ପୁରୀ/ଆଠଗଡ଼(ଓଡ଼ିଶା ରିପୋର୍ଟର): ଗତ ୮ ଦିନ ଭିତର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସମ୍ମୁଖ ଭିତରକାଠ ପାଖରେ ୩ ଥର ପଡ଼ିଲାଣି ରକ୍ତ ଛିଟା। ଗତମାସ ୨୭ ତାରିଖ, ୨୯ ତାରିଖ ଓ ଗତକାଲି ଘଟିଛି ଏହି ଘଟଣା। ତେଣୁ ଠାକୁରଙ୍କ ମହାସ୍ନାନ ନୀତି ସହ ଅନ୍ୟାନ୍ୟ ନୀତି ପୁନଃ କରିବାକୁ ପଡ଼ୁଛି। ଏଭଳି ଅଘଟକୁ ନେଇ ସବୁଠି ଆଲୋଚନା ଲାଗି ରହିଥିବା ବେଳେ ଆଜି ପଞ୍ଚୁକର ପ୍ରଥମ ଦିନରେ ଶ୍ରୀଜୀଉମାନଙ୍କ ଦର୍ଶନରେ ଶ୍ରଦ୍ଧାଳୁଙ୍କୁ ଭୋଗିବାକୁ ପଡ଼ିଛି ନାହିଁ ନ ଥିବା ଯନ୍ତ୍ରଣା। ଘଣ୍ଟାଘଣ୍ଟା ଧରି ଠିଆ ହୋଇ ଅପେକ୍ଷା କରିଛନ୍ତି ପିଲା ଠାରୁ ବୟସ୍କ ସମସ୍ତେ।
ଶ୍ରୀମନ୍ଦିର ସିଂହଦ୍ୱାର ଓ ପଶ୍ଚିମଦ୍ୱାର ଦେଇ ପୂର୍ବରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ଭିତରକୁ ପ୍ରବେଶ କରିପାରୁଥିବା ବେଳେ ଆଜି ଠାରୁ ହଠାତ୍ ପଶ୍ଚିମଦ୍ୱାରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ନିମନ୍ତେ ବନ୍ଦ କରି ଦିଆଯାଇଥିଲା। ତେଣୁ ଏକମାତ୍ର ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ବ୍ୟବସ୍ଥା କରାଯିବା ପ୍ରବଳ ଭିଡ଼ ସାଙ୍ଗକୁ ଠେଲାପେଲାର କାରଣ ହୋଇଥିଲା।
ଶ୍ରୀମନ୍ଦିରରେ ଆଜି ଠାକୁରଙ୍କୁ ଲକ୍ଷ୍ମୀ ନାରାୟଣ ବେଶ କରାଯାଇଥିଲା। ଠାକୁରଙ୍କ ଏହି ଦିବ୍ୟ ଦର୍ଶନ ପାଇଁ ଅସମ୍ଭବ ଭିଡ଼ ହୋଇଥିଲା। ସକାଳୁ ସଞ୍ଜ ଯାଏଁ ମରିଚିକୋଟ୍ ଛକ ଯାଏଁ ବ୍ୟାରିକେଡ୍ ଜାମ୍ ହୋଇ ରହିଥିଲା। ନୀତିକାନ୍ତିରେ ବିଳମ୍ବ ସାଙ୍ଗକୁ ଦ୍ୱିତୀୟ ଭୋଗମଣ୍ଡପ ଉଠିବାରେ ଅହେତୁକ ବିଳମ୍ବ ଶ୍ରୀମନ୍ଦିର ଭିତରେ ଅସମ୍ଭବ ଭିଡ଼ ସୃଷ୍ଟି କରିଥିଲା।
ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିକୁ ଦୃଷ୍ଟିରେ ରଖି ଆଜି ଭୋର୍ ୩ଟାରେ ଦ୍ୱାରଫିଟା ନୀତି ହେବାର ଥିଲା। ହେଲେ ତାହା ସଂପନ୍ନ ହେଲାବେଳକୁ ସକାଳ ୫ଟା ୨୫ ବାଜିଗଲା। ସେମିତି ଠାକୁରଙ୍କ ମଙ୍ଗଳ ଆଳତୀ ଭୋର ୪ଟା ପରିବର୍ତ୍ତେ ସକାଳ ୬ଟା ୫ରେ ହେଲା। ଫଳରେ ରାତି ଅନ୍ଧାରରୁ ଲାଇନ୍ରେ ଛିଡ଼ା ହୋଇଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ପ୍ରାୟ ଅଢ଼େଇ ଘଣ୍ଟା ଲାଗି ଗଲା। ପୁରୀ ସହରବାସୀ ମଧ୍ୟ ଏଭଳି ହିନସ୍ତାରୁ ନିସ୍ତାର ପାଇ ପାରି ନ ଥିଲେ। ତେବେ ଭକ୍ତଙ୍କ ପାଇଁ ଅପେକ୍ଷା ଅଧିକ ଯନ୍ତ୍ରଣାଦାୟକ ହୋଇଥିଲା ଗୋପାଳ ବଲ୍ଳଭ ଓ ବାଳଧୂପ ସମୟରେ। ସକାଳ ସାଢ଼େ ୭ଟାରୁ ୮ଟା ଭିତରେ ଲକ୍ଷ୍ମୀ ନାରାୟଣ ବେଶ ଶେଷ ହେବାକୁ ନିର୍ଘଣ୍ଟ ଥିଲେ ବି ତାହା ସଂପନ୍ନ ହେବାକୁ ସକାଳ ସାଢ଼େ ୧୦ଟା ବାଜି ଯାଇଥିଲା।
ଆସନ୍ତାକାଲି ଠାକୁରଙ୍କ ବାଙ୍କଚୁଡ଼ ବେଶ। ପରବର୍ତ୍ତି ଦିନ ମାନଙ୍କରେ ଠାକୁରଙ୍କ ତ୍ରିବିକ୍ରମ ବେଶ, ପୂର୍ଣ୍ଣମୀରେ ସୁନାବେଶ ହେବାକୁ ରହିଛି। ତେଣୁ ସଅଳ ନୀତି ସାଙ୍ଗକୁ ଦର୍ଶନ ବ୍ୟବସ୍ଥା ନସଜାଡ଼ିଲେ ସ୍ଥିତି ଆହୁରି ଅସମ୍ଭାଳ ହେବା ନିଶ୍ଚିତ।
ସେପଟେ ଜଗନ୍ନାଥ ଧାମ ହେଉ କି ଧବଳେଶ୍ୱର ପୀଠ, ପଞ୍ଚୁକରେ ସବୁଠି ଠାକୁରଙ୍କୁ ଦର୍ଶନ କରିବା ଶ୍ରଦ୍ଧାଳୁଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡ଼ିଛି। ବାବା ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଯାହାକୁ ନେଇ ପ୍ରଶାସନ ଉପରେ ଶ୍ରଦ୍ଧାଳୁ ଖପ୍ପା।
[caption id="attachment_779116" align="aligncenter" width="650"] ଏଲ୍ଇଡିରେ ଧବଳେଶ୍ୱରଙ୍କୁ ଦର୍ଶନ କରି ପ୍ରଣାମ କରୁଛନ୍ତି କଟକ ଜିଲ୍ଲାପାଳ।[/caption]
ଯେଉଁ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ କୋଳାହଳରେ ସ୍ଥାନ ଫାଟି ପଡ଼ିବା କଥା, ସେଠି ପରିବେଶ ଖାଁ ଖାଁ ରହିଥିଲା। ବିପଦପୂର୍ଣ୍ଣ ଝୁଲାପୋଲ କାରଣରୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଲଗାଇଛି ପ୍ରଶାସନ। ଯେଉଁ କିଛି ଭକ୍ତ ପିଲାଙ୍କ ମୁଣ୍ଡନ ସାଙ୍ଗକୁ ଦର୍ଶନ ଆଶାରେ ଆସୁଛନ୍ତି, ସେମାନେ ପୀଠକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଖରେ କେବଳ ଏଲଇଡି ଟିଭିରେ ଠାକୁରଙ୍କ ପଞ୍ଚୁକ ବେଶ ଦର୍ଶନ କରି ଅସନ୍ତୁଷ୍ଟ ହୋଇ ଫେରୁଛନ୍ତି। କଟକ ଜିଲ୍ଲାପାଳ ବି ଆଜି ନାଟକୀୟ ଢଙ୍ଗରେ ଟିଭି ପରଦା ଆଗରେ ଲମ୍ବ ହୋଇ ମୁଣ୍ଡିଆ ମାରିଛନ୍ତି।
ତେବେ ହଠାତ୍ ଭକ୍ତଙ୍କ ଭାବାବେଗ ସହ ଏପରି ଖେଳ କାହିଁକି ହେଲା ଓ ଠାକୁରଙ୍କ ସାନିଧ୍ୟରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ବଞ୍ଚିତ ରଖାଗଲା ତାହାକୁ ନେଇ ସଭିଙ୍କ ମନରେ ପ୍ରଶ୍ନବାଚୀ। ପ୍ରଶ୍ନ ଉଠିଛି ଝୁଲାପୋଲ ବହୁ ଦିନରୁ ଦୁର୍ବଳ ହେଲାଣି, ହେଲେ ତାକୁ କାହିଁକି ଆଜି ଯାଏଁ ମରାମତି କରାଯାଇନଥିଲା ? ଯଦି ଝୁଲାପୋଲ ବନ୍ଦ କରାଗଲା। ତାହାଲେ କାହିଁକି ନଦୀରେ ଅଧିକ ସଂଖ୍ୟକ ବୋଟ୍ ଓ ଡଙ୍ଗାର ବ୍ୟବସ୍ଥା ପ୍ରଶାସନ କଲାନାହିଁ ବୋଲି ଭକ୍ତ ଓ ସେବାୟତ ସିଧାସଳଖ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ବଡ଼ଓଷା ଯାତ୍ରାରେ ଦୁଇ ଫଇସା ରୋଜଗାର ଆଶାରେ ଆସିଥିବା ଶହ ଶହ ବ୍ୟବସାୟୀଙ୍କ ପେଟକୁ ବି ପଡ଼ିଛି ଲାତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।