ହଜିଗଲାଣି ଗଣତାନ୍ତ୍ରିକ ବ୍ୟବସ୍ଥା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ଏକ ପ୍ରମୁଖ ଆଞ୍ଚଳିକ ଦଳରେ ଗଣତନ୍ତ୍ର ପ୍ରତି ସାମାନ୍ୟତମ ସମ୍ମାନ ନାହିଁ। ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରିବାର ଦମ୍ଭୋକ୍ତି ବାଢ଼ୁଥିବା ବିଜେଡିରେ ଲକ୍ଷ ଲକ୍ଷ କର୍ମୀ ଓ ନେତା ଅଛନ୍ତି ସତ, କିନ୍ତୁ ନାହିଁ ଗଣତନ୍ତ୍ର। କର୍ମୀ ଓ ନେତାଙ୍କ ସ୍ୱର ଏଠି ଗୁରୁତ୍ୱ ବହନ କରେନି ବରଂ ଦଳରେ ଗଣତନ୍ତ୍ର ସପକ୍ଷରେ ଯୁକ୍ତି ବାଢ଼ିଲେ ଭୋଗିବାକୁ ପଡ଼େ ଶୃଙ୍ଖଳାର ଛାଟ। ଏସବୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ସାଧାରଣ ନିର୍ବାଚନ ପାଇଁ ଦେଶର ଅନ୍ୟ ରାଜନୀତିକ ଦଳଗୁଡ଼ିକ ପ୍ରାର୍ଥୀ ଚୟନ ଓ ଇସ୍ତାହାର ପ୍ରସ୍ତୁତି ନିମନ୍ତେ ଦଳୀୟ ନେତାମାନଙ୍କର କମିଟି ଗଠନ କରି ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଚୟ ଦେଉଥିବାବେଳେ ବିଜେଡି ପାଇଁ ଏସବୁ ଗୁରୁତ୍ୱହୀନ। ୨୦୧୯ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ବିଜେଡିରେ ବି ଏସବୁ ପାଇଁ ସାମାନ୍ୟତମ ସ୍ୱର ଉଠୁନି।

ସୂଚନା ଅନୁସାରେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଗତ ଦୁଇ ଦଶନ୍ଧି ଧରି ନିର୍ବାଚନୀ ସଫଳତା ହାସଲ କରିବାରେ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ନିର୍ବାଚନ ସମୟରେ ଦଳ ପକ୍ଷରୁ ଇସ୍ତାହାର କମିଟି ଗଢ଼ାଯାଏନି କି ଦଳୀୟ ପ୍ରାର୍ଥୀ ଚୟନ ପାଇଁ କୌଣସି କମିଟି କାର୍ଯ୍ୟ କରେନି। ବିଜେଡି ସୁପ୍ରିମୋ ଓ ତାଙ୍କର ହାତଗଣତି ଜଣେଦୁଇଜଣ ପରାମର୍ଶଦାତା ହିଁ ଏସବୁକୁ ଚୂଡ଼ାନ୍ତ ରୂପ ଦିଅନ୍ତି। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ କାର୍ଯ୍ୟ ଦଳର ସର୍ବୋଚ୍ଚ କମିଟି(ସଂସଦୀୟ କମିଟି ଅବା ରାଜନୀତିକ ବ୍ୟାପାର କମିଟି) କରିଥାଏ। ମାତ୍ର ୨୦୦୦ ମସିହା ପରଠୁ ବିଜେଡିରେ ରାଜନୀତିକ ବ୍ୟାପାର କମିଟିର ଅସ୍ତିତ୍ୱ ନାହିଁ। ସେହିପରି ସଂସଦୀୟ କମିଟି କେବଳ ନାଁକୁ ମାତ୍ର ଅଛି, ଯାହା ପ୍ରଭାବହୀନ। ତେଣୁ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ର୍ରକ୍ରିୟା କାର୍ଯ୍ୟ ଏକତରଫା ଭାବେ ଦଳର ସୁପ୍ରିମୋ ତଥା ତାଙ୍କ ପରାମର୍ଶଦାତା ଅଥବା କାର୍ଯ୍ୟାଳୟର କର୍ମଚାରୀମାନେ ହିଁ ଚୂଡ଼ାନ୍ତ କରିଥାନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହୁଏ।

ସେହିପରି ରାଜ୍ୟରେ ବିଜେପି ଓ କଂଗ୍ରେସ ନିଜ ନିଜର ଇସ୍ତାହାର କମିଟି ଗଢ଼ି ଲୋକଙ୍କ ମତାମତକୁ ସେଥିରେ ସାମିଲ କରିବା ଉପରେ ଗୁରୁତ୍ୱ ଦେଉଥିବାବେଳେ ବିଜେଡି ଏପର୍ଯ୍ୟନ୍ତ ନିଜର ଇସ୍ତାହାର କମିଟି ଗଢ଼ିବାରେ ସକ୍ଷମ ହୋଇନି। ଉଭୟ କଂଗ୍ରେସ ଓ ବିଜେପି ନିଜର ନିର୍ବାଚନୀ ଇସ୍ତାହାରକୁ ଚୂଡ଼ାନ୍ତ କରିବା ପୂର୍ବରୁ ଲୋକଙ୍କୁ ଯଥାକ୍ରମେ ‘ଗ୍ୟାରେଣ୍ଟି କାର୍ଡ’ ଓ ‘ପ୍ରତିଶ୍ରୁତି ପତ୍ର’ ନାଁରେ ଲିଖିତ ପ୍ରତିଶ୍ରୁତି ଦେଉଛନ୍ତି। କଂଗ୍ରେସର ନେତାମାନେ ମଧ୍ୟ ବିଭିନ୍ନ ଅଞ୍ଚଳ ଓ ବର୍ଗର ଲୋକଙ୍କୁ ଭେଟି ଲୋକଙ୍କ ମତ ଜାଣିବାକୁ ଚେଷ୍ଟା କରୁଥିବାବେଳେ ବିଜେପି ଅନଲାଇନ ଓ ଅଫଲାଇନରେ ରାଜ୍ୟବ୍ୟାପୀ ଲୋକଙ୍କଠୁ ମତାମତ ସଂଗ୍ରହ କରିବା ସହ ରାଜ୍ୟବ୍ୟାପୀ ପ୍ରଚାର ଗାଡ଼ି ବୁଲାଉଛି।

ଅପରପକ୍ଷରେ ବିଜେଡି ନିଜର ନିର୍ବାଚନୀ ଇସ୍ତାହାର ପାଇଁ ଲୋକଙ୍କ ମତ ଲୋଡ଼ିବା ତ ଦୂରର କଥା ଇସ୍ତାହାର କମିଟିଟିଏ ଗଠନ କରିବାରେ ସକ୍ଷମ ହୋଇନି। ଅବଶ୍ୟ ଗତଥର ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ୧୫ଜଣିଆ ଇସ୍ତାହାର କମିଟି ଗଠନ ହୋଇଥିଲା। ଏଥର ସେତିକି ମଧ୍ୟ କରିବା ମୁଡରେ ବିଜେଡି ନଥିବା ଜଣାପଡ଼ିଛି। ଆହୁରି ମଧ୍ୟ ବିଜେଡି ୨୦୧୪ ନିର୍ବାଚନରେ ଦଳର ବରିଷ୍ଠ ତଥା ତତକାଳୀନ ଉପସଭାପତି କଳ୍ପତରୁ ଦାସଙ୍କୁ ‘ନିର୍ବାଚନୀ ପରିଚାଳନାର ଚେହେରା’ ଭାବେ ଉପଯୋଗ କରିଥିଲା ଓ ସେ ଦଳର ବିଭିନ୍ନ ବର୍ଗର ନେତାଙ୍କ ସହ ଯୋଗସୂତ୍ର ରକ୍ଷା କରି ପ୍ରାର୍ଥୀ ଚୟନ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥର ସେଭଳି କୌଣସି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେବା ପରିବର୍ତ୍ତେ ପ୍ରଣବ ପ୍ରକାଶ ଦାସଙ୍କ ପରି ଯୁବ ଓ ଅନଭିଜ୍ଞ ଚେହେରା ଉପରେ ବିଜେଡି କ୍ଷମତାକେନ୍ଦ୍ର ଭରସା କରିଥିବା ଜଣାପଡ଼ିଛି। ତେଣୁ ନିର୍ବାଚନବେଳେ ଏହା ବିଜେଡି ପାଇଁ ବୁମେରାଂ ହେବାର ଆଶଙ୍କା ରହିଛି।

ରାଜନୀତିକ ବିଶ୍ଳେଷକଙ୍କ ମତରେ, ଆଞ୍ଚଳିକ ଦଳରେ ସୁପ୍ରିମୋ/ସଭାପତି ସର୍ବେସର୍ବା ହୋଇଥାନ୍ତି ସତ କିନ୍ତୁ ଦଳ ପରିଚାଳନା ନିମନ୍ତେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଗୁରୁତ୍ୱ ମିଳିଥାଏ। ପ୍ରାର୍ଥୀ ଚୟନ କମିଟି ହେଉ ଅବା ଇସ୍ତାହାର କମିଟି ଗଠନ କରି ଦଳ ନିଜର ତୃଣମୂଳସ୍ତରରେ ଥିବା କର୍ମୀମାନଙ୍କୁ ଏକ ସକରାତ୍ମକ ସନ୍ଦେଶ ଦେବା ଉଚିତ୍। ଯାହାକି ବିଜେଡି ଏବେ କରୁଥିବା ଭଳି ଲାଗୁନି।